ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ: ସୁପର ଏକାଦଶ ଚାମ୍ପିଅନ
ସୁକିନ୍ଦା: ଶିବ ପାର୍ବତୀ ଆଦିବାସୀ କ୍ଲବ, ନାକଦେଇ ସହଯୋଗରେ ୩୨ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ କରଞ୍ଜିଆ ଫୁଟବଲ ଟିମକୁ ହରାଇ ସୁପର ଏଲେଭେନ ଫୁଟବଲ ଟିମ୍ ଚମ୍ପିୟାନ ହୋଇଛି । ସୁକିନ୍ଦା ବ୍ଲକ ଅନ୍ତର୍ଗତ ନାକଦେଇ ଖେଳ ପଡ଼ିଆରେ ତିନିଦିନ ଧରି ଚାଲିଥିବା ଟୁର୍ଣ୍ଣାମେଣ୍ଟରେ ଯାଜପୁର, କେନ୍ଦୁଝର, ଢ଼େଙ୍କାନାଳ, ମୟୂରଭଞ୍ଜ ଜିଲ୍ଲାର ୩୨ଟି ଫୁଟବଲ ଟିମ୍ ଭାଗ ନେଇଥିଲେ । ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥିବା ୪ଟି ଟିମକୁ ୨୫ହଜାର,୨୦ହଜାର,୧୫ହଜାର ଓ ୧୨ହଜାର ଟଙ୍କା ଅର୍ଥରାଶି ସହ ଟ୍ରଫି ପ୍ରଦାନ କରାଯାଇଛି । ଉଦ୍ୟାପନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ ମନମୋହନ ବାନରା, ସୁକିନ୍ଦା ଫିଜିକାଲ ଏକାଡେମୀ ଜଙ୍କ ବାନରା, ସମ୍ପାଦକ ରାମଚନ୍ଦ୍ର ବାନରା, ରାଉତ ବାନରା, ମାନାଏ ହେମ୍ରମ, ସୀଙ୍ଗା ହେମ୍ରମ, ଯାଦବ ହେମ୍ରମ ଓ ଆୟୋଜକ ଆଦିବାସୀ କ୍ଲବର ସମ୍ପାଦକ ଶିଙ୍ଗରାଇ ବନରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ପ୍ରତ୍ୟେକ ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚ୍ ଖେଳାଳିଙ୍କୁ ବାନରା ଫାଉଣ୍ଡେସନ ପକ୍ଷରୁ ପୁରସ୍କୃତ କରାଯିବା ସହ ଏହି କ୍ରୀଡାବିତମାନଙ୍କୁ ଭାରତ ସରକାରଙ୍କ ସେନା ବାହିନୀରେ ଭର୍ତ୍ତି ହେବାପାଇଁ ସୁକିନ୍ଦା ଫିଜିକାଲ ଏକାଡେମୀ ପକ୍ଷରୁ ବିନା ମୂଲ୍ୟରେ ଆବଶ୍ୟକୀୟ ତାଲିମ ପ୍ରଦାନ କରାଯିବାକୁ ଫାଉଣ୍ଡେସନର ମୁଖ୍ୟ ଜଙ୍କ ବାନରା ଘୋଷଣା କରିଥିଲେ ।