ଦୋଳ ପର୍ବ ଓ ଶ୍ରୀକୃଷ୍ଣ ତତ୍ତ୍ୱ
ଐତିହ୍ୟ ପରମ୍ପରାର ରାଷ୍ଟ୍ର ଭାରତରେ ବହୁ ପ୍ରାଚୀନ କାଳରୁ ହୋଲି ଓ ଦୋଳ ପର୍ବ ପାଳିତ ହୋଇ ଆସୁଛି । ଭଗବାନ କୃଷ୍ଣ ମଧ୍ୟ ଶ୍ରୀରାଧା ଓ ଗୋପୀଙ୍କ ସହ ରଙ୍ଗ ଖେଳୁଥିଲେ ବୋଲି ପୁରାଣରେ ବର୍ଣ୍ଣିତ ରହିଛି । ସେହିପରି ଫାଲଗୁନ ପୂର୍ଣ୍ଣମୀ ଦିନ ପାଳିତ ହେଉଥିବା ଦୋଳ ପର୍ବ ଓଡ଼ିଶାର ପରମ୍ପରା ଓ ଇତିହାସ ସହ ଅଙ୍ଗାଅଙ୍ଗି ଭାବେ ଜଡ଼ିତ । ଦୋଳପୂର୍ଣ୍ଣିମାର ପାଞ୍ଚଦିନ ପୂର୍ବରୁ ପଞ୍ଚୁ ଦୋଳ ଏବଂ ଦୋଳ ପୂର୍ଣ୍ଣିମା ପରେ ମଧ୍ୟ କେତେକ ସ୍ଥାନରେ ଏହି ପର୍ବ ପାଳିତ ହୋଇଥାଏ । ଦୋଳ ପର୍ବରେ ରାଧାଗୋବିନ୍ଦଙ୍କ ମେଲଣ ଅନୁଷ୍ଠିତ ହୋଇଥାଏ । ଭଗବାନ କୃଷ୍ଣ ଏବଂ ରାଧାଙ୍କୁ ବିମାନରେ ବସାଯାଇ ବୁଲାଯାଇଥାଏ । ଫଗୁ ଦଶମୀ ତିଥିରୁ ଆରମ୍ଭ ହୋଇଥିବା ଗୋବିନ୍ଦଙ୍କର ଯାତ୍ରା ଏବଂ ଗ୍ରାମ ପରିକ୍ରମା ଦୋଳ ପୂର୍ଣ୍ଣିମାରେ ଶେଷ ହୋଇଥାଏ । ଫଗୁ ଦଶମୀ ପର ଠାରୁ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଚାଚେରୀ ଲୀଳା ଆରମ୍ଭ ହୋଇ ଦୋଳ ପୂର୍ଣ୍ଣିମାରେ ମଧ୍ୟ ଅନୁଷ୍ଠିତ ହୋଇଥାଏ । ଦୋଳବିମାନରେ ମଦନମୋହନ ଓ ଲକ୍ଷ୍ମୀ, ସରସ୍ୱତୀ ଦୋଳବେଦୀକୁ ବିଜେ କରିଥାନ୍ତି । ଏମାନେ ପାଲିଙ୍କିରେ ବସି ପ୍ରତି ସନ୍ଧ୍ୟାରେ ଶ୍ରୀଜଗନ୍ନାଥ ବଲ୍ଲଭଙ୍କ ଉଦ୍ୟାନକୁ ଚାଚେରୀ ଖେଳିବାକୁ ଯାଆନ୍ତି । ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରି ଦୋଳବେଦୀରେ ପହଞ୍ଚôବା ପରେ ଫଗୁ ଲାଗି ହୋଇଥାଏ ।
ଜୀବନ ଯେତେବେଳେ ଇଷ୍ଟଗୁରୁଙ୍କ (ଶ୍ରୀକୃଷ୍ଣ) ପ୍ରତି ଅନୁରାଗବଦ୍ଧ ହୋଇ ଉଠେ ଓ ପ୍ରଭୁଙ୍କର ଆଦିଷ୍ଟ ଚଳନରେ ଚାଲେ, ସେତେବେଳେ ଆଉ ଭ୍ରାନ୍ତି ଆସେନାହିଁ । ରାସଲୀଳା ହେଉଛି ଏହାର ଇଙ୍ଗିତ । ଜୀବକୁଳ ଯଦି ଏହି ଭାବରେ କୁଳମାଲିକଙ୍କୁ କେନ୍ଦ୍ର କରି ସୁତାଳ ଚଳନରେ ଚାଲନ୍ତି ତେବେ ଆଉ ଦିଗ୍ଭ୍ରାନ୍ତ ହେବାର ସମ୍ଭାବନା ନଥାଏ ।
ଏହି କେନ୍ଦ୍ରାୟିତ ଆବର୍ତ୍ତନ ସୃଷ୍ଟିର ସୂକ୍ଷ୍ମାତିସୂକ୍ଷ୍ମ ପର୍ଯ୍ୟାୟରେ ଏକ ଏଟମ୍ ଭିତରେ ମଧ୍ୟ ନିହିତ ଅଛି । ସେଠାରେ ମଧ୍ୟ ଏକ ପ୍ରୋଟନ୍କୁ କେନ୍ଦ୍ର କରି ଚାଲିଛି ଇଲେକ୍ଟ୍ରନର ଆବର୍ତ୍ତନ । ଶ୍ରୀ ଶ୍ରୀ ଠାକୁର କଥା ପ୍ରସଙ୍ଗରେ ଦିନେ କହିଲେ - ଭଗବାନ ଶ୍ରୀକୃଷ୍ଣଙ୍କର ରାସଲୀଳା ଏହି ଏଟମ୍ ଭିତରେ ନିତ୍ୟ ଗତିଶୀଳତାର ଅଭିବ୍ୟକ୍ତି । ଏକ ଏଟମ୍ର କେନ୍ଦ୍ରାୟିତ ଆବର୍ତ୍ତନ ଯେଭଳି ସେହି ଏଟମ୍କୁ ଧରି ରଖିବାରେ ସାହାଯ୍ୟ କରେ, ଭାଙ୍ଗିଯିବାକୁ ଦିଏ ନାହିଁ, ସେହିପରି ଜୀବନକୁ ସୁସଂସ୍ଥ ଓ ସୁସଂବଦ୍ଧ କରି ରଖିବାକୁ ହେଲେ ଆବଶ୍ୟକ ଜୀବନର କୁଳମାଲିକ ବା ଇଷ୍ଟଗୁରୁଙ୍କ ପ୍ରତି ଅଚୁ୍ୟତ ନିଷ୍ଠାନନ୍ଦିତ ସୁକେନେ୍ଦ୍ରିକ ଅନୁଚଳନ । ଏହି ଚଳନରେ ହିଁ ଜାଗି ଉଠେ ବ୍ୟକ୍ତିତ୍ୱ, ଜୀବନ ହୁଏ ଆନନ୍ଦମୟ ଓ ସେହି ଦିବ୍ୟ ଚଳନର ଦ୍ୟୋତକ ହିଁ ରାସଲୀଳା । ଶ୍ରୀକୃଷ୍ଣଙ୍କର ଲୀଳାକାଳରେ ଏକ ବିଶେଷ ଅଂଶ ଘଟେ ବୃନ୍ଦାବନରେ । ସେଠାରେ ସେ ବହୁ ଅସୁର ମାନଙ୍କର ନିଧନ କରି ବହୁ ଶରଣାଗତଙ୍କୁ ରକ୍ଷା କରିଛନ୍ତି । ଏହି ବୃନ୍ଦାବନ ହେଉଛି ଏକ ସ୍ଥାନର ନାମ । ଶ୍ରୀକୃଷ୍ଣ ବୃନ୍ଦାବନକୁ ଏତେ ଭଲପାନ୍ତି ଯେ ସେ ବୃନ୍ଦାବନ ପରିତ୍ୟାଗ କରି ଅନ୍ୟତ୍ର ଯିବାକୁ ଚାହାଁନ୍ତି ନାହିଁ - ବୃନ୍ଦାବନଂ ପରିତ୍ୟାଜ୍ୟ ପାଦମେକଂ ନ ଗଚ୍ଛାମି । କିନ୍ତୁ ବୃନ୍ଦାବନ ବାଲ୍ୟଲୀଳା ପରେ ମଧ୍ୟ ଶ୍ରୀକୃଷ୍ଣ ଲୀଳା କରିଛନ୍ତି ମଥୁରା, ହସ୍ତିନାପୁର ଓ ଦ୍ୱାରକାରେ । ଏହି ପ୍ରସଙ୍ଗରେ ଦୟାଲ ଶ୍ରୀ ଶ୍ରୀ ଠାକୁର କହିଛନ୍ତି - ବୃନ୍ଦାବନ ଶବ୍ଦ ଭିତରେ ଅଛି ବୃନ୍ଦ ଓ ଅବନ । ବୃନ୍ଦ ମାନେ ସମୂହ - ବିଶ୍ୱଜଗତର ସବୁକିଛି । ଅବନ ଆସିଛି ଅବ୍ ଧାତୁ ଠାରୁ ମାନେ ରକ୍ଷା କରିବା ।
ପ୍ରୀତିପୂର୍ଣ୍ଣ ପାରସ୍ପରିକ ସେବା, ଦରଦ ଓ ସହାନୁଭୂତି ନେଇ ଯେଉଁମାନେ ବସବାସ କରନ୍ତି ସେମାନେ ବୃନ୍ଦା । ଆଉ ବନ ଶବ୍ଦସ୍ଥିତ ବନ୍ ଧାତୁ ମାନେ ବିସ୍ତାର । ତେଣୁ ବୃନ୍ଦାବନ ଅର୍ଥ ହେଲା ପ୍ରୀତିକାରୀ ଯେଉଁଠାରେ ବିସ୍ତାର ଲାଭ କରନ୍ତି । ପ୍ରେମ ଯାହାର ଅନ୍ତରରେ ରହିଛି ସେମାନଙ୍କ ଚିତ୍ତ ଉଦାର ହୁଏ, ସବୁ ପ୍ରକାର ସଂକୀର୍ଣ୍ଣତାର ବାଡ଼ ଭାଙ୍ଗି ସେମାନଙ୍କ ପ୍ରାଣର ପ୍ରସାର ଘଟେ । ତେଣୁ ଶ୍ରୀ ଶ୍ରୀ ଠାକୁର କହିଲେ ବୃନ୍ଦାବନର ଦୁଇଟି ଅର୍ଥ - ଗୋଟିଏ ହେଉଛି ଜୀବନୀ ସଂରକ୍ଷଣୀ ନୀତିବିଧି ଓ ଅନ୍ୟଟି ହେଲା ପ୍ରୀତିପ୍ରେମର ଆବାସଭୂମି । ପରମପୁରୁଷ ଯିଏ ନର ଦେହରେ ଈଶ୍ୱରଙ୍କର ଜୀବନ୍ତ ବେଦୀ, ସେ ମନୁଷ୍ୟକୁ ଏହି ଦୁଇଟି ବିଷୟକୁ ଆଶ୍ରୟ କରି ଜୀବନ ପଥରେ ଚାଲିବା ପାଇଁ ଉଦ୍ବୁଦ୍ଧ କରନ୍ତି । ଶ୍ରୀ ଶ୍ରୀ ଠାକୁର କହିଲେ - ଯଜନ ଯାଜନ ଇଷ୍ଟଭୃତି, କରିଲେ କାଟେ ମହାଭୀତି । ଭଗବତ୍ ଗୀତାରେ ଶ୍ରୀକୃଷ୍ଣ କହିଲେ - ନମେ ଭକ୍ତ ପ୍ରଣଶ୍ୟତି ।
ଡା.ଉମେଶ ଚନ୍ଦ୍ର ପାତ୍ର
ମୋ: ୯୪୩୭୦୫୧୯୫୭