ଆର୍ପିଏଫ୍ର ଅପରେସନ୍ "ଯାତ୍ରୀ ସୁରକ୍ଷା' : ୬ ଅପରାଧୀ ଗିରଫ, ମୋବାଇଲ ଓ ଟଙ୍କା ମାରଣାସ୍ତ୍ର ଜବତ
ଭୁବନେଶ୍ୱର: ରେଳବାଇ ପୁଲିସ ପକ୍ଷରୁ ରଥଯାତ୍ରାରେ ଯାତ୍ରୀଙ୍କ ସୁରକ୍ଷାକୁ ସୁନୁଶ୍ଚିତ କରିବା ପାଇଁ ଅପରେସନ ଯାତ୍ରୀ ସୁରକ୍ଷା ଆରମ୍ଭ ହୋଇଥିଲା । ଏଥିରେ ରେଳ ସୁରକ୍ଷା ବଳ (ଆର୍ପିଏଫ) ଡିଟେକ୍ଟିଭ୍ ୱିଙ୍ଗ ପୁରୀର କୋଚିଂ କମ୍ପ୍ଲେକ୍ସରୁ ଛଅ ଜଣିଆ ଅପରାଧୀ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି । ପୁରୀ ଏବଂ ଖୋର୍ଦ୍ଧା ରୋଡ୍ ସେକ୍ସନ ମଧ୍ୟରେ ଚଳାଚଳ କରୁଥିବା ରାତି ଟ୍ରେନରେ ଡକାୟତି ଷଡ଼ଯନ୍ତ୍ର କରୁଥିବା ସମୟରେ ଏହି ଦଳକୁ ରେଳବାଇ ପୁଲିସ ଅଟକ ରଖିଥିଲା । ତଲାସି ପରେ, ରେଳବାଇ ପୁଲିସ ୨୩ଟି ଚୋରି ମୋବାଇଲ୍ ହ୍ୟାଣ୍ଡସେଟ୍, ୨୪,୪୫୦ ମୂଲ୍ୟର ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଉଦ୍ଧାର କରିବାରେ ସଫଳ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୭,୧୩,୪୫୦ ହେବ ବୋଲି ଆକଳନ କରାଯାଇଛି । ପ୍ରାଥମିକ ପଚରାଉଚରା ସମୟରେ, ଅଭିଯୁକ୍ତମାନେ ରେଳ ଷ୍ଟେସନ ଏବଂ ଯାତ୍ରୀ ଚଳପ୍ରଚଳ ଅଞ୍ଚଳରେ ଯାତ୍ରୀଙ୍କଠାରୁ ମୋବାଇଲ୍ ଫୋନ୍ ଚୋରିବା ସହ ଅନେକ ଘଟଣା ସ୍ୱୀକାର କରିଛନ୍ତି । ଅଭିଯୁକ୍ତମାନେ ଯାତ୍ରୀବାହୀ ଟ୍ରେନରେ ମଧ୍ୟ ସକ୍ରିୟ ଭାବରେ ଡକାୟତି ଯୋଜନା କରୁଥିଲେ । ଗିରଫ ହୋଇଥିବା ବ୍ୟକ୍ତିମାନଙ୍କୁ, ଉଦ୍ଧାର ହୋଇଥିବା ଚୋରି ସମ୍ପତ୍ତି ସହିତ, ପୁରୀର ସରକାରୀ ରେଳବାଇ ପୁଲିସ (ଜିଆରପି)କୁ ହସ୍ତାନ୍ତର କରାଯାଇଥିଲା । ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା ଅନୁଯାୟୀ ଏକ ଆନୁଷ୍ଠାନିକ ମାମଲା ପଞ୍ଜିକୃତ ହୋଇଛି ।