୨୧ରୁ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ

୨୧ରୁ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ

ଭୁବନେଶ୍ୱର : ତୃତୀୟ ରାଜ୍ୟସ୍ତରୀୟ ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬’ ଆସନ୍ତା ୨୧ରୁ ଆୟୋଜିତ ହେବ । ଏହା ୨୩ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନଠାରେ ହେବ । ମତ୍ସ୍ୟଚାଷୀ ଓ ପ୍ରାଣୀପାଳକଙ୍କ ପାଇଁ ଏହି ସମାବେଶ ସଚେତନତା ଓ ସମୃଦ୍ଧିର ମହାକୁମ୍ଭ ସାଜିବ ବୋଲି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି । 


  ଆସନ୍ତାକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମାବେଶର ଉଦଘାଟନ କରିବେ । ସେହିପରି ଉଦଯାପନୀ ସମାରୋହରେ  ରାଜ୍ୟପାଳ  ହରି ବାବୁ କମ୍ଭମପାଟି ଏହାର ଗରିମା ବୃଦ୍ଧି କରିବେ । ୨୦୨୬ ବର୍ଷ ପାଇଁ ଥିମ ରହିଛି ‘ମତ୍ସ୍ୟ-ପ୍ରାଣୀ ଏବେ ନୂତନ ଦିଶା; ବିକଶିତ ହେବ ଆମ ଓଡିଶା ।’ ଏହି ସମାବେଶରେ ପ୍ରତି ବ୍ଲକ୍‌ ରୁ ୨୬ ଜଣ ଚାଷୀ ମୋଟ ୮୧୬୪ ଜଣ ମତ୍ସ୍ୟଚାଷୀ ଓ ପ୍ରାଣୀପାଳକ ଯୋଗ ଦେବେ । ତା ସହ ପ୍ରତ୍ୟେକ ଉପଖଣ୍ଡରୁ ୬ ଜଣ ସଫଳ ପ୍ରାଣୀପାଳକ ଓ ମତ୍ସ୍ୟଚାଷୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯିବ । ବିଭାଗ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୨୦ ଜଣ ଶ୍ରେଷ୍ଠ ଅଧିକାରୀଙ୍କୁ ମଧ୍ୟ ପୁରସ୍କୃତ କରାଯିବ । ସମାବେଶ ଉପଲକ୍ଷେ ଆୟୋଜିତ ବକ୍ତୃତା ଓ କୁଇଜ୍‌ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମଧ୍ୟ  ପୁରସ୍କୃତ କରାଯିବ। ୩ ଟି ହ୍ୟାଙ୍ଗର୍‌ ରେ ପ୍ରାୟ ୨୦୮ ଟି ଷ୍ଟଲ୍‌ରେ ମତ୍ସ୍ୟ, ପ୍ରାଣୀପାଳନ, ବିଭିନ୍ନ ବିଭାଗ ଓ କମ୍ପାନୀର ଉତ୍ପାଦ ପ୍ରଦର୍ଶିତ ହେବ । ସେହିପରି ୨ଟି ଖୋଲା ହ୍ୟାଙ୍ଗରରେ ମତ୍ସ୍ୟ  ଓ ପ୍ରାଣୀ ଲାଇଭ୍‌ ଡେମନଷ୍ଟ୍ରେସନ୍‌ କରାଯିବ । ପ୍ରତି ସନ୍ଧ୍ୟାରେ ଲୋକନୃତ୍ୟ ଏବଂ ଶାସ୍ତ୍ରୀୟ ନୃତ୍ୟ ସମ୍ବଳିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ସମାବେଶକୁ ଅଧିକ ଆକର୍ଷଣୀୟ କରିବା ପାଇଁ ହରିୟାଣାର ଦୁଇଟି ମଇଁଷି ଷଣ୍ଢ (ସୁରବୀର ଓ ଇନ୍ଦର), ଆନ୍ଧ୍ରପ୍ରଦେଶର ଛୋଟ ପ୍ରଜାତିର ପୁଙ୍ଗାନୁର ଗାଈ ଓ ଗୁଜରାଟରୁ  କାଙ୍କରେଜ୍‌ ଷଣ୍ଢ ଆସୁଛି । ଆସନ୍ତାକାଲି ସକାଳ ୬ଟାରେ କଳିଙ୍ଗ ଷ୍ଟାଡିୟମ୍‌ ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ଏକ ୱାକାଥନ୍‌ ଆୟୋଜିତ ହେବ ।