ଚିକିଟିରେ ହାତୀ ଆତଙ୍କ

 ବ୍ରହ୍ମପୁର : ବ୍ରହ୍ମପୁର ବନଖଣ୍ଡ ଅଧିନସ୍ଥ ଦିଗପହଣ୍ଡି ବନାଞ୍ଚଳ ଅନ୍ତର୍ଗତ ଚିକିଟି ଅଞ୍ଚଳରେ ଗତ କିଛିଦିନ ଧରି ମହାବଳ ବାଘ ଆତଙ୍କ ସୃଷ୍ଟି କରିଛି । ଚିକିଟି ଅଞ୍ଚଳରେ ବନ୍ୟଜନ୍ତୁ ଭ୍ରମଣ ଯୋଗୁଁ ସ୍ଥାନୀୟ ଜନସାଧାରଣ ଆତଙ୍କିତ ହୋଇଥିବା ଜଣାପଡିଛି । ପ୍ରତ୍ୟେକ ଦିନ ସନ୍ଧ୍ୟା ହେଲେ ଲୋକେ ବାହାରକୁ ଆସିବା ପାଇଁ ଡରୁଛନ୍ତି । ମଙ୍ଗଳବାର ରାତିରେ ମହାବଳ ବାଘ ଚିକିଟୀ ଅଞ୍ଚଳରୁ ଦିଗପହଣ୍ଡି ମୁହାଁ ହୋଇଥିବା ଜଣାପଡିଛି । ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ନିକଟରେ ପରିବା ବାଡ଼ରେ ବାଘର ପାଦ ଚିହ୍ନ ଠାବ କରିଛି ବନ ବିଭାଗ । ଏହି ପାଦ ଚିହ୍ନ ଠାବ ହେଲାପରେ ବାଘ ଦିଗପହଣ୍ଡି ମୁହାଁ ହୋଇଥିବା ସନେ୍ଦହ କରିଛନ୍ତି ବନ ବିଭାଗ । ବାଘ ପରେ ଏବେ ଚିକିଟି ବ୍ଲକ କେନୂଆଗାଁ ଗ୍ରାମ ପାଞ୍ଚାୟତ ଅନ୍ତର୍ଗତ ରତନେଶ୍ୱରୀ ମନ୍ଦିର ଆଖପାଖ ଅଞ୍ଚଳରେ ହାତୀ ଆତଙ୍କ ସୃଷ୍ଟି ହୋଇଅଛି । ଚିକିଟି ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ କରୁଥିବା ବେଳେ ଦୁଇ ଟିକିଆ ହାତୀ କଳିଙ୍ଗଦଳା ଡ୍ୟାମ ନିକଟରେ ଥିବା ଦେଖିବାକୁ ମିଳିଥିଲା । ଫରେଷ୍ଟ ଗାର୍ଡ ମାନଙ୍କ ପ୍ରଚେଷ୍ଟା କରିବା ପରେ ସେଠାରୁ ହାତୀ ରତନେଇ ପାହାଡ଼ ପାଦଦେଶ ଆଡକୁ ଫେରିଥିବା ଜଣାପଡିଛି । ଅନ୍ୟପକ୍ଷରେ ଦୁଇ ଟିକିଆ ହାତି ଡ୍ୟାମରୁ ରତନେଇ ପାହାଡ଼କୁ ଯିବା ରାସ୍ତାରେ ଥିବା ବହୁ ଧାନ ଫସଲ ନଷ୍ଟ କରିଥିବା ନେଇ ସ୍ଥାନୀୟ ଚାଷୀମାନେ କହିଛନ୍ତି । ଏହି ବିଷୟରେ ସ୍ଥାନୀୟ ଦିଗପହଣ୍ଡି ରେଞ୍ଜରଙ୍କ ସହିତ ଯୋଗା ଯୋଗ କରିବାରୁ ସେ କହିଛନ୍ତି ଯେ ବର୍ତ୍ତମାନ ଚିକିଟି ବନାଞ୍ଚଳରେ ତିନି ଟିକିଆ ହାତି ପୋଲ ସଞ୍ଚାର କରୁଛନ୍ତି । ବନ ବିଭାଗ ପକ୍ଷରୁ ହାତୀ ପୋଲର ଗତିବିଧି ଉପରେ କଡା ନଜର ରଖିଥିବା ସହିତ ସନ୍ଧ୍ୟା ସମୟରେ ପେଟ୍ରୋଲିଂ କଡାକଡି କରାଯାଉଥିବା ନେଇ ସୂଚନା ଦେଇଛନ୍ତି ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ ଦିବ୍ୟ ରଞ୍ଜନ ସାହୁ ।