ଉନ୍ନୟନ ମୂଳକ ପ୍ରକଳ୍ପର ସ୍ଥିତି ପରଖିଲେ ମନ୍ତ୍ରୀ
ବାରିପଦା/ସାରସକଣା : ଓଡିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୟୂରଭଞ୍ଜ ଜିଲ୍ଲାକୁ ୨ଦିନିଆ ଗସ୍ତ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷଚନ୍ଦ୍ର ମହାପାତ୍ର, ଲୋକ ସଭା ସାଂସଦ ନବ ଚରଣ ମାଝୀ, ରାଜ୍ୟ ସଭା ସାଂସଦ ମମତା ମହାନ୍ତ, କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବୁରୁ, ସାରସକଣା ବିଧାୟକ ଭାଦବ ହାଁସଦା, ଉଦଳା ବିଧାୟକ ଜଲେନ ନାଏକ, ବାଙ୍ଗରିପୋଷୀ ବିଧାୟକ ସୁଶ୍ରୀ ସଞ୍ଜଳୀ ମୁର୍ମୁଙ୍କ ସମେତ ଜିଲ୍ଲାପାଳ ହେମ କାନ୍ତ ସୟ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି ଯୋଗ ଦେଇଥିଲେ । ବୈଠକରେ ଜିଲ୍ଲାରେ ପୂର୍ତ୍ତ ବିଭାଗର ୨ଟି ଡିଭିଜନ ଯଥା ବାରିପଦା ଓ ରାଇରଙ୍ଗପୁର, ଏନଏଚ ଏବଂ ଏନଏଚଏଆଇ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଯଥା ରାସ୍ତା, ପୋଲ, ଗୃହ ନିର୍ମାଣ ଇତ୍ୟାଦି ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ।
ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ ବା ସମ୍ପୂର୍ଣ୍ଣ ହେବାରେ ଯାହା ଯାହା ପ୍ରତିବନ୍ଧକ ଅଛି ସେ ସମ୍ପର୍କରେ ଆଲୋଚନା କରାଯାଇ ଏହାର ସମାଧାନ କିପରି ହେବ ସେ ସମ୍ଭନ୍ଧରେ ପରାମର୍ଶ ଦେଇଥିଲେ । ଏଥି ସହିତ ଜିଲ୍ଲାରେ ଆଗକୁ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ଗୁଡିକ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଗ୍ରାମ୍ୟ ସଡକ ଗୁଡିକ ପୂର୍ତ୍ତ ବିଭାଗ କୁ ହସ୍ତାନ୍ତର ହେବାକୁ ଅଛି, ତୁରନ୍ତ ତାହାର ଏକ ତାଲିକା ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ଜିଲ୍ଳାରେ ପ୍ରକଳ୍ପ ଗୁଡିକ କାର୍ଯ୍ୟକାରିତାର ଅଗ୍ରଗତି ନେଇ ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହ ଲୋକଙ୍କ ମୌଳିକ ଆବଶ୍ୟକତା ଗମନାଗମନର ସୁବିଧା ପାଇଁ ଦାୟିତ୍ୱର ସହିତ ପ୍ରକଳ୍ପ କାର୍ଯ୍ୟ ଗୁଡିକ ଧାର୍ଯ୍ୟ ସମୟ ଅବଧି ଭିତରେ ସମ୍ପୂର୍ଣ୍ଣ କରିବାକୁ ଅଧିକାରୀ ମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ ।