ଇଫିଏଫଓ ସୁଧ ଅପରିବର୍ତ୍ତିତ ମିଳିବ ୮.୨୫% ସୁଧ
ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଇପିଏଫଓ ସୁଧ ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଇପିଏଫଓ୍ ଜମା ଉପରେ ସୁଧ ହାର ପୂର୍ବପରି ୮.୨୫ ପ୍ରତିଶତ ବଜାୟ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଶୁକ୍ରବାର କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(ଇପିଏଫ୍ଓ)ର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
୨୦୨୪ ମସିହା ଫେବୃଆରି ମାସରେ ଇପିଏଫ୍ଓ ୨୦୨୩-୨୪ ବର୍ଷ ପାଇଁ ସୁଧ ହାରକୁ ୮.୨୫ ପ୍ରତିଶତକୁ ବୃଦ୍ଧି କରିଥିଲା । ୨୦୨୨-୨୩ରେ ଏହି ସୁଧ ହାର ୮.୧୫ ପ୍ରତିଶତ ଥିଲା । ସେହିଭଳି ମାର୍ଚ୍ଚ ୨୦୨୨ରେ ଇପିଏଫଓ ୨୦୨୧-୨୨ ବର୍ଷ ପାଇଁ ଏହାର ୭ କୋଟିରୁ ଅଧିକ ଖାତାଧାରୀଙ୍କ ପାଇଁ ଇପିଏଫ ଉପରେ ସୁଧ ହ୍ରାସ କରି ୮.୧ ପ୍ରତିଶତ କରି ଦେଇଥିଲା, ଯାହା ଚାରି ଦଶନ୍ଧି ମଧ୍ୟରେ ସର୍ବନିମ୍ନ ସ୍ତର ଥିଲା । ୨୦୨୦-୨୧ରେ ଏହି ସୁଧ ହାର ୮.୫ ପ୍ରତିଶତ ଥିଲା । କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି), କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫଓ) ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଇପିଏଫଓ ସଞ୍ଚୟ ଉପରେ ବାର୍ଷିକ ୮.୨୫% ସୁଧ ହାର ସୁପାରିସ କରିଛି ।
କେନ୍ଦ୍ର ଶ୍ରମ ଓ ନିଯୁକ୍ତି ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିବିଟିର ୨୩୭ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଭାରତ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ଗ୍ରାହକଙ୍କ ଆକାଉଣ୍ଟକୁ ସୁଧ ଜମା କରିବ । ଇପିଏଫ ବେତନଭୋଗୀ ବ୍ୟକ୍ତିଙ୍କ ପାଇଁ ଏକ ଆକର୍ଷଣୀୟ ନିବେଶ ବିକଳ୍ପ ହୋଇ ରହିଛି କାରଣ ବାର୍ଷିକ ୮.୨୫% ରିଟର୍ଣ୍ଣ ପିପିଏଫ ସମେତ ସମସ୍ତ କ୍ଷୁଦ୍ର ସଞ୍ଚୟ ଯୋଜନା ଦ୍ୱାରା ପ୍ରଦାନ କରାଯାଉଥିବା ରିଟର୍ଣ୍ଣ ଠାରୁ ଭଲ ଅଟେ, ଯାହା ବାର୍ଷିକ ୭.୧% ସୁଧ ପ୍ରଦାନ କରିଥାଏ । ଇପିଏଫ ସଦସ୍ୟଙ୍କ ପରିବାର ପାଇଁ ଆର୍ଥିକ ନିରାପତ୍ତା ବୃଦ୍ଧି ଉଦେ୍ଦଶ୍ୟରେ କର୍ମଚାରୀ ଜମା ସଂଯୁକ୍ତ ବୀମା (ଇଡିଏଲଆଇ) ଯୋଜନାରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନକୁ ମଧ୍ୟ ଟ୍ରଷ୍ଟି ବୋର୍ଡ ଅନୁମୋଦନ କରିଛି । ଏହି ପରିବର୍ତ୍ତନ ଦ୍ୱାରା ବାର୍ଷିକ ୨୦,୦୦୦ରୁ ଅଧିକ ମାମଲା ଉପକୃତ ହେବ ବୋଲି ଆଶା କରାଯାଉଛି ।
୨୦୨୫ରୁ ଇପିଏଫଓ କେନ୍ଦ୍ରୀୟ ପେନସନ ବିତରଣ କରି ଏସବିଆଇର ନୂଆଦିଲ୍ଲୀ ଶାଖା ମାଧ୍ୟମରେ ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟରେ ଦେୟକୁ ସୁବ୍ୟବସ୍ଥିତ କରିଛି । କେବଳ ଜାନୁଆରିରେ ୬୯.୩୫ ଲକ୍ଷ ପେନସନଭୋଗୀଙ୍କୁ ୧୭୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି ବୈଠକରେ ନିଯୁକ୍ତିଦାତା ଓ କର୍ମଚାରୀ ପ୍ରତିନିଧି, କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଇପିଏଫ୍ଓ ଅଂଶଗ୍ରହଣ କରିଥିଲେ । ଅନୁମୋଦିତ ନିଷ୍ପତ୍ତିଗୁଡ଼ିକ ସମଗ୍ର ଭାରତରେ ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ଉପରେ ସରକାରଙ୍କ ନିରନ୍ତର ଧ୍ୟାନକୁ ପ୍ରତିଫଳିତ କରୁଛି ।