ଏଣ୍ଟରପ୍ରାଇଜ୍ ଓଡ଼ିଶା ଆସିବ ୫୨ ହଜାର କୋଟିର ନିବେଶ
- ରାଉରକେଲାକୁ ୮୮ ଶହ କୋଟିର ପ୍ରକଳ୍ପ ଭେଟି
- ବେଦାନ୍ତକୁ ୧୪୪୮ ଏକର ଜମି ହସ୍ତାନ୍ତରଣ
- ଓଡ଼ିଶାର ବିକାଶରେ ପଶ୍ଚିମ ଓଡ଼ିଶା ମୁଖ୍ୟ ଇଞ୍ଜିନ୍ : ମୋହନ
ଭୁବନେଶ୍ୱର : ଓଡ଼ିଶାର ବିକାଶରେ ପଶ୍ଚିମ ଓଡ଼ିଶା ଏବେ ମୁଖ୍ୟ ଇଞ୍ଜିନ୍ ପାଲଟିଛି । ରାଉରକେଲାରେ ଆୟୋଜିତ ଏଣ୍ଟରପ୍ରାଇଜ୍ ଓଡ଼ିଶାର ଉଦଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି । ଏହି ଅବସରରେ ୨୨ଟି ଏମଓୟୁ ସ୍ୱାକ୍ଷରିତ ହୋଇଥିବାବେଳେ ୫ଟି ନିବେଶ ପ୍ରସ୍ତାବ ଆସିଛି । ଗାଏମୋଟ୍ ୫୨ ହଜାର କୋଟି ନିବେଶ ହେବାର ଥିବାବେଳେ ୨୦୪୨୭ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ସେହିପରି ରାଉରକେଲାରେ ୮୮ ଶହ କୋଟିର ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କରାଯାଇଛି ।
ଏହି ଅବସରରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ରଘୁନାଥ ପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ଶିଳ୍ପ ବିଭାଗର ଏସିଏସ ହେମନ୍ତ ଶର୍ମାଙ୍କ ସମେତ ସିଆଇଆଇ, ଏମଏସଏମଇ ଉଦ୍ୟୋଗୀ ପ୍ରମୁଖ ଉପସ୍ଥିତ ଥିଲେ । ଅଗ୍ରଣୀ କମ୍ପାନୀ ଟାଟା ଷ୍ଟିଲ୍, ଏମସିଏଲ, ଜେଏସଡବ୍ଳ୍ୟୁ, ବେଦାନ୍ତ, ଡାଲମିଆ ସିମେଣ୍ଟ, ସେଲ୍, ଏଏମଏନଏସର ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
ସମସ୍ତଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେଯେ, ଏହି ବର୍ଷର ଥିମ୍ ହେଉଛି, ‘ଓଡ଼ିଶା : ବେଷ୍ଟ ପ୍ଳେସ୍ ଟୁ ଲିଭ୍, ୱାର୍କ ଆଣ୍ଡ ଡୁ ବିଜିନେସ୍’ । ଶିଳ୍ପର ବିକାଶ ହେଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଜୀବନଜୀବିକାର ମାନ ବୃଦ୍ଧି ପାଇବ । ଏମଏସଏମଇର ବିକାଶ ଉପରେ ସରକାର ଅଧିକ ଗୁରୁତ୍ୱାରୋପ କରୁଛନ୍ତି । ଗୋଟିଏ ବଡ଼ ଶିଳ୍ପ ପ୍ରତିଷ୍ଠା ସହ ସେହି ଅଞ୍ଚଳରେ ଶହ ଶହ ଏମଏସଏମଇ ଉଦ୍ୟୋଗ ପ୍ରତିଷ୍ଠା କରାଯିବ । ଫଳରେ ଯୁବକମାନଙ୍କୁ କାମ ପାଇଁ ଅନ୍ୟ ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ । ସେମାନେ ଦୁଆର ମୁହଁରେ କାମ ପାଇପାରିବେ । ୫୭୦୮ କୋଟି ନିବେଶରେ ୧୧ଟି ଶିଳ୍ପ ପ୍ରକଳ୍ପ ଆଜି ଉଦଘାଟିତ ହୋଇଥିବାବେଳେ ୪୧୮୩ ଜଣ ନିଯୁକ୍ତି ପାଇପାରିବେ । ସେହିପରି ୩୧୭୬ କୋଟିର ୯ ପ୍ରକଳ୍ପ ଶିଳାନ୍ୟାସ ହୋଇଥିବାବେଳେ ୨୬୪୯ ଜଣଙ୍କୁ ନିଯୁକ୍ତି ମିଳିପାରିବ ।
ସୂଚନାଯୋଗ୍ୟଯେ, ରାଉରକେଲାରେ ମୁଖ୍ୟମନ୍ତ୍ରୀ ରାଉରକେଲା ଚାମ୍ବର ଅଫ କମର୍ସ, ଓଡ଼ିଶା ସ୍ପଞ୍ଜ ଆଇରନ୍ ମାନୁଫାକଚରିଂ ଆସୋସିଏସନ ସହ ଆଲୋଚନା କରିଥିବାବେଳେ ରାଞ୍ôଚ ଓ ରାୟପୁରରୁ ଆସିଥିବା ସ୍ୱତନ୍ତ୍ର ପ୍ରତିନିଧି ଦଳ ସହ କଥା ହୋଇଥିଲେ। ରାୟପୁର-ରାଞ୍ôଚ-ରାଉରକେଲା କରିଡ଼ରର ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହି ଅବସରରେ ୪୩୩୪୯ କୋଟିର ୨୨ ଏମଓୟୁ ସ୍ୱାକ୍ଷରିତ ହୋଇଥିବାବେଳେ ୧୮୯୮୫ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଏହାଛଡ଼ା ୮୬୭୭ କୋଟିର ନିବେଶ ପ୍ରସ୍ତାବ ବି ଆସିଛି । ଏତଦବ୍ୟତୀତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବେଦାନ୍ତ ଆଲୁମିନିୟମକୁ ଢେଙ୍କାନାଳର କାମାକ୍ଷାନଗର ଠାରେ ୧୪୪୮ ଏକରର ଜମି ହସ୍ତାନ୍ତରଣ କରିଥିଲେ ।