ଆଜି ସୃଷ୍ଟି ହେବ ଲଘୁଚାପ
ଭୁବନେଶ୍ୱର : ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତାକାଲି ଲଘୁଚାପ ସୃଷ୍ଟି ହେବବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ନଭେମ୍ବର ୨୪ ବେଳକୁ ଅବପାତରେ ପରିଣତ ହେବ । ଏହାର ୪୮ ଘଣ୍ଟା ପରେ ଏହା ଅଧିକ ଘନୀଭୂତ ହେବବୋଲି ପୂର୍ବାନୁମାନ କରାଯାଇଛି । ତେବେ ଏହାର ପ୍ରଭାବରେ ଓଡ଼ିଶାର କେଉଁ ଜିଲ୍ଲାରେ ବର୍ଷା ହେବ ସେନେଇ ଆଇଏମଡ଼ି ପୂର୍ବାନୁମାନ କରିନାହିଁ । ଆସନ୍ତାକାଲି ଲଘୁଚାପ ସୃଷ୍ଟି ହେବା ପରେ ଗତିପଥ ସ୍ପଷ୍ଟ ହେବ ।
ଅପରପକ୍ଷରେ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇଥିବାବେଳେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରାରେ ହ୍ରାସ ପରିଲକ୍ଷିତ ହୋଇଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ରେକଡର଼୍ କରାଯାଇଛି । ସେହିପରି ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୧୩.୯ ଡିଗ୍ରୀ, ସୁନ୍ଦରଗଡ଼ରେ ୧୪.୮ ଡିଗ୍ରୀ, ଭବାନୀପାଟଣାରେ ୧୫.୬ ଡିଗ୍ରୀ, କୋରାପୁଟରେ ୧୧.୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୧୨ ଡିଗ୍ରୀ, ଦେବଗଡ଼ରେ ୧୫.୪ ଡିଗ୍ରୀ, ନୂଆପଡ଼ାରେ ୧୫ ଡିଗ୍ରୀ, ନବରଙ୍ଗପୁରରେ ୧୩ ଡିଗ୍ରୀ ରହିଛି ।