୩ ମାସରେ ସରିବ ରତ୍ନଭଣ୍ଡାର ମରାମତି

୩ ମାସରେ ସରିବ ରତ୍ନଭଣ୍ଡାର ମରାମତି

ପୁରୀ : ଆସନ୍ତା ୧୬ ତାରିଖ ଧନୁସଂକ୍ରାନ୍ତି ପଡୁଥିବାରୁ ୧୭ରୁ ଏଏସ୍ଆଇ ଦ୍ୱାରା ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ  । ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି  । ଏଥିପାଇଁ ଶ୍ରୀମନ୍ଦିର ନୀତି ପ୍ରଶାସନ ଏବଂ କମାଣ୍ଡରଙ୍କୁ ନେଇ ୨ଜଣିଆ କମିଟି ଗଠନ କରାଯାଇଥିଲା । ଏହି କମିଟି ରତ୍ନଭଣ୍ଡାର ମରାମତି ସମୟରେ ଯେଭଳି ମହାପ୍ରଭୁଙ୍କ ନୀତିକାନ୍ତି ସଂପାଦନରେ କୌଣସି ପ୍ରଭାବ ପଡ଼ିବନାହିଁ ଏବଂ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ସେଥିନେଇ ଶ୍ରୀମନ୍ଦିର ପ୍ରଶାସନକୁ ପରାମର୍ଶ ଦିଆଯାଇଥିଲା । 
ମଙ୍ଗଳବାର ଅପରାହ୍ନରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା  । ଏହି ବୈଠକରେ ଜିଲ୍ଳାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଶ୍ରୀମନ୍ଦିର ପ୍ରଶାସନର ଅନ୍ୟାନ୍ୟ ଅଧିକାରୀ, ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀଗଣ ଏବଂ ବିଭିନ୍ନ ନିଯୋଗର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଏହି ମରାମତି କାର୍ଯ୍ୟ ୩ ମାସ ମଧ୍ୟରେ ଏଏସ୍ଆଇ ଶେଷ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ପ୍ରଶାସକ ଶ୍ରୀ ପାଢୀ ସୂଚନା ଦେଇ କହିଛନ୍ତିଯେ, ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସଂପନ୍ନ ହେବ  । ଆବଶ୍ୟକ ସ୍ଥଳେ ସରକାର ମାର୍ଗଦର୍ଶିକା ପରିବର୍ତ୍ତନ କରିବେ  । ଆସନ୍ତା ୧୭ ତାରିଖରୁ ଏହି ମରାମତି କାର୍ଯ୍ୟ ଏ.ଏସ୍.ଆଇ ପକ୍ଷରୁ କରାଯିବ । ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥାୟିତ୍ୱକୁ ଦୃଷ୍ଟିରେ ରଖି ଏଏସ୍ଆଇ ମରାମତି କାର୍ଯ୍ୟ ସଂପନ୍ନ କରିବେ ବୋଲି ବୈଠକରେ ସ୍ଥିର କରାଯାଇଛି  ।
ଶ୍ରୀ ପାଢୀ କହିଥିଲେଯେ, ପ୍ରତି ପର୍ଯ୍ୟାୟ ମାର୍ଗଦର୍ଶିକା ଅନୁସାରେ କରାଯିବ  । ରତ୍ନଭଣ୍ଡାର କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ଅଧିକାରୀ, କର୍ମଚାରୀ ଏପରିକି ଦିନ ମଜୁରିଆଙ୍କୁ ଏଏସ୍ଆଇ ପକ୍ଷରୁ ପରିଚୟ ପତ୍ର ପ୍ରଦାନ କରାଯିବ  । ଯେଉଁ ଅଧିକୃତ ସେବାୟତମାନେ ମରାମତି କାର୍ଯ୍ୟ ତଦାରଖ କରିବେ ସେମାନେ ମଧ୍ୟ ଦୁର୍ଘଟଣାରୁ ରକ୍ଷା ପାଇଁ ଆବଶ୍ୟକୀୟ ସରଞ୍ଜାମ ବ୍ୟବହାର କରିବେ  । ପ୍ରତ୍ୟହ ଶ୍ରୀଜୀଉଙ୍କ ବେଶ ଶେଷ ହେବାପରେ ପ୍ରାୟ ଦିବା ୧ଘଣ୍ଟା ମଧ୍ୟରେ ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବ ଏବଂ ଏହାପରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୪ରୁ ୫ଘଣ୍ଟା ଧରି ମରାମତି କାର୍ଯ୍ୟ ଚାଲିବ  । ଦର୍ଶନାର୍ଥୀଙ୍କ ଭିଡ଼ ଅଧିକ ଥିବା ସମୟରେ ମରାମତି କାର୍ଯ୍ୟ ବନ୍ଦ ରଖିବା ପାଇଁ ଏଏସ୍ଆଇକୁ ପରାମର୍ଶ ଦିଆଯାଇଛି  । 
ମରାମତି ସମୟରେ ଦର୍ଶନାର୍ଥୀମାନେ ଗର୍ଭଗୃହର ବାହାର କାଠ ଠାରୁ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବେ  । ଯେଉଁଦିନ ମରାମତି କାର୍ଯ୍ୟ ବନ୍ଦ ରହିବ ଭିତର କାଠରୁ ଦର୍ଶନ ମିଳିବ  । ଏ ସଂକ୍ରାନ୍ତରେ ଭକ୍ତମାନଙ୍କୁ ପୂର୍ବରୁ ସୂଚନା ଦିଆଯିବ । ମରାମତି କାର୍ଯ୍ୟ ଶେଷ ହେବା ପରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର କରାଯିବ  । ଏହାପରେ ହେବ ଗଣତି ଓ ମଣତି କାର୍ଯ୍ୟ । ଆସନ୍ତା ୧୬ ତାରିଖ ଧନୁ ସଂକ୍ରାନ୍ତି ଠାରୁ ଜାନୁୟାରୀ ମାସ ୧୩ ତାରିଖ ଦେବାଭିଷେକ ପର୍ଯ୍ୟନ୍ତ ଏକମାସ ଧରି ଶ୍ରୀମନ୍ଦିରରେ ପହିଲିଭୋଗ ସଂପନ୍ନ ହେବ  । ଏହି ସମୟରେ ଶ୍ରୀମନ୍ଦିରରେ ଅଧିକ ନୀତିକାନ୍ତି ରହୁଥିବାରୁ ପ୍ରଶାସନ ପକ୍ଷରୁ ଏକ ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି । ଏହି ୧ମାସ ଧରି ପ୍ରତ୍ୟହ ରାତ୍ର ୨ ଘଟିକାରେ ଶ୍ରୀମନ୍ଦିରର ଦ୍ୱାର ଫିଟିବ । ପୂର୍ବଦିନ ୧୧ଟାରୁ ୧୧ଟା ୩୦ ମିନିଟ୍ ସୁଦ୍ଧା ମହାପ୍ରଭୁଙ୍କ ରାତ୍ର ପହୁଡ଼ କରାଯିବ । ଅଧିକ ନୀତି ନଥିବା ଦିନମାନଙ୍କରେ ଦିବା ପହୁଡ଼ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ ।