ଉଚ୍ଚ ଶିକ୍ଷା ପାଇଁ ବାଧକ ସାଜିଛି ଜଙ୍ଗଲ ରାସ୍ତା ଓ ଚେଙ୍ଗଯୋଡା ନାଳ 

 ଚମ୍ପୁଆ : ଅନେକ ସମୟରେ ଗାଁ ସ୍କୁଲର ଶିକ୍ଷା ଶେଷ କରିବା ପରେ ଉଚ୍ଚ ଶିକ୍ଷା ପାଇଁ ଗାଁ ଠାରୁ ଦୂରରେ ଥିବା ବିଦ୍ୟାଳୟକୁ ଯିବା ପାଇଁ ବିଭିନ୍ନ ସମସ୍ୟା ଉପୁଜୁ ଥିବାରୁ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଯାଇପାରୁ ନଥିବା ଦେଖିବାକୁ ମିଳିଛି । ବିଶେଷ ଭାବରେ ଗ୍ରାମାଂଚଳରେ ବସବାସ କରୁଥିବା ଛାତ୍ରଛାତ୍ରୀ ମାନେ ଏହି ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଯାହାର ଉଦାହରଣ ପାଲଟିଛନ୍ତି ରଂଜିତ ମୁଣ୍ଡାଙ୍କ କ୍ଷେତ୍ରରେ । ସୂଚନା ଅନୁସାରେ ଚମ୍ପୁଆ ବ୍ଲକ ଅଧିନସ୍ଥ କାଳିକାପ୍ରସାଦ ପଞ୍ଚାୟତର ବଶିରା ଗ୍ରାମର ଚତରି ସାହିରେ ବସବାସ କରୁଥିବା ସୁରେଶ ମୁଣ୍ଡାଙ୍କ ପୁଅ ରଂଜିତ ମୁଣ୍ଡା ଚଳିତ ବର୍ଷ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଶିରାରୁ ଅଷ୍ଟମ ଶ୍ରେଣୀ ପାସ୍ କରିଥିଲେ । ମାତ୍ର ନିଜ ଘର ଠାରୁ ଦୂରରେ ଥିବା ବିଦ୍ୟାଳୟରେ ନବମ ଓ ଦଶମ ପଢିବା ପାଇଁ ସାଧନ ଅଭାବରୁ ସେ ସକ୍ଷମ ହୋଇପାରୁ ନାହାଁନ୍ତି । ରଂଜିତଙ୍କ ଘର ଠାରୁ ରଜିଆ ଉଚ୍ଚ ବିଦ୍ୟାଳୟ ୭ କି.ମି.ଦୂର ହୋଇଥିବା ବେଳେ କାଳିକାପ୍ରସାଦ ଉଚ୍ଚ ବିଦ୍ୟାଳୟ ମୁଖ୍ୟ ରାସ୍ତା ଦେଇ ଗଲେ ୧୦ ରୁ ୧୧ କି.ମି ପଡୁଛି । ଅନ୍ୟପକ୍ଷରେ ରଜିଆ ଅଂଚଳରେ ବର୍ଷ ସାରା ହାତୀ ପଲଙ୍କ ଉପଦ୍ରବ ଲାଗିରହିଥିବା ବେଳେ ରଜିଆ ଉଚ୍ଚ ବିଦ୍ୟାଳୟ ଯିବାକୁ ହେଲେ ପ୍ରାୟ ୩ କି.ମି ଉଦ୍ଧ୍ୱର୍ ବାଟ ଜଙ୍ଗଲ ଦେଇ ଯିବାକୁ ପଡିବ । ଯାହା ଏକପ୍ରକାର ବିପଦ ସଂକୁଳ ଅଟେ । ଏ ନେଇ ବ୍ଲକ ଶିକ୍ଷା ଅଧିକାରୀ ନରେନ୍ଦ୍ର କୁମାର ନାଏକଙ୍କୁ ପଚାରିବାରୁ କହିଛନ୍ତି ଯେ ରଂଜିତକୁ ସରକାରୀ ବିଧି ବ୍ୟବସ୍ଥା ମଧ୍ୟରେ ଶିକ୍ଷା ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବ ବୋଲି ମତ ଦେଇଛନ୍ତି ।