ଅଙ୍ଗନବାଡ଼ି କର୍ମୀଙ୍କଠୁ ନେଉଥିଲେ ୮୦ ହଜାର... ସିଡ଼ିପିଓଙ୍କୁ ଧରିଲା ଭିଜିଲାନ୍ସ

 ଜୟପୁର/ଭୁବନେଶ୍ୱର:  ଗରିବ ଡଙ୍ଗରିଆ କନ୍ଧ ଆଦିବାସୀ ମହିଳାଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜଣେ ସିଡ଼ିପିଓ ଓ ଜଣେ କିରାଣୀଙ୍କୁ ଧରିବାରେ ସକ୍ଷମ ହୋଇଛି  । ଘଟଣାଟି ଏମିତି, ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଜଣେ ମହିଳା ଅଙ୍ଗନବାଡ଼ି କର୍ମୀଭାବେ ନିଯୁକ୍ତି ପାଇବାକୁ ଚୟନ ହୋଇଥିଲେ  । ହେଲେ ନିଯୁକ୍ତି ପତ୍ର ଦେବା ପାଇଁ ତାଙ୍କ ଠାରୁ ଲକ୍ଷେ ଟଙ୍କା ଦାବି କରିଥିଲେ ବିଷମକଟକ ସିଡ଼ିପିଓ ସୁଶୀଳା ସବର  । କିରାଣୀ ରାମଚନ୍ଦ୍ର ପାତ୍ରଙ୍କ ଜରିଆରେ ପ୍ରଥମେ ୨୦ ହଜାର ଟଙ୍କା ନେଇଥିବାବେଳେ ପରେ ଆଉ ୮୦ ହଜାର ଟଙ୍କା ଦେବାକୁ ଚାପ ପକାଇଥିଲେ  । ଗାଏମୋଟ୍ କହିଲେ ଆଜି ୮୦ ହଜାର ଟଙ୍କା ନେବାକୁ କଥା ଛିଡ଼ିଥିଲା  । ହେଲେ ଏନେଇ ସଂପୃକ୍ତ ଅଙ୍ଗନବାଡ଼ି କର୍ମୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ  । ସେ ଜଣେ ଗରିବ ଆଦିବାସୀ ମହିଳା ହୋଇଥିବାବେଳେ ଏତେ ଟଙ୍କା ଦେବାକୁ ତାଙ୍କର ସାଧ୍ୟ ନଥିଲା  । ଆଜି ଉଭୟ ସିଡ଼ିପିଓ ଓ କିରାଣୀ ତାଙ୍କ ଠାରୁ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ମାଡ଼ି ବସିଥିଲା  । ସେମାନଙ୍କ ହାତରୁ କେମିକାଲ ଟଙ୍କା ବି ଜବତ କରାଯାଇଛି  । ଭିଜିଲାନ୍ସ ଉଭୟଙ୍କ ନାମରେ ମାମଲା ରୁଜୁ କରିବା ସହ ସେମାନଙ୍କ ଘର ଓ ସମ୍ପତ୍ତି ଉପରେ ଚଢ଼ାଉ ଆରମ୍ଭ କରିଛି  । ଉକ୍ତ କିରାଣୀ ଶ୍ରୀ ପାତ୍ର ପୂର୍ବରୁ ମଧ୍ୟ ଅନ୍ୟ ଏକ ଦୁର୍ନୀତିରେ ଜଡ଼ିତ ଥିଲେ  । ରାୟଗଡ଼ା ତହସିଲଦାର ଅଫିସରେ ନାଜିର ଭାବେ କାମ କରୁଥିବାବେଳେ ଜାଲ୍ କାଗଜପତ୍ରରେ ସରକାରୀ ଟଙ୍କା ହଡ଼ପ କରିବା ଅଭିଯୋଗରେ ସେ ଗିରଫ ମଧ୍ୟ ହୋଇଥିଲେ  । ଏବେବି ମାମଲା ବିଚାରାଧୀନ ରହିଛି  ।