ଆରମ୍ଭ ହେଲା ରବି ଧାନ କିଣା : ଟୋକନ୍ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
ବରଗଡ଼ : ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ଜିଲ୍ଲାର ସମସ୍ତ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଛି । ବୁଧବାରରୁ ବରଗଡ ଜିଲ୍ଳାର ୧୨ ଟି ବ୍ଳକର ୧୮୯ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଥିବା ବେଳେ ଗୋଡଭଗା ମଣ୍ଡିରେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଟ୍ରାକ୍ଟର ଚଲାଇ ଏହାର ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଗୋରୁ ମାର୍କେଟ ଠାରେ ବରଗଡ ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ବରଗଡ ବିଧାୟକ ଅଶ୍ୱିନୀ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବରଗଡ ଆରଏମସିର ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି । ସେହିଭଳି ପଦମପୁର ନିୟନ୍ତ୍ରିତ ବଜାର କମିଟି ଅଧିନସ୍ଥ କେଉଁଠିପାଲି ଏବଂ ଆର୍ଡା ଧାନ ମଣ୍ଡିରେ ବିଜେପୁର ବିଧାୟକ ସନତ କୁମାର ଗଡତିୟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଦମପୁର ଆରଏମସିର ରବି ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟାଲଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ, ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ ଏବଂ ବରଗଡ, ଅତାବିରା ଓ ପଦମପୁର ନିୟନ୍ତ୍ରିତ ବଜାର କମିଟିର ସମସ୍ତ କର୍ମକର୍ତ୍ତା ନିଜ ନିଜ ଆରଏମସି ଅଧିନସ୍ଥ ଧାନ ମଣ୍ଡିରେ ଉପସ୍ଥିତ ଥିଲେ ।