ଉମାଶଙ୍କର ପ୍ରସାଦ : ବର୍ତ୍ତମାନ ସମାଜରୁ ପ୍ରଜ୍ଞାର ଆଲୋକ ଧୀରେ ଧୀରେ ନିର୍ବାପିତ ହେବାକୁ ବସିଲାଣି । ତେଣୁ ସମସ୍ତେ ବସ୍ତୁବାଦୀ ହୋଇ ବସ୍ତୁର ଆଲୋକରେ ସଜାଇବା ଆରମ୍ଭ କଲେଣି । ଉପରୋକ୍ତ ମହାବୀରଙ୍କ ବାଣୀ ଆଜି ସମାଜରେ ଘଟୁଅଛି । ଆମର ବିଶାଳ ଦେଶ ଭାରତ ଯାତ୍ରା ଓ ଉତ୍ସବର ଦେଶରୂପେ ପୃଥିବୀରେ ପରିଚିତ । ଯଦିଓ ଭାରତରେ ଅନେକ ପର୍ବପର୍ବାଣି ଅନୁଷ୍ଠିତ ହୁଏ, ତଥାପି ଦୀପାବଳିର ମହତ୍ତ୍ୱ ସର୍ବୋଚ୍ଚ ଓ ମହନୀୟ । ଜାତୀୟ ପର୍ବ ଦୀପାବଳିର ପାଳନ ମୂଳରେ ଅନେକ ପୈାରାଣିକ କାହାଣୀ ଓ ପ୍ରସଙ୍ଗ ଥିଲେ ସୁଦ୍ଧା ରାମଚନ୍ଦ୍ରଙ୍କର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ସୁଖଦ ସ୍ମୃତି ଓ ରାମାଭିଷେକ ପର୍ବ ଜଡିତ । ବିଜୟାଦଶମୀ ରାମଙ୍କର ଅସତ୍ୟ ଉପରେ ସତ୍ୟର ବିଜୟ ଉତ୍ସବଭାବେ ପାଳନ କରାଯାଇଥିବାବେଳେ ତାହାର ପୂର୍ଣ୍ଣତା ପ୍ରତିଭାତ ହୁଏ କାର୍ତ୍ତିକ ଅମାବାସ୍ୟାରେ ରାମଚନ୍ଦ୍ରଙ୍କ ଅଭିଷେକୋତ୍ସବରେ । ରାବଣ ରୂପୀ ଅନ୍ଧକାରକୁ ନାଶକରି ଅଯୋଧ୍ୟାକୁ ଫେରିଥିବା ଆଲୋକରୂପୀ ସତ୍ୟନିଷ୍ଠ ରାମଚନ୍ଦ୍ରଙ୍କୁ ରାଜପଦରେ ଅଭିଷିକ୍ତ କରି ଅଯୋଧ୍ୟାବାସୀ ଏହି ଉତ୍ସବକୁ ଆନନ୍ଦ ମୁଖର କରିବାପାଇଁ ଦୀପାଲୋକର ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ପାଳନ କରିଥିଲେ ।
ପୁରାଣ ବର୍ଣ୍ଣିତ ଭୀତତ୍ରସ୍ତ, ଶରଣା ପନ୍ନ ଦେବଗଣଙ୍କ ନିମିତ ଭଗବାନ ଶ୍ରୀକୃଷ୍ଣ ମହାପ୍ରତାପୀ ନରକାସୁରକୁ ବିନାଶ କରି ପୃଥ୍ୱୀଭାର ଉଶ୍ୱାସ କରିଥିଲେ । ନରକଦ୍ୱାରା ବନ୍ଦିନୀ ଷୋଳସହସ୍ର ସୁନ୍ଦରୀ କନ୍ୟାକୁ ମୁକ୍ତି ଦେଇ ସେମାନଙ୍କୁ ସସମ୍ମାନେ ଦ୍ୱାରକାକୁ ପଠାଇଥିଲେ । ଫଳରେ ସମସ୍ତିଙ୍କ ହୃଦୟ ଆନନ୍ଦ ମୁଖରିତ ହେବା ସହ ଏହା “ନରକୋତ୍ସବ” ନାମରେ ନାମିତ ହେଲା । ଲୋକେ ଖତ ଗଦାରେ କାଉଁରିଆ କାଠିରେ ଅଗ୍ନି ସଂଯୋଗ କରିବା ସହ ଆଲୋକରେ ତାକୁ ଓ ତାର ପୁତ୍ର ଭଗଦତ୍ତର ସିଂହାସନ ଆରୋହଣକୁ ଆନନ୍ଦରେ ଅଭିନନ୍ଦନ ଜଣାନ୍ତି । କରାଳ ବଦନା କାଳୀମାତାଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୁଏ । ଆସୁରିକ ଶକ୍ତିର ବିନାଶ ସହ ସମଗ୍ର ପୃଥିବୀରେ ଶାନ୍ତି ସ୍ଥାପନ ପାଇଁ ମହାକାଳୀଙ୍କର ଆବିର୍ଭାବ ଅତ୍ୟନ୍ତ ପ୍ରତୀକାତ୍ମକ, ଅଭିନନ୍ଦନୀୟ ଏବଂ ଆଜିର ବିଶ୍ୱ ପରିସ୍ଥିତି ପାଇଁ ପ୍ରାସଙ୍ଗିକ । ଉତ୍କଳରେ ଏହି ଦୀପାବଳି ଦିନ ପିତୃ ପୁରୁଷଙ୍କ ଉଦେ୍ଧଶ୍ୟରେ ଦୀପଦାନ ଶ୍ରାଦ୍ଧ କରାଯାଏ । ପିତୃଲୋକର ସନ୍ତୋଷ ତଥା ନିଜର ଶାରୀରିକ ଓ ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ଦୀପଦାନ କରଣୀୟ । ପିତୃ ପୁରୁଷଙ୍କ ସ୍ମୃତି·ରଣ ଓ ପୂଜାର୍ଚ୍ଚନା ନିମନ୍ତେ କାର୍ତ୍ତିକ ଅମାବାସ୍ୟା ତିଥି ଶ୍ରେଷ୍ଠ ବୋଲି ବହୁ ପ୍ରାଚୀନ କାଳରୁ ବିଶ୍ୱାସ ରହିଅଛି । କାର୍ତ୍ତିକ ମାସ ସାରା ପ୍ରତି ଘରେ ଘରେ ଆକାଶ ଦୀପ ଜଳି ଉଠିବା ସହ ପିତୃ ପୁରୁଷଙ୍କ ସ୍ମୃତି ଓ ସମ୍ମାନକୁ ହୃଦୟରେ ଅନିର୍ବାପିତ ରଖି ସାଂସାରିକ ଅନ୍ଧକାରକୁ ସାମ୍ନା କରିବାପାଇଁ । ଆମମାନଙ୍କର ପିଲାବେଳର କୈାତୁହଳୀ ମନପାଇଁ ଆକାଶଦୀପ ଥିଲା ଏକ ରହସ୍ୟମୟ ମହାଜାଗତିକ ପ୍ରଦୀପନ । ମୋଗଲ ସମ୍ରାଟ ଆକବର ହିନ୍ଦୁ ସଂସ୍କୃତିର ଏହି ମହାନ ପର୍ବକୁ ସମ୍ମାନ ଦେବାସହ ତାଙ୍କର ଦୈାଲତଖାନା ସମ୍ମୁଖରେ ·ଳିଶ ଫୁଟ ଲମ୍ବ ବିଶିଷ୍ଟ ଗୋଟିଏ ବାଉଁଶ ପୋତାଯାଇ ସେଥିରେ ଷୋହଳଟି ଦଉଡି ଯୁକ୍ତହୋଇ ବାଉଁଶର ଅଗ୍ରଭାଗରେ ଗୋଟିଏ ମାଟିପାତ୍ର ମଧ୍ୟରେ ପ୍ରଦୀପ ରାତିସାରା ଜଳୁଥାଏ । ଯାହା ଆକବରଙ୍କ ସର୍ବଧର୍ମ ପ୍ରୀତିର ସ୍ମାରକରୂପେ ବରୋଦା ମ୍ୟୁଜିୟମ୍ରେ ରଖାଯାଇଛି । କିନ୍ତୁ ଦୁଃଖର ସହ କହିବାକୁ ପଡୁଛି ଆଜିକାର ପିଢି ଏ ଆକାଶଦୀପକୁ ଦେଖିବା ପ୍ରାୟ ସ୍ୱପ୍ନ ହୋଇଛି ।
