୨୨ ମାଓବାଦୀଙ୍କ ଆତ୍ମସମର୍ପଣ; ମାଓ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ 

୨୨ ମାଓବାଦୀଙ୍କ ଆତ୍ମସମର୍ପଣ;  ମାଓ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ 

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲା ପୋଲିସ ନିକଟରେ ୨୨ ଜଣ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି  । ସେମାନଙ୍କ ମଧ୍ୟରେ ୪୦ ଲକ୍ଷ ଇନାମୀ ମାଓବାଦୀମାନେ ମଧ୍ୟ ସାମିଲ ଅଛନ୍ତି  । ଜିଲ୍ଲା ଏସପି, କମାଣ୍ଡାଣ୍ଟ ୨୨୬ ବଟାଲିୟନ ସିଆରପିଏଫ୍‌ଙ୍କ ନିକଟରେ ମାଓବାଦୀମାନେ ଆତ୍ମ ସମର୍ପଣ କରିଛନ୍ତି  । ସେମାନଙ୍କ ମଧ୍ୟରେ ୮ ଲକ୍ଷ ଇନାମୀ ମୁଚାକୀ ଜଗା, ଆଠ ଲକ୍ଷ ଇନାମୀ ମୁଚାକୀ ଜୋଗୀ, ପାଞ୍ଚ ଲକ୍ଷ ଇନାମୀ କିକିଡ ଦେବେ, ପାଞ୍ଚ ଲକ୍ଷ ଇନାମୀ ମନୋଜ ଓରଫ ଦୁଧୀ ବୁଦରା, ଦୁଇ ଲକ୍ଷ ଇନାମୀ ମାଡବୀ ଭିମା, ମାଡବୀ ସୋମଡି, ସଙ୍ଗୀତା ଓରଫ ହଡମେ, ମାଡବି କୋସୀ, ବଂଜାମ ସନି, ମାଡବି ମଙ୍ଗଲି, ତାତା ବଂଡି ଅଛନ୍ତି  । ଅନ୍ୟ ୧୧ ଜଣ ବିଭିନ୍ନ ମାଓ ସଂଗଠନର ସକ୍ରିୟ ମାଓବାଦୀ ଭାବେ କାର୍ଯ୍ୟ କରୁଥିଲେ  । ସମସ୍ତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିବାବେଳେ ସରକାରଙ୍କ ଥଇଥାନ ନୀତି ଅନୁଯାୟୀ ସମସ୍ତଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ।
ଅପରପକ୍ଷରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲା ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରିଛନ୍ତି  । ତଥ୍ୟ ଅନୁଯାୟୀ, ନାରାୟଣପୁର ଜିଲ୍ଲା ଆବୁଝମାଡ ଜଙ୍ଗଲ ନିକଟରେ ନାରାୟଣପୁର ପୋଲିସ, ଆଇଟିବିପି ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ  । ଜିଲ୍ଲାର କୋହକାମେଟା ଥାନା ଅନ୍ତର୍ଗତ କସୋଡ, କୁମୁରାଡି ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିବା ପରେ ମାଓବାଦୀମାନେ ସୁରକ୍ଷା କର୍ମୀଙ୍କ ଆକ୍ରମଣକୁ ସାମନା କରିନପାରି ଛତ୍ରଭଙ୍ଗ ଦେଇଥିଲେ  । ଘଟଣା ସ୍ଥଳରୁ ସୁରକ୍ଷା କର୍ମୀମାନେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରିଥିବା ବେଳେ ସେଥିମଧ୍ୟରୁ ଛଅଲକ୍ଷ ଟଙ୍କା ନଗଦ, ୧୧ଟି ଲାପଟପ୍‌, ୫୦ କେଜି ବାରୁଦ, ୩୦ କେଜି ସୋରା, ୨୦ ଲିଟର ପେଟ୍ରୋଲ, ୨୦ ଲିଟର ଡିଜେଲ, ଦୁଇଟି କୁକର ବୋମା, ୧୩୦ଟି ଏସ୍‌ଏଲ୍‌ଆର୍‌, ୧୨ ବୋରର ୨୫ଟି ଓ ୩୦୩ ରାଇଫଲର ୧୮ଟି ଅଫୁଟା ଗୁଳି, କଡେକ୍ସ ତାର, ବିଦ୍ୟୁତ୍‌ ତାର, ମାଓ ପୋଷାକ, ଔଷଧ, ଟିଫିନ, ଜୋତା, ମାଓ ପୁସ୍ତିକା, ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରିଛନ୍ତି ।