ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ
ବୁଗୁଡା : ବୁଗୁଡ଼ା ସହର ମୁଖ୍ୟ ସଡକର ଉଭୟ ପାର୍ଶ୍ୱସ୍ଥ ଡ୍ରେନକୁ ଅତିକ୍ରମ କରି କିଛି ବ୍ୟକ୍ତି ଜବର ଦଖଲ କରିଥିବାରୁ ଯାନବାହାନ ପାର୍କିଂ ସାଙ୍ଗକୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଥିଲା । ଯାହାଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏଥିସହ ମୁଖ୍ୟ ସଡକର ଉଭୟ ପାର୍ଶ୍ୱରେ ସମ୍ପ୍ରସାରଣ ଦିଗରେ ମଧ୍ୟ ବାଧକ ସାଜିଥିଲା । ତେବେ ଆଜି ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ ଅଭିଯାନ ସ୍ଥାନୀୟ ଶକ୍ତିନଗର ପଟରୁ ଆରମ୍ଭ ହୋଇଥିଲା । ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ୍ ଉପର ପର୍ଯ୍ୟନ୍ତ ମାଡି ଆସିଥିବା ବେଆଇନ ନିର୍ମାଣକୁ ବୁଲଡୋଜର ଦ୍ୱାରା ପୁଲିସ୍ ଛାଉଣୀ ମଧ୍ୟରେ ଭଙ୍ଗା ଯାଇଥିଲା । ପ୍ରଶାସନିକ ଜବର ଦଖଲ ହଟାଇବା କାର୍ଯ୍ୟ ହାଇସ୍କୁଲ ଛକ ପର୍ଯ୍ୟନ୍ତ ଏକପ୍ରକାର ଚାଲିଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ମୁହଁ ଦେଖା କାରବାର ହେଲା ଭଳି କାର୍ଯ୍ୟ ହେବାର ଅଭିଯୋଗ ଦେଖାଦେଲା । ଅନେକ ସ୍ଥାନରେ ଲୋକେ ସ୍ୱତଃପ୍ରବୃତ୍ତ ଭାବେ ଜବରଦଖଲରୁ ହଟିଯାଇଥିଲା ବେଳେ କେତେକ ସ୍ଥାନରେ ଲୋକେ ପ୍ରଶାସନକୁ ନାଲିଆଖି ଦେଖାଇ କିମ୍ବା ଆଇନ ପାଠ ପଢାଇ ସୁବିଧା ହାସଲ କରିଥିଲେ । ଏଥିଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖାଦେଇଥିଲା । ଆଜି ଶକ୍ତିନଗର ଠାରୁ ମଦନ ମୋହନ ଛକ ନିକଟ ପର୍ଯ୍ୟନ୍ତ ଜବର ଦଖଲ ଉଚ୍ଛେଦ କାର୍ଯ୍ୟ ହୋଇଥିବାବେଳେ ଆସନ୍ତାକାଲି ପୁଣି ଏହି କାମ ବୁଦ୍ଧଖୋଲ ଛକ ପର୍ଯ୍ୟନ୍ତ ହେବାକୁ ଥିବା ନେଇ ଆଶା କରାଯାଇଛି । ଆଜିର ଏହି ଜବରଦଖଲ ଉଚ୍ଛେଦ ଅଭିଯାନବେଳେ ସ୍ଥାନୀୟ ତହସିଲ ଓ ପୋଲିସ ପ୍ରଶାସନ ସମେତ ପୂର୍ତ୍ତ ବିଭାଗ କର୍ମଚାରୀ ସାମିଲ ଥିଲେ ।