ଆସିକା କେନ୍ଦ୍ରୀୟ ବ୍ୟାଙ୍କ ମହିଳା ଶାଖା ଘୋଟାଲାର ଫର୍ଦ୍ଦାଫାଶ କେବେ?
ଆସିକା: ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଅଧୀନରେ ଥିବା ମହିଳା ଶାଖାରେ ନାବାଡ଼ ଟିମ୍ ଯାଞ୍ଚ କରି ଫେରିଥିବା ବେଳେ ଘୋଟଲାର ସତ୍ୟା ସତ୍ୟ ରିପୋର୍ଟ ଅଦ୍ୟାବଧି ବ୍ୟାଙ୍କକୁ ପ୍ରଦାନ କରିନାହାନ୍ତି ବୋଲି ବ୍ୟାଙ୍କ ସମ୍ପାଦକ ନାରାୟଣ ମାଢେଇ ପ୍ରକାଶ କରିଛନ୍ତି । ଏପଟେ ସମବାୟ ସପ୍ତାହ ଚାଲିଯାଇଥିଲେ ମଧ୍ୟ ବ୍ୟାଙ୍କ ରେ ହୋଇଥିବା ହେରଫେରକୁ ଲୋକ ଲୋଚନ ଆଣିବାକୁ ସାଧାରଣ ଦାବି ହେଉଛି । ଆସିକା ମୁଖ୍ୟ ଡାକ ବିଭାଗ ଅଧୀନରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ଲୋନ ପାଇବା ସକାଶେ ବ୍ୟାଙ୍କରେ ଫେକ ଦଲିଲ ଦାଖଲ କରିଥିବା କୁଆଡେ ଶୁଣିବାକୁ ପାଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । କୋଟିଏରୁ ଉଦ୍ଧ୍ୱର୍ ଟଙ୍କାର ଋଣ ପ୍ରଦାନକୁ ନେଇ ଯାଞ୍ଚ କଲା ବେଳେ ନାବାର୍ଡରୁ ଆସିଥିବା ଦୁଇ ଜଣିଆ ଟିମ ଏହାକୁ ଦେଖିଥିଲେ । ଏହା ପରେ ଆରମ୍ଭ ହୋଇଛି ତନାଘନା ଏବଂ ଖୋଳତାଡ଼ । ସେହି ପରି ବ୍ୟାଙ୍କର ସମ୍ପାଦକ ନାବାଡ ପକ୍ଷରୁ ଚିଠି ଓ ମହିଳା ଶାଖାର ଅଧିକାରୀଙ୍କ ରିପୋର୍ଟକୁ ଯଦିଓ ଅପେକ୍ଷା କରି ରହିଛନ୍ତି । ତଥାପି ପୋଷ୍ଟଲରେ କାର୍ଯ୍ୟ କରୁଥିବା ଲୋନୀ ବିଷୟରେ ବ୍ୟାଙ୍କ କୁଆଡ଼େ ସରଜମିନ ତଦନ୍ତ ନିମନ୍ତେ ଦୁଇ ଜଣିଆ ଟିମ କରି ତଦନ୍ତ ଆରମ୍ଭ ହୋଇଛି ବୋଲି ବ୍ୟାଙ୍କ ସମ୍ପାଦକ ନାରାୟଣ ମାଢେଇ ପ୍ରକାଶ କରିଛନ୍ତି । ଏହାରି ମଧ୍ୟରେ ପୋଷ୍ଟଲ ବିଭାଗର ଅଧିକାରୀଙ୍କୁ ରିପୋର୍ଟ ତଲବ କରିବା ବଦଳେ ଲୋନୀ ପ୍ରଦାନ କରିଥିବା ଦଲିଲର ନକଲ ବ୍ୟାଙ୍କରୁ ଲୋଡିଛନ୍ତି । ଏହି ସବୁ ଜଟିଳତା ମଧ୍ୟରେ ଯାଞ୍ଚ କରୁଥିବା ନାବାଡ଼ର ଦୁଇ ଜଣିଆ ଟିମ କେନ୍ଦ୍ର ସମବାୟ ବ୍ୟାଙ୍କର ବିଭିନ୍ନ ଶାଖାରେ ଯାଞ୍ଚ କାର୍ଯ୍ୟ ଶେଷ କରି ଫେରିଛନ୍ତି । ଆସିକା ର ସମବାୟ ପ୍ରେମୀଙ୍କ ମନରେ କେବେ ହେବ ଆସିକା କେନ୍ଦ୍ରୀୟ ବ୍ୟାଙ୍କ ମହିଳା ଶାଖା ଘୋଟାଲାର ଫର୍ଦ୍ଦାଫାଶ ତାହାକୁ ଚାହିଁ ବସିଛନ୍ତି । ଦୋଷୀକୁ ଦଣ୍ଡ ମିଳିବ ନା ଅନ୍ୟ ରାସ୍ତାରେ ଦୋଷୀ ଖଲାସ ହେବା ପାଇଁ ପକ୍ରିୟା ତିଆରି କରାଯିବ ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ । ପରିଚାଳନା ପରିଷଦର ନିର୍ବାଚିତ ଅଧିକାଂଶ ନିଦେ୍ର୍ଦଶକ ଏହା ଜାଣିନଥିବା କହୁଛନ୍ତି । ପରିଚାଳନା ପରିଷଦର ସାଧାରଣ ପରିଷଦ ବୈଠକ କିମ୍ବା ବୋର୍ଡ ବୈଠକରେ ଆଲୋଚନା ହେଉନହିଁ । ଘଟଣା ଚପାଇବାକୁ ମସୁଧା ଚାଲିଛି ବୋଲି ଶୁଣିବାକୁ ମିଳୁଛ । ନାବାର୍ଡର ରିପୋର୍ଟ କେବେ ଆସିବ ବ୍ୟାଙ୍କ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ରହିଲା ।