ଏକ ଯୁଗର ଅବସାନ : ଆଉ ଉଡିବନି ମିଗ୍‌-୨୧ 

ଏକ ଯୁଗର ଅବସାନ : ଆଉ ଉଡିବନି ମିଗ୍‌-୨୧ 

ନୂଆଦିଲ୍ଲୀ : ଏକ ଯୁଗର ଅନ୍ତ ଘଟିଛି । ଆଜି ଶେଷ ଉଡାଣ ଭରିଛି ବାୟୁସେନାର ଫାଇଟର ଜେଟ ମିଗ-୨୧ । ଆସନ୍ତାକାଲି ଠୁ ଆଉ ଆକାଶରେ ଉଡିବନି ମିଗ-୨୧ ଲଢୁଆ ବିମାନ । ଦୀର୍ଘ ୬୦ ବର୍ଷ ପରେ ଚଣ୍ଡିଗଡ ଏୟାରବେସରେ ଅବସର ନେଇଛି ଭାରତୀୟ ସେନାର ଏହି ଘାତକ ଯୁଦ୍ଧବିମାନ । ଭବ୍ୟ ବିଦାୟ ଲାଗି ଚଣ୍ଡିଗଡ ଏୟାରବେସ୍‌ରେ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା । କାରଣ ଦୀର୍ଘବର୍ଷ ଧରି ଭାରତୀୟ ସେନାର ପରାକ୍ରମର ପ୍ରତୀକ ଥିଲା ମିଗ୍‌-୨୧ । ମୂକସାକ୍ଷୀ ସାଜିଥିଲେ ବାୟୁସେନାର ହଜାରେ ପାଇଲଟ । ଏହି ଅବସରରେ ସ୍କ୍ୱାଡ୍ରନ୍‌ ଲିଡର ପ୍ରିୟା ଶର୍ମା (ବାୟୁସେନାର ସପ୍ତମ ମହିଳା ପାଇଲଟ୍‌) ମିଗ୍‌-୨୧କୁ ଶେଷଥର ପାଇଁ ଅନନ୍ତ ଆକାଶକୁ ନେଇ ଶକ୍ତି ପ୍ରଦର୍ଶନ କରିଥିଲେ । ଏହି ସମୟରେ ତାଙ୍କୁ ସାଥ୍‌ ଦେଇଥିଲେ ନିଜେ ଏୟାର ଚିଫ ମାର୍ଶଲ ଏ ପି ସିଂହ । 

ମିଗ୍‌-୨୧ର ଏହି ଶେଷ ଉଡାଣ ସହ ପ୍ରିୟାଙ୍କ ନାମ ବି ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଗଲା । ଗତ ମଙ୍ଗଳବାର ପ୍ରିୟା ଅନ୍ୟ ୫ ଜଣ ମିଗ୍‌-୨୧  ପାଇଲଟଙ୍କ ସହ ରିହର୍ସାଲରେ ସାମିଲ ହୋଇଥିଲେ । ଗତ ମାସ ସେ ବିକାନେର ଏୟାରଫୋର୍ସ ଷ୍ଟେସନରେ ଏୟାର ଚିଫ୍‌ ମାର୍ଶଲ ଏ ପି ସିଂହଙ୍କ ସହ ମିଗ୍‌-୨୧ର  ଶେଷ ଅପରେସନାଲ ମିଶନରେ ଉଡାଣ ଭରିଥିଲେ । ଏହି ଯୁଦ୍ଧ ବିମାନ ପାଇଁ ସେନା ସବୁବେଳେ ଶତ୍ରୁପକ୍ଷକୁ ମାତ୍‌ ଦେବାରରେ ସଫଳ ହୋଇଥିଲା ।

୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧରୁ ଅପରେସନ ସିନ୍ଦୂର ପର୍ଯ୍ୟନ୍ତ ସବୁଠି ପରାକ୍ରମ ଦେଖାଇଛି ଏହି ବିମାନ । ୧୯୬୩ରେ ଭାରତୀୟ ସେନାରେ ପ୍ରବେଶ କରିଥିଲା ମିଗ୍‌-୨୧ । ସବୁ ପ୍ରକାର ପରିସ୍ଥିତିରେ ସେନାର ସୁରକ୍ଷାକବଚ ସାଜିଥିଲା ମିଗ୍‌-୨୧ । କାର୍ଗିଲ ଯୁଦ୍ଧ ସମୟରେ ଅନୁପ୍ରବେଶକାରୀ ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିଥିଲା ଏହି ବିମାନ । ବାଲାକୋଟ ଏୟାରଷ୍ଟ୍ରାଇକ ସମୟରେ ପାକିସ୍ତାନର ଏଫ-୧୬ ଲଢୁଆ ବିମାନକୁ ନଷ୍ଟ କରିଥିଲା । ୧୯୬୦ ଦଶକର ପ୍ରାରମ୍ଭରେ ସାମିଲ ହୋଇଥିବା ମିଗ-୨୧ ବାୟୁସେନାର ପ୍ରଥମ ସୁପରସୋନିକ୍‌ ଜେଟ୍‌ ଥିଲା । ସେନାବାହିନୀକୁ ଜେଟ୍‌ ଯୁଗରେ ପ୍ରବେଶ କରାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଛଅ ଦଶନ୍ଧିରୁ ଅଧିକ ସମୟ ଧରି ବିଶିଷ୍ଟ ସେବା ପରେ "ପାନ୍ଥର୍ସ’  ନାମରେ ପ୍ରସିଦ୍ଧ ନଂ ୨୩ ସ୍କ୍ୱାଡ୍ରନ ଶେଷ ମିଗ୍‌-୨୧ ବିମାନକୁ ଏକ ଭାବପ୍ରବଣ ବିଦାୟ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ,  ପୂର୍ବତନ ବାୟୁସେନା ମୁଖ୍ୟ ଏସପି ତ୍ୟାଗୀ ଓ ବିଏସ ଧନୋଆଙ୍କ ସମେତ ଅନେକ ଉଚ୍ଚାଧିକାରୀ ଉପସ୍ଥିତ ଥିଲେ । ଗ୍ରୁପ୍‌ କ୍ୟାପଟେନ୍‌ ଶୁଭାଂଶୁ ଶୁକ୍ଳା ଓ ଅନ୍ୟାନ୍ୟ  କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ । ଏହି ଉତ୍ସବରେ ଭାରତୀୟ ବାୟୁସେନାର ଅଭିଜିତ ‘ଆକାଶ ଗଙ୍ଗା' ଦଳ ଦ୍ୱାରା ଏକ ମନମୋହକ ସ୍କାଏଡାଇଭିଂ ପ୍ରଦର୍ଶନ କରାଯାଇଥିଲା, ଯେଉଁମାନେ ୮,୦୦୦ ଫୁଟ ଉଚ୍ଚତାରୁ ଡେଇଁଥିଲେ । ଭାରତୀୟ ବାୟୁସେନାର ପ୍ରସିଦ୍ଧ ସୂର୍ଯ୍ୟ କିରଣ ବିମାନ ଦଳ ସେମାନଙ୍କର ଟ୍ରେଡମାର୍କ ହାଇ-ସ୍ପିଡ୍‌ ଚାଳନା ଏବଂ ଆକାଶ ମାର୍ଗ ପ୍ରଦର୍ଶନ ସହିତ ଦୃଶ୍ୟକୁ ଆହୁରି ବୃଦ୍ଧି କରିଥିଲା, ସମବେତ ଦର୍ଶକଙ୍କଠାରୁ ଜୋରଦାର ପ୍ରଶଂସା ସାଉଁଟିଥିଲା ।