କେନ୍ଦ୍ରମନ୍ତ୍ରୀଙ୍କ ଝିଅଙ୍କୁ ଅସଦାଚରଣ ! 

ନୂଆଦିଲ୍ଲୀ:  “ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସୁରକ୍ଷିତ ନୁହନ୍ତି କେନ୍ଦ୍ରମନ୍ତ୍ରୀଙ୍କ ପରିବାର । ଏପରି ସ୍ଥିତିରେ ଜଣେ ସାଧାରଣ ଲୋକ କେମିତି ସୁରକ୍ଷା ଆଶା କରିବ?” ମହାରାଷ୍ଟ୍ର ଜଳଗାଓଁ ଜିଲ୍ଲାର କୋଥାଲି ଗାଁରେ ଅନୁଷ୍ଠିତ ପାରମ୍ପରିକ ସନ୍ତମୁକ୍ତାଇ ଯାତ୍ରାରେ ଯୋଗ ଦେବାକୁ ଆସିଥିବା କେନ୍ଦ୍ରମନ୍ତ୍ରୀ ରକ୍ଷା ଖଡ୍ସେଙ୍କ ଝିଅ କିଛି ଦୁର୍ବୃତ୍ତଙ୍କ ଦ୍ୱାରା ଅସଦାଚାରଣର ସମ୍ମୁଖୀନ ହେବା ପରେ ମହାରାଷ୍ଟ୍ର ସରକାରକୁ ନିଶାନା କରି ଏଭଳି କହିଛନ୍ତି ରକ୍ଷା । ତେବେ କେନ୍ଦ୍ରମନ୍ତ୍ରୀଙ୍କ ଝିଅଙ୍କ ଅଭିଯୋଗ ଆଧାରରେ ମୁକ୍ତାଇନଗର ପୁଲିସ୍ ୭ ଜଣଙ୍କ ନାଁରେ ଏକ ମାମଲା ରୁଜୁ କରି ସେମାନଙ୍କ ମଧ୍ୟରୁ ଜଣେ ଦୁର୍ବୃତ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ସୋହମ ମଲି ହୋଇଥିବା ବେଳେ ତା ସହିତ ଆଉ କେଉଁମାନେ ଜଡ଼ିତ ଥିଲେ ତାହାକୁ ନେଇ ପଚରାଉଚରା ଜାରି ରଖିଛି ପୁଲିସ୍ । ବିଏନ୍ଏସ୍ (ଭାରତୀୟ ନ୍ୟାୟ ସଂହିତା) ପୋକ୍ସୋ ଆକ୍ଟ ଅଧୀନରେ ବିନା ଅନୁମତିରେ ଫଟୋ ଓ ଭିଡିଓ ଉତ୍ତୋଳନକୁ ନେଇ ଏହି ମାମଲା ରୁଜୁ କରାଯାଇଛି ।
କେନ୍ଦ୍ରମନ୍ତ୍ରୀ ରକ୍ଷା ଖଡ୍ସେ କହିଛନ୍ତି ଯେ, ଶୁକ୍ରବାର ଦିନ ସେ ଗୁଜରାଟର ଏକ କାର୍ଯ୍ୟକ୍ରମରେ ଥିବା ବେଳେ ତାଙ୍କ ଝିଅ ତାଙ୍କୁ ଉପରୋକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କହିଥିଲେ । କିନ୍ତୁ ରକ୍ଷା ଏଥିରେ ପ୍ରତିବାଦ କରିବା ସହ ଯଦି ଯିବାକୁ ପଡ଼େ ତେବେ ସୁରକ୍ଷା କର୍ମୀଙ୍କ ସହ ଯିବାକୁ କହିଥିଲେ । କିନ୍ତୁ ତାଙ୍କ ନାବାଳିକା ଝିଅ ତାଙ୍କର କିଛି ବନ୍ଧୁଙ୍କ ସହିତ ସେଠାକୁ ଯାଇଥିଲେ । ସେଠାରୁ ପୂର୍ବରୁ ପ୍ରସ୍ତୁତି ହୋଇଥିବା କିଛି ଦୁର୍ବୃତ୍ତ ସେମାନଙ୍କୁ ଅନୁସରଣ କରି ଯାତ୍ରାରେ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ । ୩୦ରୁ ୪୦ ଜଣ ଯୁବକ ଏକାଠି ହୋଇ ତାଙ୍କ ଫଟୋ ଓ ଭିଡିଓ ଉତ୍ତୋଳନ କରିବା ସହ ତାଙ୍କ ପ୍ରତି ଅସଦାଚାରଣ କରିଥିଲେ । ରକ୍ଷା ଏହା ମଧ୍ୟ କହିଛନ୍ତି ଯେ, ସମ୍ପୃକ୍ତ ଦୁର୍ବୃତ୍ତମାନେ ପୂର୍ବରୁ ଫେବ୍ରୁଆରୀ ୨୪ରେ ଅନୁଷ୍ଠିତ ଆଉ ଏକ କାର୍ଯ୍ୟକ୍ରମରେ ମଧ୍ୟ ଦୁର୍ବ୍ୟବହାର କରିଥିଲେ । ଅପରପକ୍ଷେ ଏ ଘଟଣାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ୍ ତୀବ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସମସ୍ତ ଦୁର୍ବୃତ୍ତଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଫଡ଼ନଭିସ୍ କହିଛନ୍ତି ଯେ, ଏହା ନିଶ୍ଚିତ ଭାବେ ଅତ୍ୟନ୍ତ ଘୃଣ୍ୟ କାର୍ଯ୍ୟ ଏବଂ କିଛି ଦଳୀୟ ପଦାଧିକାରୀ ଏପରି କରିଛନ୍ତି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଏ ମାମଲାରେ ସେମାନଙ୍କୁ କ୍ଷମା କରାଯିବ ନାହିଁ, କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।