ଏଏସଡି ସ୍ମାର୍ଟ ମିଟର ସହ ଜଡ଼ିତ ନୁହେଁ : ଟିପିସିଓଡିଏଲ୍
ଭୁବନେଶ୍ୱର : ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ନିକଟରେ କିଛି ଉପଭୋକ୍ତାଙ୍କୁ ଜାରି କରାଯାଇଥିବା ଅତିରିକ୍ତ ସୁରକ୍ଷା ଜମା (ଏଏସଡି) ଡିମାଣ୍ଡ ନୋଟିସ୍ ହେଉଛି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ବଣ୍ଟନ (ଯୋଗାଣ ସର୍ତ୍ତାବଳୀ) କୋଡ୍, ୨୦୧୯ ଦ୍ୱାରା ପରିଚାଳିତ ଏକ ବାଧ୍ୟତାମୂଳକ ବାର୍ଷିକ ବୈଧାନିକ ଅନୁପାଳନ । ଏହାର ସ୍ମାର୍ଟ ମିଟର ସ୍ଥାପନା କିମ୍ବା ପରିଚାଳନା ସହିତ କୌଣସି ସମ୍ପର୍କ ନାହିଁ । ବିଦ୍ୟୁତ୍ ଆଇନ, ୨୦୦୩ର ଧାରା ୪୭ ଅନୁଯାୟୀ ସୁରକ୍ଷା ଜମା ସଂଗ୍ରହ କରିବା ବାଧ୍ୟତାମୂଳକ ଅଟେ । ଏହି ଆଇନ ବିଦ୍ୟୁତ୍ ବଣ୍ଟନ କମ୍ପାନୀଗୁଡ଼ିକୁ ବିଦ୍ୟୁତ୍ ଯୋଗାଣ ବାବଦରେ ଉପଭୋକ୍ତାଙ୍କଠାରୁ ଉପଯୁକ୍ତ ସୁରକ୍ଷା ରାଶି ଦାବି କରିବାକୁ କ୍ଷମତା ପ୍ରଦାନ କରେ । ନିୟମାବଳୀ ୫୩ ଅନୁଯାୟୀ, ସୁରକ୍ଷା ଜମା ପର୍ଯ୍ୟାପ୍ତ ଅଛି କି ନାହିଁ ତାହା ପ୍ରତି ବର୍ଷ ସମୀକ୍ଷା କରାଯାଏ । ଏହି ସମୀକ୍ଷା ଗତ ଆର୍ôଥକ ବର୍ଷ (୨୦୨୪-୨୫)ରେ ଉପଭୋକ୍ତାଙ୍କ ହାରାହାରି ବିଦ୍ୟୁତ୍ ବ୍ୟବହାର ଉପରେ ଆଧାରିତ । ତେଣୁ ଉପଭୋକ୍ତାଙ୍କୁ ଏହି ପାର୍ଥକ୍ୟ ରାଶିକୁ ଅତିରିକ୍ତ ସୁରକ୍ଷା ଜମା (ଏଏସଡି) ଭାବରେ ପୈଠ କରିବାକୁ ପଡିଥାଏ । ଅନ୍ୟ ପକ୍ଷରେ, ଯେଉଁ ଉପଭୋକ୍ତା ମାନଙ୍କର ବିଦ୍ୟୁତ୍ ବ୍ୟବହାର ୨୦୨୪-୨୫ ଆର୍ôଥକ ବର୍ଷରେ ହ୍ରାସ ପାଇଛି ଏବଂ ଫଳସ୍ୱରୂପ ସୁରକ୍ଷା ଜମା ଅଧିକ ରହିଛି, ସେମାନେ ସେମାନଙ୍କ ବିଦ୍ୟୁତ୍ ବିଲରେ ଆଡଜଷ୍ଟମେଣ୍ଟ ମାଧ୍ୟମରେ ଅତିରିକ୍ତ ରାଶି ଫେରସ୍ତ ପାଇବାକୁ ଯୋଗ୍ୟ ଅଟନ୍ତି । ଟିପିସିଓଡିଏଲ୍ ଏହି ଜମା ରାଶିର ସୁରକ୍ଷା ଏବଂ ବ୍ୟବହାର ସମ୍ପର୍କରେ ଉପଭୋକ୍ତାମାନଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି । ଉପଭୋକ୍ତାଙ୍କୁ ସେମାନଙ୍କ ସୁରକ୍ଷା ଜମା ଉପରେ ବାର୍ଷିକ ୬.୫୦% ହାରରେ (ଓଇଆରସି ଦ୍ୱାରା ନିର୍ଦ୍ଧାରିତ) ସୁଧ ପ୍ରଦାନ କରାଯାଏ, ଯାହା ବ୍ୟାଙ୍କଗୁଡିକ ଦ୍ୱାରା ଫିକ୍ସଡ୍ ଡିପୋଜିଟ୍ ଉପରେ ଦିଆଯାଉଥିବା ସୁଧ ହାର ସହ ପ୍ରାୟ ସମାନ ।