ମା’ ଦୁର୍ଗାଙ୍କର ମୁଖ୍ୟ ସ୍ୱରୂପ

ଡ. ଅମୂଲ୍ୟ କୁମାର ପଣ୍ଡା : ମାଆ ଦୁର୍ଗା ହେଉଛନ୍ତି ସୁରକ୍ଷା, ଶକ୍ତି, ମାତୃତ୍ୱ, ବିନାଶ ଏବଂ ଯୁଦ୍ଧ ସହ ଜଡ଼ିତ । ତାଙ୍କର କିମ୍ବଦନ୍ତୀ ଶାନ୍ତି, ସମୃଦ୍ଧି ଏବଂ ଧର୍ମପ୍ରତି ବିପଦ ସୃଷ୍ଟି କରୁଥିବା ମନ୍ଦ ଏବଂ ଭୂତ ଶକ୍ତିର ମୁକାବିଲା ସମ୍ବନ୍ଧିତ । ମା ଦୁର୍ଗା ନିର୍ଯାତିତଙ୍କ ମୁକ୍ତି ପାଇଁ ଦୁଷ୍ଟମାନଙ୍କ ବିରୁଦ୍ଧରେ ନିଜର ଦିବ୍ୟ କ୍ରୋଧ ପ୍ରକାଶ କରୁଥିବା ଏବଂ ସୃଷ୍ଟିକୁ ସଶକ୍ତ କରିବା ପାଇଁ ଆସନ୍ତି ଏହି ଆଶ୍ୱିନ ମାସରେ ଧରା ପୃଷ୍ଠକୁ । ଦୁର୍ଗା ଶବ୍ଦର ବିବିଧ ବିଶ୍ଳେଷଣ କରାଯାଇଛି ।ସେଥିରୁ ଗୋଟିଏ ହେଉଛି ଦ୍+ଉ+ର୍+ଗ୍+ଆ । ‘ଦ’ର ଅର୍ଥ ଦୈତ୍ୟ ବିନାଶ ପାଇଁଯିଏ ଉଦ୍ଦିଷ୍ଟ, ଉ-ସମସ୍ତ ବାଧାଦାୟକ ଶକ୍ତି ଦୂର କରିବାରେ ଯିଏ ସମର୍ଥ, ର- ସମସ୍ତ ରୋଗର ଯିଏ ବିନାଶକାରୀ, ଗ-ସକଳ ପାପର ଯିଏ କ୍ଷୟକାରୀ, ଆ-ସମସ୍ତ ଭୟର ଯେ ହରଣକାରୀ । ଅନ୍ୟ ଏକ ଶାବ୍ଦିକ ବିଶ୍ଳେଷଣ ହେଉଛି ଦୁର୍ଗ+ଆ ।ଦୁର୍ଗର ଅର୍ଥ ବିପଦ ବା ଦୁର୍ଗତି, ଆ ଅର୍ଥ ନଷ୍ଟ କରିବା । ମହିଷାସୁରମର୍ଦିନୀ ମା’ ଦୁର୍ଗାଙ୍କର ବିଜୟ ଗାଥାର ନିଦର୍ଶନ ଦେବୀ ଭାଗବତ, ମାର୍କଣ୍ଡେୟ ପୁରାଣ ଆଦିରେ ବର୍ଣ୍ଣିତ । ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ । ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ ।ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନ ହେଲେ ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜଦ୍ୱାରା ଦୁର୍ଗାଙ୍କୁ ଆବାହନ କଲେ, ଏବଂ ଦେବୀ ଦୁର୍ଗା ପ୍ରକଟିତା ହେଲେ ।
ପ୍ରଥମେ ମା କାତ୍ୟାୟନୀଙ୍କ ରୂପକୁ ବିଶ୍ଳେଷଣ କଲେ ଜଣାଯାଏ ଯେ ବାମନ ପୁରାଣ ଅନୁଯାୟୀ ମହିଷାସୁରର ଅତ୍ୟାଚାରରେ କ୍ଷୁବ୍ଧ ହୋଇ ସମଗ୍ର ଦେବଗଣ କ୍ରୋଧରେ ପ୍ରଜ୍ଜ୍ୱଳିତ ହେଲେ । ବ୍ରହ୍ମା, ବିଷ୍ଣୁ, ଶିବ ଆଦି ଦେବଗଣଙ୍କ ସମ୍ମିଳିତ କ୍ରୋଧ ଏକ ତେଜୋମୟ ରୂପ ଧାରଣ କଲା । ସେହି କ୍ରୋଧପୁଞ୍ଜ କାତ୍ୟାୟନ ଋଷିଙ୍କ ଆଶ୍ରମ ଉପରେ ପର୍ବତ ଆକାରରେ ବ୍ୟାପ୍ତ ହେବାକୁ ଲାଗିଲା । ସେଥିରେ କାତ୍ୟାୟନଙ୍କ ବ୍ରହ୍ମତେଜ ମିଳିତ ହେବାରୁ ଦେବତାଙ୍କ ତେଜକୁ ଦ୍ୱିଗୁଣିତ କଲା । ସେହି ତେଜପୁଞ୍ଜରୁ ଏକ ଦିବ୍ୟ ଅଙ୍ଗସୌଷ୍ଠବ ବିଶିଷ୍ଟ ନାରୀ ଆବିର୍ଭୁତ ହେଲେ । କାତ୍ୟାୟନ ଋଷିଙ୍କ ଆଶ୍ରମର ଉପରିଭାଗରୁ ଉତ୍ପତ୍ତି ହୋଇଥିବାରୁ ତାଙ୍କ ନାମ ‘କାତ୍ୟାୟନୀ’ । ତାପରେ ମା’ ଦୁର୍ଗାଙ୍କ ସ୍ୱରୂପ କଥା କହିଲେ ଜଣାଯାଏ ଯେ ବ୍ରହ୍ମାଙ୍କ ବରରେ ବଳୀୟାନ ହୋଇ ମହିଷାସୁର (ମହିଷ ଆକୃତି ଥିବା ଏକ ରାକ୍ଷସ) ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଅତ୍ୟାଚାର କଲା, ଫଳରେ ଦେବଗଣ ଭୀତତ୍ରସ୍ତ ହୋଇ ବ୍ରହ୍ମାଙ୍କ ନିକଟରେ ନିଜର ଦୁଃଖ ଜଣାଇଲେ । ସର୍ବସମ୍ମତି ପରେ ବ୍ରହ୍ମା ଓ ଶିବ ଦେବତାମାନଙ୍କୁ ନେଇ ବିଷ୍ଣୁଙ୍କ ନିକଟରେ ଉପସ୍ଥିତ ହୋଇ ଦେବଗଣଙ୍କ ଦୁର୍ଦ୍ଦଶା ଜଣାଇଲେ । ଦେବତାମାନଙ୍କର ଦୁର୍ଦ୍ଦଶା ଶୁଣି ଉଭୟ ବିଷ୍ଣୁ ଓ ଶିବ ଅତ୍ୟନ୍ତ କ୍ରୋଧ ପ୍ରକାଶ କଲେ ଏବଂ କ୍ରୋଧରେ ଉଭୟଙ୍କ ମୁଖ ମଣ୍ଡଳ ଲାଲ୍ ହୋଇଗଲା । ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କ ଭ୍ରୂକୁଟୀ କୁଟିଳ ହେବାରୁ, ସେହି ତିନିଦେବତାଙ୍କ ମୁଖରୁ ଗୋଟିଏ କାଳାନଳ ସଦୃଶ ତେଜ ପ୍ରକାଶ ହେଲା । ତତ୍ ସହିତ ଇନ୍ଦ୍ର ଓ ସମଗ୍ର ଦେବଗଣଙ୍କ ମୁଖରୁ ମଧ୍ୟ ତେଜ ନିର୍ଗତ ହେଲା । ସମସ୍ତ ତେଜ ଧୀରେ ଧୀରେ ଆକାଶରେ ସମ୍ମିଳିତ ହୋଇ ଏକାକାର ହୋଇଗଲା । ସେହି ତେଜରୁ ଅବିଳମ୍ବେ ଏକ ଦିବ୍ୟନାରୀ ରୂପରେ ପରିବର୍ତ୍ତିତ ହେଲା । ଶିବଙ୍କ ତେଜରେ ସେହି ଦିବ୍ୟନାରୀର ମୁଖ, ଯମଙ୍କ ତେଜରୁ କେଶ, ବିଷ୍ଣୁଙ୍କ ତେଜରୁ ଭୁଜ, ଚନ୍ଦ୍ରଙ୍କ ତେଜରୁ ଦୁଇସ୍ତନ, ଇନ୍ଦ୍ରଙ୍କ ତେଜରୁ ମଧ୍ୟଦେଶ, ବରୁଣଙ୍କ ତେଜରୁ ଜଙ୍ଘ ଓ ଉରୁ, ପୃଥିବୀଙ୍କ ତେଜରୁ ନିତମ୍ବ, ବ୍ରହ୍ମାଙ୍କ ତେଜରୁ ଚରଣ, ସୂର୍ଯ୍ୟଙ୍କ ତେଜରୁ ଚରଣର ଆଙ୍ଗୁଠି, ବସୁଗଣଙ୍କ ତେଜରୁ ହସ୍ତର ଅଙ୍ଗୁଳି, କୁବେରଙ୍କ ତେଜରୁ ନାସିକା, ନବପ୍ରଜାପତିଙ୍କ ତେଜରୁ ଦନ୍ତାବଳୀ, ଅଗ୍ନିଙ୍କ ତେଜରୁ ତ୍ରିନେତ୍ର ସୃଷ୍ଟି ସମ୍ଭବ ହୋଇଥିଲା । ସନ୍ଧ୍ୟାଙ୍କ ତେଜରୁ ଭ୍ରୂକୁଟୀ, ପବନଙ୍କ ତେଜରୁ କର୍ଣ୍ଣ, ଅନ୍ୟାନ୍ୟ ଦେବତାଗଣ ଓ ବିଶ୍ୱକର୍ମାଙ୍କ ତେଜରୁ ଦେବୀଙ୍କର ସମଗ୍ର ଶରୀର ସୃଷ୍ଟି ହୋଇଥିଲା । ଦେବୀଙ୍କ ଦିବ୍ୟରୂପ ଦେଖି ଦେବତା ଗଣ ଭାବିଲେ ଯେ ଏ ନିଶ୍ଚୟ ଆମର ଦୁର୍ଗତି ନାଶ କରିବ । ତେଣୁ ସମଗ୍ର ଦେବତା ସେହି ଦିବ୍ୟନାରୀର ନାମ ରଖିଲେ ‘ଦୁର୍ଗା’ । ତା’ପରେ ଦେବଗଣ ନିଜ ନିଜର ଦିବ୍ୟାସ୍ତ୍ର ଦେବୀଦୁର୍ଗାଙ୍କୁ ପ୍ରଦାନ କଲେ । ପ୍ରଥମେ ଶିବ ନିଜର ତ୍ରିଶୂଳ ପ୍ରଦାନ କଲେ । ବିଷ୍ଣୁ ଚକ୍ର, ଅଗ୍ନି ଶକ୍ତି, ପବନ ଧନୁର୍ବାଣ, ଇନ୍ଦ୍ର ବଜ୍ର ଓ ଘଣ୍ଟା, ଯମରାଜ କାଳଦଣ୍ଡ, ବରୁଣ ପାଶ ଓ ଶଙ୍ଖ, ଦକ୍ଷ ପ୍ରଜାପତି ଅକ୍ଷମାଳା ଏବଂ ବ୍ରହ୍ମା ଦେବୀଙ୍କୁ କମଣ୍ଡଳୁ ପ୍ରଦାନ କଲେ । ଦେବୀଙ୍କର ସମଗ୍ର ଅବୟବ ପୂର୍ଣ୍ଣ ନହେବାରୁ, ସୂର୍ଯ୍ୟ ତାଙ୍କ ପ୍ରତି ଲୋମରେ କିରଣମାଳା ପୂର୍ଣ୍ଣ କରିଦେଲେ, ମହାକାଳ ଦେବୀଙ୍କୁ କାଳର ଲହଲହ ଜିହ୍ନା ସଦୃଶ ଗୋଟିଏ ଖଡ୍ଗ ପ୍ରଦାନ କଲେ ।କ୍ଷୀର ସମୁଦ୍ର ଦେବୀଙ୍କ ଶରୀରର ସୌନ୍ଦର୍ଯ୍ୟକୁ ବର୍ଦ୍ଧିତ କରାଇ ବସ୍ତ୍ର, ଉତ୍ତରୀୟ, ମୋତିମାଳା, ଚୂଡାମଣି, ଦିବ୍ୟକୁଣ୍ଡଳ ତଥା କଙ୍କଣ ପ୍ରଦାନ କଲେ । ଚନ୍ଦ୍ରମା ଦେବୀଙ୍କ ଦୁଇପାଦରେ ରୁଣୁଝୁଣୁ ପାହୁଡ, ବାହୁରେ ବାଜୁବନ୍ଧ, କଣ୍ଠରେ ଚାପସରୀ ଓ ଅଙ୍ଗୁଳିମାନଙ୍କରେ ରତ୍ନମୁଦ୍ରିକା ପିନ୍ଧାଇ ଦେଲେ । ବିଶ୍ୱକର୍ମା ଦେବୀଙ୍କୁ ଗୋଟିଏ ଅଭେଦ୍ୟ କବଚ ଓ ତୀକ୍ଷ୍ଣ ଧାରଯୁକ୍ତ ପରଶୁ, କୁବେର ଗୋଟିଏ ସୁନ୍ଦର ପାନପାତ୍ର, ଅନନ୍ତନାଗ ଗୋଟିଏ ମଣିଖଚିତ ନାଗହାର ପ୍ରଦାନ କଲେ । ପରିଶେଷରେ ହିମାଳୟ ଦେବୀଙ୍କ ବାହନ ରୂପେ ଏକ ସିଂହ ପ୍ରଦାନ କଲେ । ଦେବୀ ଦୁର୍ଗା ସିଂହ ଉପରେ ଆସୀନ ହେବା ମାତ୍ରେ ସମୁଦ୍ର ଏକ ପଦ୍ମମାଳା ଆଣି ତାଙ୍କ ଗଳାରେ ଲମ୍ବାଇ ଦେଲେ । ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ,ଶେଷରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ । ଯୁଦ୍ଧରେ ଦେବୀ ବିଡାଳାକ୍ଷ, ଅସିଲୋମା, ମହାହନୁ ଆଦି ମହିଷାସୁରର ଅନେକ ମୁଖ୍ୟ ସେନାପତିମାନଙ୍କୁ ବଧ କଲେ । ଅନ୍ତିମରେ ମହିଷାସୁର ନିଜର ମାୟାବୀ ଶକ୍ତିଦ୍ୱାରା ମହାମାୟାଙ୍କ ଉପରେ ଆକ୍ରମଣ କଲା, ଦେବୀ କ୍ଳାନ୍ତ ହୋଇପଡ଼ିବାରୁ ମହଦେବ ତାଙ୍କୁ ମଧୁ ପାନ କରିବାକୁ ଦେଇଥିଲେ । ଦେବୀ ପୁନଶ୍ଚ ଯୁଦ୍ଧରେ ନିମଗ୍ନା ହେଲେ । ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ଶୂଳଦ୍ୱାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଗଦ୍ୱାରା ଶିରଚ୍ଛେଦ କଲେ । ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ, ତେଣୁ ଏହିସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାହୁଏ। ତ୍ରେତା ଯୁଗରେ ରାବଣକୁ ପରାସ୍ତ କରିବାହେତୁ ରାମଚନ୍ଦ୍ର ଚୈତ୍ର ବଦଳରେ ଆଶ୍ୱିନରେ ଏହି ପୂଜା କରିଥିଲେ, ସେବେଠାରୁ ଏହା ଉଭୟ ଚୈତ୍ର ବାସନ୍ତୀ ନବରାତ୍ର ଓ ଆଶ୍ୱିନ ଶାରଦ ନବରାତ୍ର ଭାବେ ବିଦିତ ଓ ଉଭୟ ସମୟରେ ଦେବୀଙ୍କ ମହାପୂଜା ପ୍ରଚଳିତ । ନବମୀର ପରବର୍ତ୍ତୀ ଦିନ ବିଜୟଉତ୍ସବ ବା ବିଜୟାଦଶମୀ ପାଳିତ ହୁଏ, ଏହା ଦେବତାମାନଙ୍କଦ୍ୱାରା ମା ଦୁର୍ଗାଙ୍କ ଯୁଦ୍ଧ ପରବର୍ତ୍ତୀ ବିଜୟାଭିଷେକର ପରମ୍ପରାକୁ ସୂଚାଏ । ଏହାପରେ ହେଉଛି ମା ଶତାକ୍ଷୀ ସ୍ୱରୁପ । ଦୁର୍ଗା ଦୁର୍ଗମ ଅସୁରକୁ ବିନାଶ କରିଥିଲେ । ହିରଣାକ୍ଷ ବଂଶରେ ଦୁର୍ଗମ ଦୈତ୍ୟ ଜନ୍ମ ହୋଇ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି ବରପ୍ରାପ୍ତ ହୋଇଥିଲା । ଦୈତ୍ୟର ଆସୁରିକ ପ୍ରଭାବରେ ସଂସାରର ଧାର୍ମିକ କ୍ରିୟା ନଷ୍ଟ ହେଲା । ଦେବତାଙ୍କ ଯାଗଯଜ୍ଞାଦି ବନ୍ଦ ହେବାରୁ ମର୍ତ୍ତ୍ୟରେ ଏକଶତ ବର୍ଷ ପର୍ଯ୍ୟନ୍ତ ବର୍ଷା ହେଲାନାହିଁ। ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତିନିଲୋକରେ ହା ହା କାର ଖେଳିଗଲା । ସେ ସ୍ୱର୍ଗ ଅଧିକାର କଲା । ଦେବତାଗଣ ଦୁର୍ଗମର ଅତ୍ୟାଚାରରେ ଅତିଷ୍ଠ ହେଲେ । ଭୟରେ ସ୍ୱର୍ଗ ତ୍ୟାଗ କରି ହିମାଳୟ ପର୍ବତରେ ପହଞ୍ଚିଲେ ଏବଂ ଶକ୍ତିମୟୀ ଦେବୀଙ୍କୁ ସ୍ମରଣ କଲେ । ଦେବୀ ତତ୍ କ୍ଷଣାତ ଆବିର୍ଭାବ ହେଲେ । ଦୈତ୍ୟ ପ୍ରଭାବରେ ତ୍ରିଲୋକରେ ଏପରି ବ୍ୟାକୁଳତା ଭରିଯାଇଥିଲା ଯେ ପରିସ୍ଥିତି ଦେଖି କୃପାମୟୀ ମା’ଙ୍କ ଆଖିରେ ଅଶ୍ରୁ ନିର୍ଗତ ହେବାକୁ ଲାଗିଲା । ବେଦନାକୁ ଧୋଇଦେବା ପାଇଁ ମା’ଙ୍କ ମୁଖମଣ୍ଡଳରେ ପ୍ରକାଶିତ ହେଲା ନେତ୍ର । ସେହି ଚକ୍ଷୁରୁ ଅଶ୍ରୁ ନିର୍ଗତ ହେଲା, ସତେ ଯେପରି ହିମାଳୟ ବକ୍ଷରୁ ସ୍ରୋତସ୍ୱିନୀ ଗଙ୍ଗାର ପ୍ରବାହ । ମା’ଙ୍କ ନାମ ହେଲା ‘ଶତାକ୍ଷୀ’ । ଏହାପରେ ମା ଶାକମ୍ବରୀ । ଦେବୀଙ୍କ ଚକ୍ଷୁର ନୀର ତିନିଲୋକରେ ବୃଷ୍ଟିର ରୂପନେଲା। ନଦୀ ସମୁଦ୍ରରେ ଜଳ ଭରିଗଲା । ବନସ୍ପତି ମଧ୍ୟ ତୃପ୍ତ ହେଲେ । ଏହି ସମୟରେ ଭଗବତୀ ସମସ୍ତଙ୍କୁ ନିଜ ହାତରେ ଅନେକ ପ୍ରକାର ଶାକ ଓ ସ୍ୱାଦିଷ୍ଟ ଫଳ ପରସିଲେ ଏବଂ ଖୁଆଇଲେ । ତୃଣଭୋଜୀ ପ୍ରାଣୀଙ୍କ ପାଇଁ ସୁନ୍ଦର ଘାସ ଏବଂ ଅନ୍ୟପ୍ରାଣୀମାନଙ୍କ ପାଇଁ ଉପଯୁକ୍ତ ଭୋଜନ ଦେଲେ । ନିଜ ଶରୀରରୁ ତାଙ୍କର ଉତ୍ପନ ହୋଇଥିଲା ଶାକ । ତେଣୁ ତାଙ୍କ ନାମ ହେଲା ‘ଶାକମ୍ବରୀ’ ।ଏହିପରି ଭାବେ ମାଆ ଶକ୍ତି ଧରା ପୃଷ୍ଠକୁ ଆସିଥିଲେ ଧର୍ମ ର ସ୍ଥାପନା ପାଇଁ ଓ ଦୁଷ୍ଟଙ୍କ ସଂହାର ପାଇଁ ।
ଅରଙ୍ଗାବାଦ ବରୀ ଯାଜପୁର
ମୋବାଇଲ - ୮୨୪୯୫୦୨୭୭୬