ଇଫକୋ ଛକରେ "ଗୋଲେଇ ଛକ’ ନିର୍ମାଣ ଆରମ୍ଭ
ପାରାଦୀପ: ଜାତୀୟ ରାଜପଥ ଉପରେ ଇଫ୍କୋ ନିର୍ମାଣ କରିବାକୁ ଯାଉଛି ଏକ ଗୋଲେଇ ଛକ । ଯଦ୍ୱାରା ସର୍ବ ସାଧାରଣଙ୍କ ସମେତ ପରିବହନ ବ୍ୟବସାୟରେ ନିୟୋଜିତ ଗାଡ଼ିମୋଟର ଏଥିରେ ଉପକୃତ ହୋଇ ପାରିବେ । ପାରାଦୀପ ବିଧାୟକ ତଥା ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ଇଫକୋ କମ୍ପାନୀର ପରିଚାଳନା ନିଦେ୍ର୍ଦଶକ ଡକ୍ଟର ଉଦୟ ଶଙ୍କର ଅୱସ୍ତିଙ୍କ ଇଚ୍ଛା ଶକ୍ତି ବଳରେ ଏହା କେବଳ ସମ୍ଭବ ହୋଇପାରିଛି । ଜାତୀୟ ରାଜପଥରେ ପାରାଦୀପର ଦୋଛକି ଠାରୁ ଅଠର ବାଙ୍କୀ ପର୍ଯ୍ୟନ୍ତ ରାସ୍ତାରେ ଯାନବାହାନ ଚଳାଚଳ ଓ ସାଧାରଣ ଲୋକଙ୍କ ଯାତାୟାତରେ ଟ୍ରାଫିକ ବ୍ୟବସ୍ଥା ନ ଥିବାରୁ ଅନେକ ସମୟରେ ଦୁର୍ଘଟଣାମାନ ଘଟି ଅନେକ ନୀରିହ ଜୀବନ ଯିବା ସହ ଅନେକ ବେସାହାରା ମଧ୍ୟ ହୋଇ ଯାଇଛନ୍ତି । ଏପରିକି ୫କିଲୋମିଟର ବ୍ୟାପୀ ଏହି ଲମ୍ବା ରାସ୍ତା ମଧ୍ୟରେ ନା କେଉଁଠି ଅଛି ଡିଭାଇଡର୍ ନାଁ କେଉଁଠି ଅଛି ରୋଡ୍ ପାସର୍ । ୟୁଟର୍ନ୍ ମାରିବାକୁ ହେଲେ ଦୋଛକି ନ ହେଲେ ଅଠର ବାଙ୍କୀ ପର୍ଯ୍ୟନ୍ତ ଯିବାକୁ ପଡ଼ିଥାଏ । କିନ୍ତୁ ଛୋଟଗାଡ଼ି ଓ ଦୁଇଚକିଆ ଯାନ ପାଇଁ ରାସ୍ତା ମଝିରେ ଯେଉଁ ସବୁ ପ୍ୟାସେଜ୍ ରହିଛି ତାହା ଆଇନ୍ ସମ୍ମତ ନୁହେଁ କି ନିୟମ ଅନ୍ତର୍ଭୁକ୍ତ ନୁହେଁ । ରାସ୍ତା ପାର୍ଶ୍ୱରେ ବିଶାଳ ଜନବସତି ବିଜୟଚନ୍ଦ୍ରପୁର, ଉଦୟ ବିହାର, ତାରିଣୀ ଗଡା ପ୍ରଭୃତି ରହିଥିବା ବେଳେ ସେଥିରେ ରାସ୍ତା ଦୁଇ ପାର୍ଶ୍ୱକୁ ଶୃଙ୍ଖଳିତ ଟ୍ରାଫିକ୍ ନିୟନ୍ତ୍ରଣ କରିବା ପାଇଁ ସେପରି କିଛି ବିଦ୍ଧି ବ୍ୟବସ୍ଥା ନାହଁ । ଲୋକେ ମନଇଛା ନିଜ ସୁବିଧା ମୁତାବକ ରାସ୍ତା ମଝିରେ ବଳପୂର୍ବକ ଡିଭାଇଡର୍ କାଟି ପାସିଙ୍ଗ୍ ବନେଇଛନ୍ତି । କିନ୍ତୁ ଏଥିରେ ପାସ୍ କଲାବେଳେ କିଏ ଗାଡ଼ି ଚକା ତଳେ ନିଜ ଜୀବନ ହରାଇ ଲାଣି ତ ଆଉ କିଏ ଗାଡ଼ିକୁ ଗାଡ଼ି ପିଟି ହୋଇ ଜୀବନ ନେଲାଣି । ତେବେ ଏସବୁକୁ ଦୃଷ୍ଟି ରେ ରଖି ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଅନେକ ଆନେ୍ଦାଳନ ଚଳାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ତେବେ ଗତ ଅଗଷ୍ଟ ମାସ ୧୫ ତାରିଖରେ ଇଫକୋର ପରିଚାଳନା ନିଦେ୍ର୍ଦଶକ ଡକ୍ଟର ଉଦୟ ଶଙ୍କର ଅୱସ୍ତି ଓ ବୈଷୟିକ ନିଦେ୍ର୍ଦଶକ କେ.