ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା


 ଜଗତସିଂହପୁର : ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଅଧିକାର ଆଇନ୍ -୨୦୦୫ ଅନ୍ତର୍ଗତ ଏକ ସଚେତନତା କର୍ମଶାଳା  ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି  । ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଏହି କର୍ମଶାଳା ରେ ଅଧ୍ୟକ୍ଷତା କରି ସୂଚନା ଅଧିକାର ଆଇନ-୨୦୦୫କୁ ଅଧିକ ଲୋକାଭିମୁଖୀ କରିବା ନିମନ୍ତେ ରାଜ୍ୟ ସରକାରଙ୍କର ନିରନ୍ତର ପ୍ରୟାସ ଜାରି ରହିଛି ବୋଲି କହିଥିଲେ । ସାଧାରଣ ଜନତା ଏହି ଆଇନକୁ ସରଳ ଓ ସୁବିଧାଜନକ ଭାବେ ବ୍ୟବହାର କରି ବିଭିନ୍ନ ବିଭାଗର ତଥ୍ୟ ଉପଲବ୍ଧ କରିବା ପାଇଁ ବିଭାଗୀୟ ଦପ୍ତରଗୁଡିକୁ ନିଜର ସାଧାରଣ ତଥ୍ୟଗୁଡିକୁ ସୂଚନା ଅଧିକାର ପୋର୍ଟାଲରେ ନିଜ ଆଡୁ ସାର୍ବଜନୀନ କରି ପ୍ରକାଶ କରିବାର ବିଧି ରହିଛି  । ସରକାର ଉକ୍ତ ତଥ୍ୟକୁ ଇଂରାଜୀ ସହ ଓଡିଆରେ ପ୍ରକାଶ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ବୋଲି ଅତିରିକ୍ତ ଜିଲ୍ଲାପାଳ  ରାୟ ସୂଚନା ଦେଇଥିଲେ । ଏଥିନିମନ୍ତେ ଜନ ସୂଚନା ଅଧିକାରୀମାନେ ନିର୍ଭୁଲ ଭାବେ ଅବିଳମ୍ବେ ଏହି କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ସେମାନଙ୍କୁ ବିଶେଷ ପ୍ରଶିକ୍ଷଣର ଆବଶ୍ୟକତାକୁ ଉପଲବ୍ଧି କରି ଆଜିର ଏହି କର୍ମଶାଳା ଆୟୋଜିତ ହୋଇଛି ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି କର୍ମଶାଳାରେ ଯୋଗଦେଇ ଜନ ସୂଚନା ଅଧିକାରୀମାନେ ସୂଚନା ଅଧିକାର ଆଇନ୍-୨୦୦୫ର ଧାରା ୪(୧)(ଖ) ଅନୁଯାୟୀ ନିଜ ବିଭାଗର ସମସ୍ତ ତଥ୍ୟ ସୂଚନା ଅଧିକାର ୱେବସାଇଟରେ ଉଭୟ ଓଡିଆ ଓ ଇଂରାଜୀରେ ଅପଲୋଡ କରିବା ପାଇଁ ପରାମର୍ଶ ଦେଇଥିଲେ  । ବରିଷ୍ଠ ଆଇନଜୀବି ଧୀରେନ୍ଦ୍ରନାଥ ଆଚାର୍ଯ୍ୟ ମଧ୍ୟ ସୂଚନା ଅଧିକାର ଆଇନ ର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ମନରେ ଏ ସମ୍ପର୍କିତ ଦ୍ୱନ୍ଦକୁ ସେ ଦୂର କରିଥିଲେ  । ଜିଲ୍ଲାର ସମସ୍ତ ବ୍ଲକ, ତହସିଲ ତଥା ଅନ୍ୟାନ୍ୟ ବିଭାଗର ପ୍ରଥମ ଆପିଲେଟ ଅଥରିଟି ଓ ଜନ ସୂଚନା ଅଧିକାରୀ ଏହି କର୍ମଶାଳାରେ ଯୋଗ ଦେଇଥିଲେ  ।