ସୁପ୍ରିମକୋର୍ଟଙ୍କ ପ୍ରଶ୍ନ : ସରକାର କ’ଣ ରାଜ୍ୟପାଳଙ୍କ ଇଚ୍ଛାରେ ଚାଲିବ?
ାା ନୂଆଦିଲ୍ଲୀରୁ ବିକାଶ ସ୍ୱାଇଁ ।ା
ରାଷ୍ଟ୍ରପତିଙ୍କ ସନ୍ଦର୍ଭ ମାମଲାର ଶୁଣାଣିର ଦ୍ୱିତୀୟ ଦିନରେ ସୁପ୍ରିମକୋର୍ଟ ରାଜ୍ୟପାଳଙ୍କ କ୍ଷମତା ଉପରେ ପ୍ରଶ୍ନ ଉଠାଇଛନ୍ତି । ବିଧାନସଭା ଦ୍ୱାରା ଗୃହୀତ ବିଲ୍ଗୁଡିକର ସ୍ଥାୟୀ ଭାବରେ ଝୁଲାଇ ରଖିବାର କ୍ଷମତା ଥାଏ, ତେବେ ଏପରି ପରିସ୍ଥିତି ସୃଷ୍ଟି ହୋଇପାରେ ଯାହା ନିର୍ବାଚିତ ରାଜ୍ୟ ସରକାରଙ୍କୁ ଜଣେ ଅନିର୍ବାଚିତ ରାଜ୍ୟପାଳଙ୍କ ଇଚ୍ଛା ଓ ନିୟନ୍ତ୍ରଣରେ ଛାଡିଦେବା । ଏମିତି ହେଲେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଭୁଶୁଡି ପଡିବ । ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠର ନେତୃତ୍ୱ ନେଉଥିବା ମୁଖ୍ୟ ବିଚାରପତି ବି. ଆର. ଗଭାଇ କହିଛନ୍ତି, ଆମେ ରାଜ୍ୟପାଳଙ୍କୁ ଅପିଲରେ ବସିବା ପାଇଁ ସମ୍ପୂର୍ଣ୍ଣ କ୍ଷମତା ପ୍ରଦାନ କରିନଥିଲୁ? ଯେ ସଂଖ୍ୟାଗରିଷ୍ଠତା ସହିତ ନିର୍ବାଚିତ ସରକାର ରାଜ୍ୟପାଳଙ୍କ ଇଚ୍ଛା ଓ ନିୟନ୍ତ୍ରଣରେ ରହିବ ।
କେନ୍ଦ୍ର ପକ୍ଷରୁ ଉପସ୍ଥିତ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କ ଯୁକ୍ତି କରିଥିଲେ ଯେ ସମ୍ବିଧାନର ଧାରା ୨୦୦ ଅନୁଯାୟୀ ରାଜ୍ୟପାଳ କୌଣସି ବିଲ୍ ସ୍ଥଗିତ ରଖିପାରିବେ, ଯାହା ଫଳରେ ଏହାକୁ ବିଧାନସଭାକୁ ଫେରାଇବାର କୌଣସି ବିକଳ୍ପ ରହିବ ନାହିଁ । ଏହାର ଜବାବରେ କୋର୍ଟ କହିଥିଲେ ତାହାଲେ ରାଜ୍ୟପାଳ ତାଙ୍କ ଇଚ୍ଛାରେ ବିଲ୍କୁ ଝୁଲାଇ ରଖିପାରିବେ ଓ ଅନିର୍ଦ୍ଦିଷ୍ଟ କାଳ ପାଇଁ ସେଗୁଡ଼ିକୁ ସ୍ଥଗିତ ରଖିବାର ପର୍ଯ୍ୟାପ୍ତ କ୍ଷମତା ରହିବ । ମେହଟା ଉତ୍ତର ଦେଇଥିଲେ ଯେ ସମସ୍ତେ ସମ୍ବିଧାନରୁ କ୍ଷମତା ପ୍ରାପ୍ତ ହୋଇଛନ୍ତି । କେନ୍ଦ୍ର ସରକାର ରାଜ୍ୟପାଳଙ୍କୁ ଦିଆଯାଇଥିବା ଇଚ୍ଛାଧୀନ କ୍ଷମତା ସପକ୍ଷରେ ଯୁକ୍ତି ଦର୍ଶାଇଥିଲେ ଓ କହିଥିଲେ ଯେ ବିଲ୍ ବିଚାର ପାଇଁ ସମୟସୀମା ସ୍ଥିର କରିବା ଦ୍ୱାରା ପଦବୀର ସାମ୍ବିଧାନିକ କ୍ଷମତା ହ୍ରାସ କରିପାରେ । ରାଜ୍ୟପାଳ ଜଣେ ପୋଷ୍ଟମ୍ୟାନ ନୁହଁନ୍ତି । ସେ ଭାରତୀୟ ସଂଘ (କେନ୍ଦ୍ର)ର ପ୍ରତିନିଧିତ୍ୱ କରନ୍ତି । ତାଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ କରାଯାଏ, ଯିଏ ପରୋକ୍ଷ ନିର୍ବାଚନ ମାଧ୍ୟମରେ ଦେଶ ଦ୍ୱାରା ନିର୍ବାଚିତ ହୁଅନ୍ତି । ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଜଣେ ପୋଷ୍ଟମ୍ୟାନରେ ପରିଣତ ହେବ ଯଦି ସେ ବିଲ୍ ଗୁଡିକୁ ଅଟକାଇବା ପାଇଁ ତାଙ୍କର ସ୍ୱତନ୍ତ୍ର କ୍ଷମତା ବ୍ୟବହାର କରିପାରିବେ ନାହିଁ ବୋଲି ଯୁକ୍ତି ବାଢିଥିଲେ ମେହେଟା । ସାମ୍ବିଧାନିକ ବିତର୍କ ଓ ଡ୍ରାଫ୍ଟ ସମ୍ବିଧାନକୁ ଉଦ୍ଧୃତ କରି ମେହଟା କହିଥିଲେ ଯେ ରାଜ୍ୟପାଳ ଧାରା ୨୦୦ ର ମୂଳ ଅଂଶ ଅନୁଯାୟୀ ବିଲକୁ ସ୍ଥଗିତ' ରଖିପାରିବେ, ଯଦି ସେ ବିଶ୍ୱାସ କରନ୍ତି ଯେ ବିଲ୍ ଅସାମ୍ବିଧାନିକ ଓ କୌଣସି ପ୍ରତିକାରାତ୍ମକ ପରିବର୍ତ୍ତନ ବାହାରେ ହୋଇଥାଏ ।
ଏପ୍ରିଲ ୮ରେ ତାମିଲନାଡୁ ବନାମ ରାଜ୍ୟପାଳ ଆର.ଏନ୍. ରବି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଥିଲେ ଯେ ରାଜ୍ୟପାଳ ଯଦି କୌଣସି ବିଲ୍କୁ ଅନୁମୋଦନ କିମ୍ବା ସ୍ଥଗିତ କରନ୍ତି ତେବେ ତାଙ୍କୁ ତିନି ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ପଡିବ ଓ ବିଲ୍ ପୁନଃ ପ୍ରଣୟନ ହେବା ପରେ ଗୋଟିଏ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ପଡିବ ।