ଜେ ପଟେଲ୍ ୩ଦିନିଆ ଓଡିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସମେତ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କରିଥିଲେ । ଏହି ସମୟରେ ଇଫକୋର ପ୍ରବେଶ ପଥ ଓ ଜାତୀୟ ରାଜପଥରେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଶିଳ୍ପମନ୍ତ୍ରୀ ତଥା ପାରାଦୀପ ବିଧାୟକ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏ ନେଇ ମନ୍ତ୍ରୀ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଦଶ ଦେବା ସହିତ ଇଫକୋ ସହିତ ଆଲେଚନା କରି ତୁରନ୍ତ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏହି ପ୍ରସଙ୍ଗରେ ସରକାରୀସ୍ତରରେ ତତ୍ପରତା ପ୍ରକାଶ ପାଇବାରୁ ପାରାଦୀପ ଇଫକୋ ୟୁନିଟ୍ ହେଡ୍ ପ୍ରଦୀପ କୁମାର ମହାପାତ୍ର ଅତ୍ୟନ୍ତ ଆନ୍ତରିକତାର ସହ ତୁରନ୍ତ କାର୍ଯ୍ୟ ଆରମ୍ଭ ନେଇ ଉଦ୍ୟମ ଆରମ୍ଭ କରିଥିଲେ । ଯାହା ଫଳରେ ଗତ ରବିବାର ଶ୍ରୀଯୁକ୍ତ ମହାପାତ୍ର ନିଜର ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଏହି ବହୁ ପ୍ରତିକ୍ଷୀତ ଗୋଲେଇ ଛକର ଭୂମିପୂଜା କରିଥିଲେ । ଏହି ଭୂମିପୂଜାରେ ଇଫକୋ କମ୍ପାନୀର ୟୁନିଟ୍ ମୁଖ୍ୟ ପି କେ ମହାପାତ୍ର, ଜେନେରାଲ୍ ମ୍ୟାନେଜର (ପିଆଣ୍ଡ୍ଏ) କେ ମୋହନ ରାଓ, ସିଭିଲ ଡିପାର୍ଟ୍ ମେଣ୍ଟ୍ ମୁଖ୍ୟ ଏଏନ୍ ଓଝା, ମୁଖ୍ୟ ପରିଚାଳକ (ଏଚଆର) ବିଜୟ କୁମାର ପରିଡ଼ା, ଲୋକସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା, ଇଫକୋ ଅଫିସର୍ସ ଆସୋସିଏସନ୍ର ସଭାପତି ସୁଶାନ୍ତ କୁମାର ଜେନା ଓ ସମ୍ପାଦକ ସତ୍ୟଜିତ୍ ଖୁଣ୍ଟିଆଙ୍କ ସମେତ ଇଫକୋ କର୍ମଚାରୀ ସଂଘର ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁ, ସମ୍ପାଦକ ତୃପ୍ତି ରଞ୍ଜନ ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏହି କାର୍ଯ୍ୟକ୍ରମକୁ ତଦାରଖ କରିବା ସହିତ ତୁରନ୍ତ ଶେଷ କରିବାକୁ ସିଭିଲ ଡିପାର୍ଟ୍ମେଣ୍ଟ୍ର ମୁଖ୍ୟ ପରିଚାଳକ ଏସ୍.ଏନ୍ ପଟେଲ୍ଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।