ଋଷିଆରେ ଶକ୍ତିଶାଳୀ ଭୂକମ୍ପ ପରେ ସୁନାମୀ

 ଭୂକମ୍ପ ପରେ ମାଡ଼ି ଆସିଲା ସୁନାମୀ। ରୁଷିଆରେ ଶକ୍ତିଶାଳୀ ଭୂକମ୍ପ ଝଟକା ପରେ ୪ ମିଟର ଉଚ୍ଚ ସମୁଦ୍ର ପାଣି ମାଡ଼ି ଆସିଛି। କାମଚଟକାରେ ମାଡ଼ି ଆସିଲା ସୁନାମୀ । କେବଳ ରୁଷିଆ ନୁହେଁ ଜାପାନର ୧୬ଟି ସ୍ଥାନରେ ବି ସମୁଦ୍ରର ଜୁଆର ମାଡ଼ି ଆସିଛି। ସୁନାମୀ ପାଇଁ ଫୁକୁସିମା ପରମାଣୁ କେନ୍ଦ୍ରକୁ ବନ୍ଦ କରାଯାଇଛି। ଆଜି ସକାଳୁ ରୁଷିଆରେ ତୀବ୍ର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୮ ଦଶମିକ ୮ ରହିଛି। ଭାରତୀୟ ସମୟ ଭୋର ୪ଟା ୫୪ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରୁଷରେ ୨୪ ଘଣ୍ଟାରେ ୨ ଶହ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି।  ଭୂମିକମ୍ପ ପରେ ରୁଷ, ଜାପାନ ଓ ଆମେରିକାରେ ସୁନାମୀ ଆଲର୍ଟ ଜାରି କରାଯାଇଛି । ସମୁଦ୍ରରେ ତିନି ମିଟର ଉଚ୍ଚର ଜୁଆର ଉଠିବା ସମ୍ଭାବନା ରହିଛି । ଯାହା ଦ୍ବାରା ଅନେକ ଅଞ୍ଚଳ ପ୍ରଭାବିତ ହେବା ଆଶଙ୍କା ରହିଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଅପିଲ କରାଯାଇଛି। ୧୯୫୨ ମସିହା ପରେ ରୁଷର କାମଚଟକାରେ ଏପରି ଶକ୍ତିଶାଳୀ ଭୂମିକମ୍ପ ଦେଖିବାକୁ ମିଳିଛି । ଜାପାନର ପ୍ରଧାନମନ୍ତ୍ରୀଙ୍କୁ ସ୍ଥିତି ନେଇ ଅବଗତ କରାଯାଇଛି। ସରକାରଙ୍କ ପକ୍ଷରୁ ଜରୁରୀକାଳୀନ ବୈଠକ ଡକାଯାଇଛି। ଉଦ୍ଧାରକାର୍ୟ୍ୟ  ତ୍ବରାନ୍ବିତ କରିବା ପାଇଁ ପ୍ରସ୍ତୁତି ହୋଇଛି।