ଏଣିକି ନିୟମିତ ଶିକ୍ଷକ ନିଯୁକ୍ତି : ୩ ବର୍ଷରେ ୪୫ ହଜାର ଚାକିରି
ବ୍ରହ୍ମପୁର : ବ୍ରହ୍ମପୁର ନୀଳକଣ୍ଠ ନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୪୨ ତମ ବାର୍ଷିକ ଉତ୍ସବ ଅବସରରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିକ୍ଷକ ନିଯୁକ୍ତି ନେଇ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଦକ୍ଷ ଶିକ୍ଷକ ନିଯୁକ୍ତି ଓ ଶିକ୍ଷାଦାନ ଉପରେ ଆବଶ୍ୟକୀୟ ଭିତ୍ତିଭୂମି ସୃଷ୍ଟି ପାଇଁ ଆମେ ଗୁରୁତ୍ୱ ଦେଉଛୁ । ଏଣିକି କେବଳ ନିୟମିତ ଶିକ୍ଷକ ନିଯୁକ୍ତି ପାଇବେ । ରାଜ୍ୟରେ ଶିକ୍ଷକ ଅଭାବ ଦୂର କରିବା ପାଇଁ ୩ ବର୍ଷ ମଧ୍ୟରେ ଆମେ ୪୫ ହଜାର ଶିକ୍ଷକ ପଦବୀ ସୃଷ୍ଟି କରିବା ପାଇଁ ପଦକ୍ଷେପ ନେଇଛୁ । ଆସନ୍ତା ଶିକ୍ଷାବର୍ଷରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣା ପାଠ୍ୟ ପୁସ୍ତକ ପ୍ରଦାନ କରିବା ପାଇଁ ଆମେ ସ୍ଥିର କରିଛୁ । ରାଜ୍ୟରେ ଶିକ୍ଷାକ୍ଷେତ୍ରର ବିକାଶ କରିବା ପାଇଁ ଆମ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି । କେବଳ ପ୍ରାଥମିକ ଶିକ୍ଷା ପାଇଁ ଚଳିତ ବର୍ଷ ବଜେଟରେ ରେକର୍ଡ ପରିମାଣର ୩୧ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି । ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଜରିଆରେ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଢିବା ପାଇଁ ଆମ ସରକାରରେ ଆର୍ଥିକ କଟକଣା କେବେ ପ୍ରତିବନ୍ଧକ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।