ଖଣି ଅଞ୍ଚଳରେ ଖାଦ୍ୟ ସୁରକ୍ଷା ଆଇନ୍ ,ଦିଗହରା କଲ୍ୟାଣରେ ଆସୁନି ଆଦିମ ଜନଜାତି କଲ୍ୟାଣ ଯୋଜନା

କାଳିଆପାଣି,: ସରକାରକୁ ଯୋଉ ଦଳ ଆସୁନା କାହିଁକି ସେମାନେ ଆଦିବାସୀଙ୍କ ପାଇଁ କେତେ କଣ କରିବାର ପ୍ରତିିଶ୍ରୁତି ଦେଇଥାନ୍ତି । ସରକାରରେ ନଥିବା ବେଳେ ଶାସକ ଦଳ ଜନଜାତିଙ୍କ ପାଇଁ କିଛି କରୁନଥିବାର ଅଭିଯୋଗ ଆଣିଥାନ୍ତି । କିନ୍ତୁ ସରକାରକୁ ଆସିଗଲା ପରେ ବିରୋଧି ସମୟର କଥାକୁ ପାସୋରି ଯାଆନ୍ତି । ସୁକିନ୍ଦା ଖଣି ଅଞ୍ଚଳରୁ ମିଳିଥିବା କିଛି ଅଭିଯୋଗ ଏବଂ ଦୃଶ୍ୟ ଏକଥାକୁ ପ୍ରମାଣିତ କରୁଛି । ଆଦିମ ଜନଜାତି କଲ୍ୟାଣ ପାଇଁ ରାଜ୍ୟରେ ମାଳମାଳ ଯୋଜନା ସତ୍ତ୍ୱେ ଖଣି ଅଞ୍ଚଳରେ ବସବାସ କରୁଥିବା ଏକାଧିକ ପରିବାର ଉପେକ୍ଷିତ ହୋଇଛନ୍ତି । ଯେଉଁ ମାନଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନା ଦିଗହରା ହୋଇପଡ଼ିଥିବା ବେଳେ ଆଦିମ ଜନଜାତି କଲ୍ୟାଣ ଯୋଜନା କଲ୍ୟାଣରେ ଆସୁନି । ସୁକିନ୍ଦା ବ୍ଲକ କଅଁସ ପଞ୍ଚାୟତ ଅନ୍ତର୍ଗତ ବିଟସାହିର ଦୁଇ ପରିବାର ଖାଦ୍ୟ ସୁରକ୍ଷା ଆଇନ ଅବହେଳାର ଶିକାର ହୋଇଛନ୍ତି । ଦୁଇ ପରିବାରର ମୁଖ୍ୟ ଶଙ୍ଖ ଦେହୁରୀ(୨୪) ଓ ହାଉଳା ଦେହୁରୀ(୩୪) କୁହନ୍ତି କି କର୍ମ ନିଯୁକ୍ତି କିମ୍ୱା ରୋଜଗାରର ସୁବିଧା ନଥିବା ହେତୁ ଜଙ୍ଗଲି ଦ୍ରବ୍ୟ (ଝୁଣା, ମହୁ, ଛତୁ) ଆଦି ସଂଗ୍ରହ କରି ତାକୁ ବିକ୍ରୟ କରି ସ୍ୱଳ୍ପ ଅର୍ଥ ଉପାର୍ଜନ କରି ପରିବାରର ଭୋକ ମେଣ୍ଟାଉଥିବା କଥା କୁହନ୍ତି । ପରିବାରର ଅଭାବ ଓ ଅନଣ୍ଟନ ପାଇଁ ଉଭୟ ପରିବାରର ପିଲା ମାନଙ୍କ ଶିକ୍ଷା ବାଧାପ୍ରାପ୍ତ ହୋଇଛି । ଏହି ଦୁଇ ପରିବାରଙ୍କ ନିକଟରେ ରାସନ୍ କାର୍ଡ ଥିଲେ ମଧ୍ୟ ପରିବାରର ସମସ୍ତ ସଦସ୍ୟ ଏଥିରେ ସାମିଲ ହୋଇପାରି ନାହାନ୍ତି । ସୁବାସଙ୍କ ପରିବାରରେ ୪ ଜଣ ସଦସ୍ୟ ରହୁଥିଲେ ମଧ୍ୟ କେବଳ ୨ ଜଣଙ୍କୁ ରାସନ୍ ସାମଗ୍ରୀ ମିଳୁଥିବା ବେଳେ ଅନ୍ୟ ଦୁଇଜଣ ବାଦ ପଡ଼ିଛନ୍ତି । ଅନ୍ୟପଟେ ହାଉଳାଙ୍କ ପରିବାରରେ ୫ଜଣ ସଦସ୍ୟ ରହୁଥିଲେ ମଧ୍ୟ ତାଙ୍କ ପରିବାରରେ ଦୁଇଜଣଙ୍କୁ ରାସନ୍ ସାମଗ୍ରୀ ମିଳୁଥିବା ବେଳେ ଅନ୍ୟ ତିନି ଜଣ ବଞ୍ଚିତ ରହିଥିବା କହିଛନ୍ତି । ସମସ୍ତ ଅସୁବିଧାକୁ ଦୃଷ୍ଟିରେ ରଖିଲେ ଏକଦା ଖାଦ୍ୟ ସୁରକ୍ଷା ଆଇନ୍ ଦିଗହରା କହିଲେ କିଛି ଭୁଲ ହେବ ନାହିଁ । ଗରିବ ପରିବାର ରାସନ୍ ସାମଗ୍ରୀ ବଞ୍ଚିତ ହେବା ସମ୍ପର୍କରେ ଯୋଗାଣ ନିରୀକ୍ଷକ ଦେବାଶିଷ କରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ୍ ନେଟୱାର୍କ ବାହାରେ ରହିଥିଲା । ଏଣୁ ତାଙ୍କ ମତାମତ ମିିଳିପାରିନଥିଲା । ତେବେ ବ୍ଲକ ଏବଂ ଜିଲା ପ୍ରଶାସନ ଖଣି ଅଞ୍ଚଳରେ ପରିଲକ୍ଷିତ ହୋଇଥିବା ଏଭଳି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦାବି କରାଯାଇଛି ।