ଉତ୍ତରାଖଣ୍ଡ ହିମସ୍ଖଳନ ମୃତୁ୍ୟ ସଂଖ୍ୟା ୮
ଡେରାଡୁନ: ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଶୁକ୍ରବାର ମନା ଗ୍ରାମରେ ଥିବା ବିଆରଓ କ୍ୟାମ୍ପରେ ହିମସ୍ଖଳନ ପରେ ଉଦ୍ଧାରକାରୀ ଦଳ ରବିବାର ଆଉ ୪ ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ମୃତକଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ସନ୍ଧାନୀ କୁକୁର, ଥର୍ମାଲ ଇମେଜିଂ କ୍ୟାମେରା ଏବଂ ହେଲିକପ୍ଟର ସହାୟତାରେ ଦିଲ୍ଲୀରୁ ଅଣାଯାଇଥିବା ଗ୍ରାଉଣ୍ଡ-ପେନେଟ୍ରେଟିଂ ରାଡାର (ଜିପିଆର) ବ୍ୟବହାର କରି ସେନା ସର୍ଚ୍ଚ ଅପରେସନ ଚଳାଇଛି । ପାଟ୍ରୋଲିଂ ଓ ସର୍ଚ୍ଚ ପ୍ରୟାସ ପାଇଁ ସେନାର ୩ଟି ୟୁନିଟ୍ ମୁତୟନ କରାଯାଇଥିଲା ।
ସୀମା ସଡ଼କ ସଂଗଠନ (ବିଆରଓ)ର ଜଣେ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ସହ ରବିବାର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆଉ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପରେ ନିଖୋଜ ଶ୍ରମିକଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଥିଲା । ପାଣିପାଗର ଆହ୍ୱାନ ସତ୍ତ୍ୱେ ଦଳଗୁଡ଼ିକର ସଂକଳ୍ପ ଉପରେ ଆଲୋକପାତ କରି ଜଣେ ଉଦ୍ଧାରକାରୀ ଅଧିକାରୀ କହିଛନ୍ତି, "ଅବଶିଷ୍ଟ ଶ୍ରମିକମାନଙ୍କୁ ଖୋଜିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଶ୍ରମିକମାନେ ରହୁଥିବା ୩ଟି ନିଖୋଜ କଣ୍ଟେନରକୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ଅଭିଯାନ ଆରମ୍ଭ କରିଥିଲେ । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ନନ୍ଦ କିଶୋର ଯୋଶୀ କହିଛନ୍ତି, "୫ଟି କଣ୍ଟେନର ଠାବ କରାଯାଇଛି, କିନ୍ତୁ ୬ ଫୁଟରୁ ଅଧିକ ବରଫପାତ ହେତୁ ୩ଟି କଣ୍ଟେନର ଠାବ ହୋଇନାହିଁ । ଶୁକ୍ରବାର ସକାଳ ସାଢେ ୫ଟାରୁ ୬ଟା ମଧ୍ୟରେ ମାନା ଓ ବଦ୍ରିନାଥ ମଧ୍ୟରେ ଥିବା ସୀମା ସଡ଼କ ସଂଗଠନ (ବିଆରଓ) କ୍ୟାମ୍ପରେ ହିମସ୍ଖଳନ ଘଟି ୫୫ ଜଣ ଶ୍ରମିକ ୮ଟି କଣ୍ଟେନର ଓ ଏକ ସେଡ୍ ଭିତରେ ପୋତି ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ଶୁକ୍ରବାର ରାତି ସୁଦ୍ଧା ୩୩ ଜଣ ଓ ଶନିବାର ୧୭ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ବର୍ଷା ଓ ତୁଷାରପାତ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ହିମାଚଳ ପ୍ରଦେଶର ଜଣେ ଶ୍ରମିକ ନିଜ ମାଲିକଙ୍କୁ ନ କହି ଅନଧିକୃତ ଛୁଟିରେ ଥିବାରୁ ହିମସ୍ଖଳନ ପ୍ରଭାବିତ ଶ୍ରମିକଙ୍କ ସଂଖ୍ୟା ୫୫ରୁ ୫୪କୁ ହ୍ରାସ ପାଇଛି । ୪୬ ଜଣ ଶ୍ରମିକଙ୍କୁ ଯୋଶୀମଠସ୍ଥିତ ସାମରିକ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ମେରୁଦଣ୍ଡରେ ଆଘାତ ଲାଗିଥିବା ଜଣେ ଶ୍ରମିକଙ୍କୁ ଏୟାରଲିଫ୍ଟ କରି ଋଷିକେଶ ଏମ୍ସକୁ ଅଣାଯାଇଥିବା ସେନା ଡାକ୍ତରମାନେ କହିଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଲେଫ୍ଟନାଣ୍ଟ କର୍ଣ୍ଣେଲ ଡିଏସ୍ ମାଲଧ୍ୟା କହିଛନ୍ତି । ଅନ୍ୟପକ୍ଷରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଉତ୍ତରାଖଣ୍ଡ ରାଜ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟର ପରିଦର୍ଶନ କରି ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସୂଚନା ନେଇଛନ୍ତି । ଘଟଣାସ୍ଥଳରେ ଭାରତୀୟ ସେନା, ଆଇଟିବିପି, ଏନଡିଆରଏଫ, ଏସଡିଆରଏଫ ଏବଂ ଅନ୍ୟାନ୍ୟ ରିଲିଫ ଓ ଉଦ୍ଧାରକାରୀ ଦଳ ଯୁଦ୍ଧକାଳୀନ ଭିତ୍ତିରେ କାମ କରିଥିଲେ । ଆଜି ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି ।