ଉଠିଯିବ କି ସୈନିକ ସ୍କୁଲ୍?

ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ଥିବା ସୈନିକ ସ୍କୁଲ୍ର ସ୍ଥିତି ନେଇ ଏକ ବିପଦ ଦେଖା ଦେଇଛି । ରାଜଧାନୀ ପ୍ରତିଷ୍ଠା ହେବା ପରେ ୧୯୬୨ ମସିହାରେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ଭୁବନେଶ୍ୱରରେ ସୈନିକ ସ୍କୁଲ୍ ସ୍ଥାପନ କରାଯାଇଥିଲା । ସେତେବେଳେ ଉକ୍ରଳ ବିଶ୍ୱବିଦ୍ୟାଳୟ ଏବଂ ସୈନିକ ସ୍କୁଲ୍ର ସୀମା ପରସ୍ପର ସହିତ ଲାଗିଥିଲା । ବିିଭିନ୍ନ ସମୟରେ ଜବରଦଖଲକାରୀମାନେ ଉକ୍ରଳ ବିଶ୍ୱବିଦ୍ୟାଳୟ ଓ ସୈନିକ ସ୍କୁଲ୍ର ମଝିରେ ଥିବା ଅଞ୍ଚଳକୁ ଦଖଲ କରିଗଲେ । ଏହା ଫଳରେ ସୈନିକ ସ୍କୁଲ୍ରେ ରହିଥିବା ଅଞ୍ଚଳ ଏବଂ ଉକ୍ରଳ ବିଶ୍ୱବିଦ୍ୟାଳୟରେ ରହିଥିବା ଅଞ୍ଚଳ ସଙ୍କୁଚିତ ହୋଇଗଲା । ଆଉ ଗତ କିଛିବର୍ଷ ହେଲା ଭୁବନେଶ୍ୱର ମହାନଗର ନିଗମର ଏକ ଅଳିଆଗଦା ଭାବରେ ସୈନିକ ସ୍କୁଲ୍ର ଉତ୍ତର-ପୂର୍ବ ପାଶ୍ୱର୍କୁ ବ୍ୟବହାର କରାଯାଉଛି । ଏହି ଅଳିଆଗଦା ଯୋଗୁଁ ସୈନିକ ସ୍କୁଲ୍ ଅଞ୍ଚଳରୁ ପ୍ରାୟ ୪୦୦ ଏକର ଜମି କମିଯାଇଛି । ବର୍ତ୍ତମାନ ଏହି ଅଳିଆଗଦାକୁ ନେଇ ବହୁ ରାଜନୀତିକ ବିବାଦ ମୁଣ୍ଡ ଟେକିଛି । ରାଜଧାନୀରେ ସୈନିକ ସ୍କୁଲ୍ ହେଉଛି ଏକ ମର୍ଯ୍ୟାଦାଜନକ ଶିକ୍ଷାନୁଷ୍ଠାନ । ଏହାକୁ ଅନ୍ୟସ୍ଥାନକୁ ଉଠେଇ ନେବା ପାଇଁ ରାଜନୀତିକ ଚକ୍ରାନ୍ତ କରାଯାଉଛି ବୋଲି ବିଜୁ ଜନତା ଦଳ ବର୍ତ୍ତମାନ ଅଭିଯୋଗ କରିଛି । ବିଜୁ ପଟ୍ଟନାୟକ ଏହି ପ୍ରତିଷ୍ଠାନକୁ ଭୁବନେଶ୍ୱରକୁ ଆଣିଥିବା ବେଳେ ବିଜୁ ପଟ୍ଟନାୟକଙ୍କ କୃତୀକୁ ନିଶ୍ଚିହ୍ନ କରିବା ପାଇଁ ବର୍ତ୍ତମାନର ବିଜେପି ସରକାର ଚେଷ୍ଟା କରୁଛି ବୋଲି ସେମାନଙ୍କ ଅଭିଯୋଗ । ରାଜଧାନୀର ଗୋଟିଏ ଅଳିଆଗଦାକୁ ସ୍ଥାନାନ୍ତର କରିବାରେ ବିଫଳ ହେଉଥିବା ସରକାର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନକୁ ହଟେଇ ଦେବାକୁ ବସିଛନ୍ତି ବୋଲି ସେମାନେ ନାନା ଉପାୟରେ କୁହା କରେଇଲେଣି । ଅନ୍ୟପକ୍ଷରେ ଅଳିଆଗଦାର ଅସ୍ୱାସ୍ଥ୍ୟକର ପରିବେଶକୁ ଦୃଷ୍ଟିରେ ରଖି ଏହାକୁ ହଟେଇବା ପାଇଁ ସରକାର ଚାହୁଁଥିବା ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି । ତେବେ ସାଲିଆ ସାହି ଭଳି ଏକ ବିରାଟ ଅଞ୍ଚଳ ସମ୍ପୂର୍ଣ୍ଣ ରୂପେ ଜବରଦଖଲରେ ରହିଥିବା ବେଳେ ଏଠାକାର ଲୋକଙ୍କୁ ରାଜନୀତିକ ଉଦେ୍ଦଶ୍ୟ ରଖି ଏବଂ ଭୋଟ୍ ବ୍ୟାଙ୍କ୍ ରାଜନୀତି କରି ସେମାନଙ୍କୁ ଉଠାଯାଉନାହିଁ । ସାଲିଆ ସାହିକୁ ଜବରଦଖଲମୁକ୍ତ କରାଗଲେ ରାଜଧାନୀ କ୍ଷେତ୍ର ମଧ୍ୟରେ ହଜାର ହଜାର ଏକର ପରିମିତ ଏକ ସ୍ଥାନ ବାହାରି ପାରିବ । ସେ ଦିଗରେ ପଦକ୍ଷେପ ନନେଇ ବିଜୁ ପଟ୍ଟନାୟକଙ୍କ ସ୍ମୃତିକୁ ଧ୍ୱଂସ କରି ଦେବା ପାଇଁ ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଉପରେ ଦୃଷ୍ଟି ପକାଯାଉଛି ବୋଲି ଅଳିଆଗଦା ଯୋଗୁଁ ଅତିଷ୍ଠ ଲୋକମାନେ ମଧ୍ୟ ଅଭିଯୋଗ ଆଣିଲେଣି । 
ଇତିମଧ୍ୟରେ ସୈନିକ ସ୍କୁଲ୍କୁ ଲାଗି ରହିଥିବା ବୀର ସୁରେନ୍ଦ୍ର ସାଏ ନଗର ବାସିନ୍ଦାମାନେ ସୈନିକ ସ୍କୁଲ୍କୁ ହଟାଇବା ପରିବର୍ତ୍ତେ ଅଳିଆଗଦାକୁ ହଟେଇବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି । ସୈନିକ ସ୍କୁଲ୍ର ପଛପଟୁ ଅଳିଆଗଦାକୁ ହଟେଇବା ପାଇଁ ବହୁବର୍ଷ ହେଲା ବୀର ସୁରେନ୍ଦ୍ର ସାଏ ନଗରବାସୀ, ଗଜପତି ନଗର, ଗାଡ଼କଣ ଆଦି ଅଞ୍ଚଳର ଲୋକେ ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି । କେବଳ ସେତିକି ନୁହେଁ ଏହି ଅଳିଆଗଦା ଠାରୁ ମଞ୍ଚେଶ୍ୱର ରେଳଡ଼ବା କାରଖାନା ପର୍ଯ୍ୟନ୍ତ ରହୁଥିବା ବାସିନ୍ଦାମାନେ ଦୀର୍ଘ ବର୍ଷ ହେଲା ଅଳିଆଗଦାର ସ୍ଥାନାନ୍ତର ଦାବି କରି ଆସୁଛନ୍ତି । ବର୍ତ୍ତମାନ ଏକ ସ୍ୱାଭିମାନର ପ୍ରଶ୍ନ ଉଠୁଛି ଯେ ଅଳିଆଗଦା ବାହାନାରେ ସୈନିକ ସ୍କୁଲ୍କୁ ସ୍ତାନାନ୍ତର କରାଯିବ ନା ଅଳିଆଗଦାକୁ ସ୍ଥାନାନ୍ତର କରାଯିବ? ଧୀରେ ଧୀରେ ଏହି ବିବାଦରେ ନୂଆ ନୂଆ ପକ୍ଷମାନେ ଯୋଗ ଦେଇ ମନ୍ତବ୍ୟ ରଖୁଥିବା ଦେଖାଗଲାଣି । ବର୍ତ୍ତମାନ ସରକାରଙ୍କର ପଦକ୍ଷେପ ଉପରେ ସମସ୍ତଙ୍କର ନଜର ରହିଛି ।  ଭୁବନେଶ୍ୱରରେ କେବଳ ଏହି ଗୋଟିଏ ଅଳିଆଗଦା ନୁହେଁ, ଅନେକ ଅଳିଆଗଦା ରହିଥିଲେ ମଧ୍ୟ ପ୍ରାୟତଃ ସବୁ ଗୁଡିକ ବିବାଦୀୟ ସ୍ଥିତିରେ ଅଛି । ନିକୋ ପାର୍କ୍ ନିକଟରେ ଥିବା ଅଳିଆଗଦା, ପୋଖରୀପୁଟ ଠାରେ ଥିବା ଅଳିଆଗଦା, କଳିଙ୍ଗନଗର ଅଞ୍ଚଳରେ ଥିବା ଅଳିଆଗଦା ଗୁଡି ଟ୍ରିଟ୍ମେଣ୍ଟ୍ ପ୍ଲାଣ୍ଟ୍ ଭାବରେ ପରିବର୍ତ୍ତିତ ହୋଇଛି । ଏଠାରେ ବୈଜ୍ଞାନିକ ପଦ୍ଧତିରେ ଅଳିଆ ପରିଚାଳନା ହେଉଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଅଧିବାସୀମାନେ ଦୁର୍ଗନ୍ଧରେ ରହିପାରୁନାହାନ୍ତି । ତେଣୁ ବିଏମ୍ସି ଅଳିଆ ପରିଚାଳନା କ୍ଷେତ୍ରରେ ସଫଳ ଭାବରେ ବୈଜ୍ଞାନିକ ପଦ୍ଧତିକୁ ଲାଗୁ କରିବା ଦିଗରେ ଚେଷ୍ଟା କରିବା ଆବଶ୍ୟକ । ଅଳିଆଗଦା ବାହାନାରେ ସୈନିକ ସ୍କୁଲକୁ ଅଣଦେଖା କରିବା ଅନୁଚିତ୍ ।