ସରିଲା ଐତିହାସିକ ବାଲିଯାତ୍ରା

ସରିଲା ଐତିହାସିକ ବାଲିଯାତ୍ରା
  • ଯାତ୍ରା ବୁଲିଲେ କୋଟିଏ
  • ଶେଷ ସଂଧ୍ୟାରେ ୧୦ ଲକ୍ଷ ଲୋକ
  • ୯ ଦିନରେ ୪୦୦ କୋଟିର ବ୍ୟବସାୟ
  • ଶ୍ରେୟାଙ୍କ ସୋ’ ପାଇଁ ପ୍ରବଳ ଭିଡ଼
  • ୨ ଅଚେତ, ଆମ୍ବୁଲାନ୍ସରେ ଗଲେ ମେଡିକାଲ

  କଟକ : ମହାନଦୀ କୂଳରେ ଚାଲିଥିବା ଏସିଆ ମହାଦେଶର ସର୍ବବୃହତ୍ତ ମୁକ୍ତାକାଶ ବାଣିଜ୍ୟିକ ମହାକୁମ୍ଭ ତଥା ଐତିହାସିକ ବାଲିଯାତ୍ରା ଗୁରୁବାର ବିଦ୍ଧିବଦ୍ଧ ଭାବେ ଶେଷ ହୋଇଛି । ଶେଷ ଦିନରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକ ଯାତ୍ରାକୁ ଉପଭୋଗ କରିଥିଲେ । ତେବେ ବଲିଉଡ଼ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ କାର୍ଯ୍ୟକ୍ରମ ପାଇଁ ପ୍ରବଳ ଭିଡ଼ ହେବାରୁ ଦୁଇ ଜଣ ଅଚେତ୍‌ ହୋଇପଡ଼ିଥିଲେ । ମେଳା ପଡ଼ିଆରେ ଅସମ୍ଭାଳ ଭିଡ଼ ଯୋଗୁ ରାଜପଥରୁ ରିଙ୍ଗ ବନ୍ଧକୁ ସମସ୍ତ ଗାଡ଼ି ପ୍ରବେଶ ଉପରେ କମିଶନରେଟ ପୁଲିସ ପକ୍ଷରୁ କଟକଣା ଜାରି କରାଯାଇଥିଲା । ରାତି ପ୍ରାୟ ୮ଟା ବେଳକୁ ଆଉ ପଡ଼ିଆକୁ ନଆସିବା ପାଇଁ ପୁଲିସ ପକ୍ଷରୁ ସୂଚନା ଜାରି କରାଯାଇଥିଲା । ଉଭୟ ପଡ଼ିଆର ପାଖାପାଖି ୫ କିଲୋମିଟର ଦୂରରୁ ସମସ୍ତ ଯାନବାହନ ଚଳାଚଳ ବନ୍ଦ କରାଯାଇଥିଲା । 


       ଆଜି ଶେଷ ଦିନ ଥିବାରୁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ସନ୍ଧ୍ୟା ସୁଦ୍ଧା ବାଲିଯାତ୍ରା ପାଇଁ ବ୍ୟବସ୍ଥା ହୋଇଥିବା ମୋଟ ୨୦ଟି ପାର୍କିଂ ସ୍ଥାନରେ ଗାଡ଼ି ଭର୍ତ୍ତି ହୋଇଯାଇଥିଲା । ପାର୍କିଂ ସ୍ଥାନରେ ପାଖାପାଖି ୭୦ହଜାର ଦୁଇ ଚକିଆ ଗାଡ଼ି ଓ ୧୦ହଜାର ଚାରି ଚକିଆ ଗାଡ଼ି ପାର୍କିଂ ହୋଇଥିଲା । ଶୀତୁଆ ସନ୍ଧ୍ୟାରେ ରଙ୍ଗାରଙ୍ଗ ଆଲୋକମାଳା ସହିତ ଦର୍ଶକମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ । ବାଲିଯାତ୍ରାର ଅନ୍ତିମ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ମଞ୍ଚର ମୁଖ୍ୟ ଆକର୍ଷଣ ଥିଲା ବଲିଉଡ଼ର ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲଙ୍କ ସ୍ୱରର ଯାଦୁ । “ଚିକିନି ଚମେଲି”, “ମନୁଆ ଲାଗେ” ଆଦି ବଲିଉଡ଼ର ସୁପରହିଟ ଗୀତ ପରିବେଷଣ କରି ଶ୍ରେୟା ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲେ । ଫଳରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା  । ଅଣନିଃଶ୍ୱାସୀ ହୋଇ ଦୁଇ ଜଣ ଅଚେତ୍‌ ହୋଇପଡ଼ିଥିଲେ ।  

     ସେମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡ଼ିକାଲକୁ ପଠା ଯାଇଥିଲା । କଟକ ଐତିହାସିକ ବାଲିଯାତ୍ରା ଗତ ବୁଧବାର କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ଗତକାଲି ଶେଷ ହେବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ପରେ ବାଲିଯାତ୍ରାକୁ ଗୋଟିଏ ଦିନ ବୃଦ୍ଧି କରାଯାଇଥିଲା । ଆଜି ବାଲିଯାତ୍ରା ଶେଷ ହୋଇଥିବାବେଳେ ଏଥର ୯ ଦିନରେ ରେକଡର଼୍ ସଂଖ୍ୟକ ପ୍ରାୟ କୋଟିଏରୁ ଅଧିକ ଲୋକ ବାଲିଯାତ୍ରା ବୁଲିଥିବା ଆକଳନ କରାଯାଇଛି । ଉଭୟ ପଡ଼ିଆରେ ୨୫୦୦ରୁ ଅଧିକ ଷ୍ଟଲ ସାଂଗକୁ ୩ ହଜାରରୁ ଅଧିକ ବ୍ୟବସାୟୀ ମେଳାକୁ ଆସିଥିଲେ । ଦୋଳି ଓ ମୀନା ବଜାର ସାଂଗକୁ ଜାତୀୟ ପଲ୍ଲିଶ୍ରୀ ମେଳା ଏଥର ଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା । ସେହିପରି କଟକ-ଇନ-କଟକକୁ ନୂଆ ରୂପ ଦିଆଯାଇଥିଲା । ଓଡ଼ିଆ ଅସ୍ମିତାକୁ ନେଇ କଟକ ଇନ କଟକ ପାଭିଲିୟନ ସୁସଜ୍ଜିତ ହୋଇଥିଲା । ପାଭିଲିୟନ ପରିସରରେ ୧୦ଟି ସେଲଫି ପଏଣ୍ଟ ରହିଥିଲା, ଯାହା ମେଳାର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ବିଶେଷକରି ଯୁବପିଢ଼ି ସେଲଫି ପଏଣ୍ଟରେ ଫଟୋ ଉଠାଇବାକୁ ବେଶ ଆଗ୍ରହ ପ୍ରକାଶ କରିଥିଲେ । ତେଣୁ କଟକ ଇନ କଟକ ପରିସରରେ ପ୍ରତିଦିନ ଦର୍ଶକଙ୍କ ଭିଡ଼ ଜମୁଥିଲା । ଚଳିତ ବର୍ଷ ମେଳାରେ ବ୍ୟବସାୟ ବି ରେକଡର଼୍ କରିଛି । ଉଭୟ ପଡ଼ିଆର ବ୍ୟବସାୟକୁ ହିସାବକୁ ନେଲେ, ୯ ଦିନରେ ବାଲିଯାତ୍ରାରେ ବେପାର ୪୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । କେବଳ ଓରମାସ ପରିସରରେ ୬୦ କୋଟି ଟଙ୍କାରୁ ଅଧିକ କାରବାର ହୋଇଥିବା ତଥ୍ୟ ମିଳିଛି । ୯ ଦିନ ଧରି ଲୋକଙ୍କ ଭିଡ଼ ଓ କୋଳାହଳରେ ଉଚ୍ଛୁଳି ପଡ଼ୁଥିବା ବାଲିଯାତ୍ରା ପଡ଼ିଆ ପୁଣି ଖାଁ ଖାଁ ହୋଇଯିବ । ଶୁକ୍ରବାର ସକାଳୁ ବ୍ୟବସାୟୀମାନେ ଘରକୁ ଫେରିଯିବେ । ତେବେ କଟକିଆ ଅପେକ୍ଷା କରି ରହିବେ ଆସନ୍ତା ବର୍ଷ ବାଲିଯାତ୍ରାକୁ ।