ଇତିହାସ ପୃଷ୍ଠା ଉନ୍ମୋଚନ କଲେ ଦୀପାବଳିର ମହତ୍ତ୍ୱ ଓ ବୈଚିତ୍ର ପରିଦୃଷ୍ଟ ହୁଏ । ଭାରତବର୍ଷ ଭଳି ଧର୍ମନିରପେକ୍ଷ ଦେଶରେ ଏହି ଦୀପାବଳି ପର୍ବକୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପାଳନ କରିଥାନ୍ତି । ଯାହାକୁ “ଆଇନ-ଇ-ଆକବରୀ”ରେ ମୋଗଲ ଯୁଗର ଖ୍ୟାତନାମା ଆବୁଲ ଫାଜଲ ଦୀପାବଳି ବା ଦିୱାଲି ପର୍ବର ଉଲ୍ଲେଖ କରିଛନ୍ତି । ମୁସଲମାନ ସଂପ୍ରଦାୟରେ ମଧ୍ୟ ପ୍ରଦୀପ ପ୍ରଜ୍ଜ୍ୱଳନ ଏକ ଅଭିନ୍ନ ଅଂଶ । ଏହିଦିନ ଉଜ୍ଜୟନୀର ରାଜା ବିକ୍ରମାଦିତ୍ୟ ସିଂହାସନାରୋହଣ କରିଥିଲେ । ଗୁପ୍ତାବ୍ଦ ମଧ୍ୟ ଏହି ଦୀପାବଳିରୁ ପ୍ରବର୍ତ୍ତିତ । ପରିବ୍ରାଜକ ଆଲବେରୁଣୀ ଦୀପାବଳି ସଂପର୍କରେ ସୁନ୍ଦର ବିବରଣୀ ଦେଇଛନ୍ତି । ହର୍ଷବର୍ଦ୍ଧନଙ୍କ ନାଗାନନ୍ଦ ନାଟକରୁ ଦୀପାବଳିକୁ “ଦୀପପ୍ରତିପଦୁତ୍ସବ” ବୋଲି ଉଲ୍ଲେଖ କରାଯାଇଛି । ଜୈନ ବଣିକ ଗୋଷ୍ଠୀ ଧନଦାତ୍ରୀ ଲକ୍ଷ୍ମୀଙ୍କ ପୂଜା ଏହିଦିନ ଅନୁଷ୍ଠାନ କରନ୍ତି । ଏହି ଦୀପାବଳି ସହ ମହାବୀରଙ୍କ ମୋକ୍ଷଲାଭ ସ୍ମୃତି ବିଜଡିତ । ଏହିପରି ଐତିହାସିକ ଦୃଷ୍ଟିକୋଣକୁ ନେଇ ଦୀପାବଳି ଭାରତରେ ପାଳିତ ହୋଇ ଆସୁଛି ।
ପ୍ରକୃତ ଅର୍ଥରେ ଏହି ଆଲୋକପର୍ବ ଦୀପାବଳି ଅନ୍ଧକାର ଉପରେ ବିଜୟ ପର୍ବ । ଆବାଳ ବୃଦ୍ଧ ବନିତା ସମସ୍ତେ ମାଟି ଦୀପରେ ତେଲ ସଳିତା ଦେଇ ଧନୀ, ଦରିଦ୍ର ନିର୍ବିଶେଷରେ ଘରେ ଘରେ ଜଳାଇଥାନ୍ତି ସାନ ସାନ ମଙ୍ଗଳପ୍ରଦୀପ । ଆଲୋକ ଶିଖା କ୍ଷୁଦ୍ର ହେଉ ବା ବିଶାଳ ହେଉ ସେଥିରେ ଅହଂଙ୍କାର ନ ଥାଏ । ନିଜେ ଜଳି ସାରା ସମାଜକୁ ଆଲୋକିତ କରିବାରେ ସେ ପାଇଥାଏ ଅସୀମ ଆନନ୍ଦ । ସବୁ କ୍ଷୁଦ୍ରାତିକ୍ଷୁଦ୍ର ଦୀପ ଶୀଖାର ଆଲୋକ ଏକତ୍ରିତ ହୋଇ କାର୍ତ୍ତିକ ଅମାରାତ୍ରର ଘନ ଅନ୍ଧକାରକୁ ଆଲୋକିତ କରିଥାନ୍ତି । ଯାହାର ଅନ୍ତର୍ନିହିତ ଉଦ୍ଦେଶ୍ୟ ହେଉଛି ଜଗତର ମଙ୍ଗଳ କାମନା କରିବା । ନେପାଳ ରାଜ୍ୟରେ ଏହି ପର୍ବ ପାଂଚ ଦିନ ଧରି ପାଳନ କରାଯାଇଥାଏ । ଏକବିଂଶ ଶତାବ୍ଦୀରେ ଏହି ଦୀପଦାନ ଉତ୍ସବରେ ରାତ୍ରର ଆଲୋକ ସଜ୍ଜା, ବାଣ ରୋଶଣିର ଆଡମ୍ବରପୂର୍ଣ୍ଣ ପର୍ବରେ ପରିଣତ ହୋଇଛି । ଅହଙ୍କାର ଓ ଦର୍ପର ଶବ୍ଦ ଏହି ପର୍ବକୁ ଦୀପଦାନ ପରିବର୍ତ୍ତେ ବାଣ ଫୁଟାଇ ପ୍ରତିଯୋଗିତାରେ ପରିଣତ କରିଛନ୍ତି । ଏହି କାନଫଟା ଶବ୍ଦ ହୃଦୟ କନ୍ଦରରେ ଆତଙ୍କ ସୃଷ୍ଟି କରିବାସହ ମନେ ହୁଏ ସତେ ଯେପରି ଅନ୍ଧାର ରାତିରେ ଆତଙ୍କବାଦର କମାଣ ଗର୍ଜନ । ଏହି ପର୍ବ ଏବେ ଅର୍ଥ ଧ୍ୱଂସର ପର୍ବ, ଯେଉଁ ଧନକୁ ଆମେ ଲକ୍ଷ୍ମୀ ମାନିଥାଉ ତାକୁ ବିନିମୟ କରି ପୋଡିବାରେ ଆମେ ଆନନ୍ଦ ପାଇଥାଉ । ଏବଂ ଏ ପର୍ବକୁ ଆଲୋକର ପର୍ବରୁ ଦୂରେଇ ଦେଇ ‘ଶବ୍ଦ ପ୍ରଦୂଷଣ’ ଓ ‘ବାୟୁ ପ୍ରଦୂଷଣ’ ପର୍ବରେ ପରିଣତ କଲୁଣି । ଏ ଅଧମ ଲେଖକର ଲେଖା ଯେ ସମାଜରୁ ଏପରି ଅନୈତିକ ଭାବଧାରାକୁ ରୋକିପାରିବ ବା ବାଣ କାରଖାନା ଯେ ବନ୍ଦ ହୋଇଯିବ ଏହା ଭାବିବା ନିଜର ଧୃଷ୍ଟତା ମାତ୍ର, କିନ୍ତୁ ସମସ୍ତ ଜ୍ଞାନୀଗୁଣୀ ବିବେକୀ ଛାତ୍ରଛାତ୍ରୀ, ଗୁରୁଜନମାନଙ୍କୁ ଏତିକି ନିବେଦନ ଆମ ଭାରତୀୟ ମହା ସଂସ୍କୃତିକୁ ସଠିକ୍ଭାବେ ପାଳନ କଲେ ସମାଜ ତଥା ଦେଶର କଲ୍ୟାଣ ସାଧିତ ହେବ । ଅମାବାସ୍ୟାର ଆମ ଅନ୍ଧକାର ଭିତରେ ଆମମାନଙ୍କର ବସ୍ତୁର ଆଲୋକ ସଜ୍ଜା କ୍ଷଣିକ ମାତ୍ର ଆନନ୍ଦ ଦେଇଥାଏ, ମାତ୍ର ଆମ ପାଖରେ ଥିବା ପ୍ରଜ୍ଞାର ଆଲୋକ ନିର୍ବାପିତ ହୋଇଯାଇଥାଏ । ମନେ ପଡିଯାଏ ଜ୍ଞାନପୀଠ ବିଜୟୀନି ବାଗ୍ମୀ ଲେଖିକା ପ୍ରତିଭା ରାୟଙ୍କର ଗୋଟିଏ ଆଲେଖ୍ୟ ଯେଉଁଥିରେ ସେ ନିଜକୁ ଅସହାୟ ମନେକରି ଲେଖିଥିଲେ ଆମର ଦେଶକୁ ଆତଙ୍କବାଦୀଙ୍କ ଲୋଲୁପ ଦୃଷ୍ଟିରୁ ତଥା ଆମର ସୁରକ୍ଷାପାଇଁ ସୀମାନ୍ତରେ ବିନିଦ୍ର ରଜନୀ ବିତାଉଥିବା ଯୋଗୁ ଆମେ ଶାନ୍ତି ନିଦକ ଶୋଇପାରୁଛୁ । ସେମାନଙ୍କ ପ୍ରତି,ଦେଶପ୍ରତି ଓ ବୀର ସହିଦଙ୍କ ପ୍ରତି ଆମର ସମ୍ମାନ ପ୍ରଦର୍ଶନ କରିବାର ଅବକାଶ ହେଉଛି ଆଜିର ଆଲୋକ ପର୍ବ । ଏହି ପର୍ବର ଦୀପଶିଖା ନିଜେ ଜଳି ସୁଦ୍ଧା ଅନ୍ୟକୁ ଆଲୋକିତ କରିଥାଏ ଯାହାକୁ ଆମର ବୀର ଯବାନମାନେ ପ୍ରକୃତ ଅର୍ଥରେ ପାଳନ କରିଥାନ୍ତି, “ଆମ ସମସ୍ତିଙ୍କ ଭିତରେ ଦେଶପ୍ରେମ ଉଣା ଅଧିକେ ଅଛି । ଆମେ ସମସ୍ତେ ଈଶ୍ୱର ବିଶ୍ୱାସୀ” । ଗାନ୍ଧିଜୀଙ୍କ ଭାଷାରେ ଦେଶକୁ ଈଶ୍ୱରଙ୍କ ସ୍ଥାନରେ ରଖ, ଦେଖିବ ସମସ୍ତେ ଜଣେ ଜଣେ ଦେଶଭକ୍ତ ପାଲଟିଯିବେ ।
ଆମର ଜାତୀୟ ପର୍ବ ଦୀପାବଳି ଭାରତୀୟ ସାଂସ୍କୃତିକ ଜୀବନର ବାର୍ତ୍ତାବହ । ଓଡିଶା ଭଳି ଏକ କୃଷି ପ୍ରଧାନ, ଧର୍ମ ପ୍ରଧାନ ଓ ପର୍ବପର୍ବାଣି ପ୍ରଧାନ ରାଜ୍ୟରେ ଏହାର ଗୁରୁତ୍ୱ ଅବିସ୍ମରଣୀୟ । ଏ ଅଧମ ଲେଖକ ପୁନଶ୍ଚ ଏହି ଲେଖା ମାଧ୍ୟମରେ ମୋର ସମସ୍ତ ରାଜ୍ୟବାସୀଙ୍କୁ ଅନ୍ତରର ନିଭୃତ କୋଣରୁ ବିନମ୍ର ନିବେଦନ କରୁଛି ଏ ବର୍ଷର ଆଲୋକର ପର୍ବକୁ ବାସ୍ତବ ଅର୍ଥରେ ଅନ୍ଧକାର ନାଶ ପର୍ବରେ ପାଳନ କରିବାପାଇଁ ସଂଘବଦ୍ଧ ହୁଅନ୍ତୁ ଓ ଏକତାର ହାତ ମିଳାନ୍ତୁ । ବହୁ ଅର୍ଥ ବ୍ୟୟ କରି ଆତସବାଜି ଫୁଟାଇ ପରିବେଶକୁ ଦୂଷିତ କରିବା ପରିବର୍ତ୍ତେ ଉକ୍ତ ଧନରାଶିକୁ ଦେଶର ସୁରକ୍ଷା ପାଣ୍ଠିକୁ ଅଯାଚିତ ଭାବେ ଦାନକଲେ ଏହା ହିଁ ହେବ ପିତୃପୁରୁଷଙ୍କ ପ୍ରତି ନମ୍ର ଶ୍ରଦ୍ଧାଞ୍ଜଳି ଓ ମା’ ମହାଶକ୍ତି କାଳୀଙ୍କ ପ୍ରତି ଅନନ୍ୟ ପ୍ରଣିପାତ । ସମସ୍ତେ ନିଜକୁ ସଚେତନ କରି ପ୍ରତ୍ୟେକ ବୟସ୍କ ବ୍ୟକ୍ତି ନିଜ ନିଜର ପିଲାମାନଙ୍କୁ ଏହି ପର୍ବର ମହନୀୟତା ବୁଝାଇବା ଦରକାର ଫଳରେ ସମାଜ ରାଜ୍ୟ ତଥା ଦେଶ ହସି ଉଠିବ ।
ଖୋର୍ଦ୍ଧା
ମୋ:୬୩୭୦୬ ୭୫୫୬୨