ଏନ୍ଜିଟି ନିଦେ୍ର୍ଦଶନାମାକୁ ଉଲ୍ଲଂଘନ ; ଗଢ଼ିଉଠିଛି ମାଳମାଳ ବେଆଇନ୍ ଇଟାଭାଟି 

ଏନ୍ଜିଟି ନିଦେ୍ର୍ଦଶନାମାକୁ  ଉଲ୍ଲଂଘନ ; ଗଢ଼ିଉଠିଛି ମାଳମାଳ ବେଆଇନ୍ ଇଟାଭାଟି 

ବୁଗୁଡ଼ା ଅଞ୍ଚଳରେ ମାଳ ମାଳ ବେଆଇନ୍ ଇଟାଭାଟି ଗଢି ଉଠିଥିବାବେଳେ ପ୍ରଶାସନ ଆଖିରେ ପଟି ବାନ୍ଧି ବସିଲା ଭଳି ପ୍ରତୀୟମାନ ହେଉଛି । ପରିବେଶ ପ୍ରଦୂଷଣକାରୀ ପୋଡ଼ା ଭାଟି ଇଟାକୁ ନ୍ୟାସନାଲ ଗ୍ରୀନ ଟ୍ରିବୁ୍ୟନାଲ (ଏନ୍ଜିଟି) ସମ୍ପୂର୍ଣ୍ଣ ବେଆଇନ ବୋଲି ଘୋଷଣା କରିବା ସହ ଏହା ଉପରେ ରୋକ୍ ଲଗାଇବା ପାଇଁ ପ୍ରଶାସନକୁ କଡ଼ା ନିଦେ୍ର୍ଦଶ ଜାରି କରିଛି । କିନ୍ତୁ ବୁଗୁଡ଼ା ଅଞ୍ଚଳରେ ଏହାର ବ୍ୟାପକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ନିଦେ୍ର୍ଦଶନାମାକୁ ଖାତିର ନ କରି ମାଳମାଳ ଇଟା ଭାଟି ଚାଲିଛି । ବେଆଇନ ଇଟାଭାଟି ଗୁଡ଼ିକ ଉପରେ ପ୍ରଶାସନ ଚଢ଼ାଉ କରିବା ପରିବର୍ତ୍ତେ ହାତଗୁଞ୍ଜା ନେଇ ସେମାନଙ୍କୁ ପ୍ରୋତ୍ସାହିତ କଲା ଭଳି ମନେ ହେଉଛି । ଆବାସ ଯୋଜନାର ହିତାଧିକାରୀମାନେ ଘର ତିଆରି ପାଇଁ ଇଟା ପକା ଆଳ ଦେଖାଇ ଇଟା ବେପାରୀଙ୍କୁ ସ୍ଥାନୀୟ ପ୍ରଶାସନ ଖୋଲା ଛାଡି ଦେଇଛି । ଫଳରେ ବୁଗୁଡ଼ା ତହସିଲ ଅଧିନସ୍ଥ ବିଭିନ୍ନ ଗ୍ରାମାଞ୍ଚଳରେ ପୋଡ଼ା ଇଟାଭାଟି ସଂଖ୍ୟା ବଢ଼ିବାରେ ଲାଗିଛି । କେହି ଅଭିଯୋଗ କଲେ କେବଳ ଲୋକଦେଖାଣିଆ ଫାଇନ କାଟି ଛାଡି ଦେଉଛନ୍ତି । ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଛତ୍ରଛାୟା ତଳେ ରହି ଅସାଧୁ ବେପାରୀମାନେ ପୋଡ଼ା ଇଟା ପ୍ରସ୍ତୁତ କରୁଥିବା ଅଭିଯୋଗ ହୋଇଛି । ଏହା ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱହାନୀ ହେବା ସହ ପରିବେଶ ପ୍ରଦୂଷିତ ହେଉଛି  । ଇଟାଭାଟିରୁ ନିର୍ଗତ ହେଉଥିବା ଦୂଷିତ ଧୂଆଁ ଯୋଗୁଁ ଆଖପାଖ ଅଞ୍ଚଳର ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଲୋକେ ନାନା ପ୍ରକାର ଶ୍ୱାସ ରୋଗର ଶୀକାର ହେଉଛନ୍ତି  । ଏଭଳି ମାଳ ମାଳ ବେଆଇନ ପୋଡ଼ା ଇଟାଭାଟି ଯୋଗୁଁ ସରକାରଙ୍କ ରାଜସ୍ୱ ହାନୀ, ପରିବେଶ ପ୍ରଦୂଷଣ ଓ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ସତ୍ତ୍ୱେ ସ୍ଥାନୀୟ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଶୂନ ହେତୁ ସତରେ କ'ଣ ଇଟାଭାଟି ବେପାରୀଙ୍କ କବ୍ଜାରେ ସ୍ଥାନୀୟ ପ୍ରଶାସନ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଣୁ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।