‘ଆଇନ୍‌ଶୃଙ୍ଖଳା ଚୁଲିକି ଗଲାଣି’

ଭୁବନେଶ୍ୱର : ପୁଲିସ ପ୍ରଶାସନରେ ରାଜନୀତିକ ହସ୍ତକ୍ଷେପ ବଢ଼ିବାରେ ଲାଗିଛି । ଡିଜି, ଏସପି ଓ ଆଇଆଇସି ଦାରୁଭୂତ ମୁରାରୀ ପାଲଟି ଯାଇଛନ୍ତି । ଥାନାରେ ବିଜେପି କର୍ମୀ ବସୁଛନ୍ତି  । ସରକାରଙ୍କ ନୀତି ଓ ଉଦ୍ଦେଶ୍ୟ ମହତ୍‌ ନୁହେଁ  । ମୁଖ୍ୟମନ୍ତ୍ରୀଙ୍କୁ ଭୁଲ୍‌ ବାଟରେ ପରିଚାଳିତ କରାଯାଉଛି  । ଆଇନଶୃଙ୍ଖଳା ଚୁଲିକି ପଳାଇଗଲାଣି । ଏଭଳି ଢଙ୍ଗରେ ବିଜେଡ଼ି ସରକାରଙ୍କୁ ତୀବ୍ର ସମାଲୋଚନା କରିଛି । ଅପରପକ୍ଷରେ ଏହାର ଜବାବ ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଲେଯେ, ପୂର୍ବ ସରକାରଙ୍କ ଲଗାମ ଜଣେ ଅଣଓଡ଼ିଆଙ୍କ ହାତରେ ରହିଥିଲା  । ମୋହନ ସରକାର ଅପରାଧିଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି  । ଅପରାଧ ଘଟିବାର କିଛି ସମୟ ମଧ୍ୟରେ ଅପରାଧିଙ୍କୁ ବାନ୍ଧି ଜେଲ୍‌ ପଠାଇ ଦିଆଯାଉଛି  । ରାଜ୍ୟରେ ଅପରାଧ କମିଛି  । ଦଣ୍ଡ ବିଧାନ ହାର ବଢ଼ିଛି  । ପୁଲିସରେ ଖାଲିଥିବା ପଦବୀ ପୂରଣ ଉପରେ ବି ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଥିଲେ  ।


ମୁଲତବୀ ଆଲୋଚନା ଆରମ୍ଭ କରି ବିଧାୟକ ପ୍ରତାପ କେଶରୀ ଦେବ କହିଲେଯେ, ଆଇନଶୃଙ୍ଖଳାକୁ ନେଇ ସରକାର ଦିଶାହୀନ ଓ ଚିନ୍ତାଧାରାହୀନ  । ଅପରାଧିର କୌଣସି ଦଳ ନାହିଁ  । ପୁଲିସର ନୈତିକ ମନୋବଳ କମୁଛି  । ଆଇନଶୃଙ୍ଖଳା ଚୁଲିକୁ ଗଲାଣି  । ପୁଲିସ୍‌ ଚାପରେ ଅଛି, ମୁକ୍ତ ଭାବେ କାମ କରୁନାହିଁ  । ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି  । ମନ୍ତ୍ରୀ ଯାହା କହିବେ ସେହି ଅନୁସାରେ ଆଇନ୍‌ ଯିବ । ଏସପି, ଆଇଆଇସି ଏବେ ଦାରୁଭୂତ ମୁରାରୀ  । ପୁଲିସ୍‌ ତ ବାଲି ଗାଡ଼ି ପଛରେ ଗୋଡ଼ାଉଛି  । ଏମିତି ହେଲେ ପୁଲିସ୍‌ ଟଙ୍କା ଆଦାୟ କରିବ ନା ଆଇନଶୃଙ୍ଖଳା ରକ୍ଷା କରିବ  । ସରକାରଙ୍କ ନୀତି ଓ ଉଦ୍ଦେଶ୍ୟ ମହତ୍‌ ନୁହେଁ  । ବିଧାନସଭା ସାମ୍ନାରେ ବି କଡର଼୍ନ କରାଯାଉଛି  । ରାଜନୀତିକ ହସ୍ତକ୍ଷେପ ଯୋଗୁଁ ପୁଲିସ୍‌ ଦୁର୍ବଳ ହୋଇଯାଉଛି  । ଅପରାଧିଙ୍କର ଭୟ ରହୁନି  । ମୁଖ୍ୟମନ୍ତ୍ରୀଙ୍କୁ ଭୁଲ୍‌ ବାଟରେ ପରିଚାଳିତ କରାଯାଉଛି ବୋଲି ପ୍ରତାପ କହିଥିଲେ  । ବିଧାୟକ ବ୍ୟୋମକେଶ ରାୟ କହିଥିଲେଯେ, ରାଜ୍ୟପାଳଙ୍କ ପୁଅଙ୍କ ମାଡ଼ ପ୍ରସଙ୍ଗ, ରଥଯାତ୍ରା ଦଳାଚକଟା, ମେଜରଙ୍କୁ ମାଡ଼ ଘଟଣା, ସହଦେବ ନାୟକ, ପାଣିକୋଇଲି ହତ୍ୟାକାରୀ, ମଣପୁରମ୍ମ ସୁନା ଚୋରି ପ୍ରସଙ୍ଗରେ ସରକାର କିଛି କହୁନାହାନ୍ତି  । ବିଜେପି କର୍ମୀ ଥାନାରେ ବସୁଛନ୍ତି । ପୁଲିସଙ୍କୁ ଧକ୍କା ମାରି ଥାନାରୁ ନେଇ ଯାଉଛନ୍ତି  । ମୁଖ୍ୟମନ୍ତ୍ରୀଙ୍କୁ ବଦନାମ୍‌ କରାଯାଉଛି  । ଚୋରି ଡକାୟତି ସୀମା ଟପିଗଲାଣି  । ଲୋକେ ପୁଲିସ ଉପରେ ରାଗି ପିଟିଲେଣି  । ପୁଲିସ୍‌ ଏବେ ଲୁଚିକି ଦୌଡୁଛନ୍ତି  । ରାଜନୀତିକ ହସ୍ତକ୍ଷେପ ବନ୍ଦ କରାଯାଉ ବୋଲି ସେ କହିଥିଲେ  । ବିଧାୟକ ଶାରଦା ଜେନା କହିଥିଲେଯେ, ଆଇନଶୃଙ୍ଖଳାକୁ ହାଲ୍‌କା ଭାବେ ନେଲେ ପୁଲିସ୍‌ ବି ହାଲ୍‌କା ହୋଇଯିବ  । ଧର୍ମଶାଳା, ଆଠଗଡ଼ ଓ ମୟୁରଭଞ୍ଜରେ ବିଧାୟକଙ୍କ ଉପରେ ଆକ୍ରମଣ ହେଉଛି  । ଶାସକ ଦଳ ବିଧାୟକ ଇରାଶିଷ ଆଚାର୍ଯ୍ୟ ବିରୋଧୀ ଦଳଙ୍କୁ କଡ଼ା ସମାଲୋଚନା କରିଥିଲେ  । ସେ କହିଥିଲେଯେ, ପୂର୍ବ ସରକାର ଅମଳରେ ଅପରାଧିଙ୍କୁ ସୁରକ୍ଷା ଦିଆଯାଉଥିଲା  । ଶାସକ ଦଳର ବିଧାୟକମାନେ ଜଣେ ଓଡ଼ିଆ ପାଇଁ ଟ୍ରାଫିକ୍‌ ପୁଲିସ୍‌ ସାଜୁଥିଲେ  । କିନ୍ତୁ ଏବେ କାହାକୁ ସୁରକ୍ଷା ଦିଆଯାଉନି । ଅପରାଧିଙ୍କ ପ୍ରତି ଶୂନ୍ୟ ସହନଶୀଳନା ନୀତି ଅବଲମ୍ବନ କରାଯାଉଛି  । ବିଜେଡ଼ି ରାଜନୈତିକ ହସ୍ତକ୍ଷେପ କରୁଥିଲା  । ଏଫଆଇଆର ବି ଥାନାବାବୁ ରଖୁନଥିଲେ  । ଶ୍ୱେତପତ୍ରରେ ଅପରାଧ କମିଥିବା ଦର୍ଶାଯାଇଛି  । ଗୃହକୁ ଓ ଓଡ଼ିଶାବାସୀଙ୍କୁ ବିରୋଧୀ ଭ୍ରମିତ କରୁଛନ୍ତି ବୋଲି ସେ କହିଥିଲେ  । ସେହିପରି ବିଧାୟକ ବାବୁ ସିଂ କହିଲେଯେ, ବିଜେଡ଼ି ପୁଲିସକୁ ଲଗାଇ ଟିକେଟ ବାଣ୍ଟୁଥିଲେ  । ଲୋକଙ୍କୁ ଧମକାଉଥିଲେ  । ପ୍ରତିହିଂସା ପରାୟଣ ହେଉଥିଲେ  । ଏମାନେ ବହୁ ରାବଣ ସୃଷ୍ଟି କରିଛନ୍ତି । ମନ୍ତ୍ରୀଙ୍କୁ ହତ୍ୟା କରାଗଲା  । ତତ୍କାଳୀନ ବିଧାୟକ ମହେଶ୍ୱର ମହାନ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରାଗଲା  । ଜଗବନ୍ଧୁ ମାଝୀଙ୍କୁ ହତ୍ୟା କରିଦେଲେ ବୋଲି କହିଥିଲେ  । ଆଲୋଚନାରେ ବିଧାୟକ ଅମରେନ୍ଦ୍ର ଦାସ ଓ ସନାତନ ବିଜୁଳି ପ୍ରମୁଖ ଅଂଶଗ୍ରହଣ କରିଥିଲେ  ।