ସୀମା ନିର୍ଦ୍ଧାରଣ ପୂର୍ବରୁ ବାଲି ଲୁଟ୍ର ସୀମା ଟପିଗଲେ ଲିଜଧାରୀ


 ଯାଜପୁର: କାଗଜପତ୍ର ହେଲା । ସୀମା ନିର୍ଦ୍ଧାରଣ ପରେ ଯାଇ ବାଲି ଉଠାଇବା କଥା । ହେଲେ ଲିଜଧାରୀ ସୀମା ନିର୍ଦ୍ଧାରଣ ହେବା ପୂର୍ବରୁ ଦୈନିକ ଶହଶହ ଟ୍ରିପ ବାଲି ଉଠାଇବାକୁ ଲାଗିଲେ । ଅଭିଯୋଗ ପରେ ଅଭିଯୋଗ ଗଲା ହେଲେ କେହି କିଛି ଶୁଣିଲେ ନି । ଅତିଶୟ ହେବା ପରେ ଦାନଗଦୀ ତହସିଲ ପକ୍ଷରୁ ବ୍ରାହ୍ମଣୀ ନଦୀର ପଙ୍କପାଳ ଖାଦାନରେ ଚଢାଉ କରି ୪ଟି ଗାଡ଼ି ଜବଦ କଲେ । ଜବଦ ସଂପର୍କରେ ଖଣି ବିଭାଗକୁ ଅବଗତ କରାଗଲା । 
ଅବଗତ ହେବା ପରେ ଖଣି ବିଭାଗ ଅଧିକାରୀ ପହଁଚି ଜବଦ ଗାଡ଼ିକୁ କଳିଙ୍ଗନଗର ଥାନାଜିମାତରେ ଦବା ସହ ଘାଟର ସୀମା ନିର୍ଦ୍ଧାରଣ କଲେ । କିନ୍ତୁ ଖଣି ବିଭାଗ ୪ଟି ଗାଡ଼ିକୁ ଥାନାକୁ ଦେବା ପରେ ଏକଥା ସ୍ପଷ୍ଟ ହେଲେ ଯେ ସୀମା ନିର୍ଦ୍ଧାରଣ ପୂର୍ବରୁ ଘାଟରୁ ବାଲି ଚାଲାଣ ହେଉଥିଲା । ହେଲେ ଆଶ୍ଚର୍ଯ୍ୟର କଥା ବାଲି ମେସିନ ଯୋଗେ ଖୋଳା ଏବଂ ବୋଝେଇ ହେଉଥିଲେ ହେଁ ସେଗୁଡ଼ିକୁ ଜବଦକରିବାକୁ କାହା ହାତ ଗଲାନି । ସୀମା ନିର୍ଦ୍ଧାରଣ ପରେ ପରେ ଯେଉଁ ଅଭିଯୋଗଟି ଅଞ୍ଚଳବାସୀଙ୍କ ପାଖରୁ ଆସୁଛି, ତାହା ବୋଲି କୁହାଯାଇପାରେ । ଅଭିଯୋଗ ହେଉଛି ଲିଜଧାରୀ ବାଲି ଲୁଟିବା ପାଇଁ ବ୍ରାହ୍ମଣୀ ନଦୀର ଗତିପଥକୁ ବଦଳାଇବା ଭଳି କାର୍ଯ୍ୟ କରିଛନ୍ତି । ଯାହା ବଢି ସମୟରେ ଭୟଙ୍କର ବିପଦ ଆଣିବାକୁ ଏଡ଼ାଇ ଦିଆଯାଇନପାରେ । ଯାହା ତଦନ୍ତ ସାପେକ୍ଷ । ହେଲେ ଖଣି ବିଭାଗ ଅଭିଯୋଗ ଉପରେ ତଦନ୍ତ କରିବ ତ? ଅଭିଯୋଗ ମତେ ଦାନଗଦୀ ତହସିଲ ଅନ୍ତର୍ଗତ ପଙ୍କପାଳ ବାଲି ଖାଦାନ-୧କୁ ଭୁବନେଶ୍ୱରର ଜନୈକ ଦିଲ୍ଲୀପ୍ କୁମାର ସାହୁ ୫ ବର୍ଷିଆ ଲିଜ୍ ସୁତ୍ରରେ ନେଇଛନ୍ତି । ଖାତାନମ୍ବର-୨୨୪ ଏବଂ ପ୍ଲଟ୍ ନମ୍ବର ୧୦୮୯ରେ ଥିବା ୧୨ଏକର ୩୦ଡେସିମିଲ୍ ପରିମିତ ଖାଦାନରୁ ବାଲି ତାଡିବା ପାଇଁ ସରକାରୀଙ୍କ ତରଫରୁ ଯାଜପୁର ମାଇନିଂ ଅଫିସରଙ୍କ ସହିତ ୨୦୨୪ ଏପି୍ରଲ୍ ୨୪ ତାରିଖରେ ଚୁକ୍ତିନାମା କରିଛନ୍ତି । ଯେଉଁଥିରେ ଲିଜ୍ଧାରୀ ନଦୀର ପ୍ରାକୃତିକ ସ୍ରୋତକୁ ବାଧା ନଦେବା, ସ୍ରୋତର ଗତିପଥ ପରିବର୍ତନ ନକରିବା, ବାଲି ଖନନ କାର୍ଯ୍ୟରେ କୈାଣସି ଯନ୍ତ୍ର ବା ମେସିନ୍ ବ୍ୟବହାର ନକରିବା, ଖନନର ପ୍ରଥମ ବର୍ଷ ୬ହଜାର କୁ୍ୟଭିକ୍ ମିଟରରୁ ଅଧିକ ଉତୋଳନ ନକରିବା ଠାରୁ ଆରମ୍ଭ କରି ଲିଜ୍ ଚିହ୍ନଟ ସ୍ଥାନ ପରିସରରେ ମାତ୍ର ୦.୬ ମିଟର ଅର୍ଥାତ୍ ୨ଫୁଟ୍ ଗଭିରତା ମଧ୍ୟରୁ ବାଲି ଉତୋଳନ କରିବା ଭଳି କଡା ସର୍ତ ରଖାଯାଇଥିଲା । ହେଲେ ଖଣି ବିଭାଗ ସୀମା ନିର୍ଦ୍ଧାରଣ କରି ନଥିଲେ । ଲିଜ ପାଇଥିବା ଲିଜଧାରୀ ସୀମା ନିର୍ଦ୍ଧାରଣକୁ ଅପେକ୍ଷା ନକରି ମନଇଛା ମେସିନ ଲଗାଇ ଉଠାଇ ଚାଲିଲେ ବାଲି  । ଅଭିଯୋଗ ମତେ ଲିଜ୍ ଏରିଆ ବାହାରେ ବଡବଡ ମେସିନ୍ ଲଗାଇ ୮ରୁ ୧୦ ଫୁଟ ଗଭୀର ଯାଏଁ ତାଡି ବେଫିକର ବାଲି ଉଠାଣ ହୋଇଛି । ବାଲି ଉଠାଣ ପାଇଁ ଲିଜଧାରୀ ମାଇନର୍ ମିନେରାଲ୍ କନ୍ସେସନ ରୁଲ୍ ଏବଂ ପରିବେଶ ବିଭାଗର ସମସ୍ତ କଟକଣାକୁ ଫୁ କରିଛନ୍ତି । ହେଲେ ଏଭଳି ଅଭିଯୋଗକୁ ଲଘୁ ଖଣିଜ ସମ୍ପଦର ସୁରକ୍ଷା ଦାୟିତ୍ୱରେ ଥିବା ଯାଜପୁର ସର୍କଲ ଡିଡିଏମ୍ ଜୟପ୍ରକାଶ ନାୟକ ଏବଂ ଦାନଗଦୀ ତହସିଲଦାର ଅଶୋକ ତ୍ରିପାଠୀ ସିମା ଚିହ୍ନଟ କରିବାକୁ ଯାଇଥିବା ବେଳେ ନଜରଅନ୍ଦାଜ କରିଛନ୍ତି ବୋଲି ହୋଇଛି ଅଭିଯୋଗ । ଖାଦାନ ଏରିଆ ବାହାରୁ ବେଧଡକ ବାଲି ଉଠାଣ ଯୋଗୁ ନଦୀ ମଝିରେ ବଡ଼ବଡ଼ ଖାଲ ସୃଷ୍ଟି ହୋଇଥିବା ବେଳେ  ସ୍ରୋତଗତିପଥ ପରିବର୍ତ୍ତନର ଆଶଙ୍କା ରହିଛି । ଯାହା ବନ୍ୟା ସମୟରେ ଭୟଙ୍କର ବିପଦ ସୃଷ୍ଟି କରିବାର ଆଶଙ୍କା ପ୍ରକାଶ ପାଇଛି ।