ଏଥର ଟାର୍ଗେଟରେ ରାଜଧାନୀର ସେଲ୍ଫ ଡ୍ରାଇଭ୍ ସର୍ଭିସ୍

ଠକଙ୍କ ଠକେଇର ନୂଆ ତରିକା
ଭଡାରେ କାର ନେଇ ରଖୁଥିଲେ ବନ୍ଧକ, ଦୁଇ ଠକ ଗିରଫ, ୯ଟି କାର ଜବତ
ଭୁବନେଶ୍ୱର, ୨୦ା୧୧ :ଦିନକୁ ଦିନ ଠକେଇର ନୂଆନୂଆ ତରିକା ସାମ୍ନାକୁ ଆସୁଛି । କିଏ କେତେବେଳେ ଜମା ଟଙ୍କା ବର୍ଷେରେ ଦୁଇଗୁଣା ହେବ କହି କାହାକୁ ଚୂନ ଲଗାଇଲାନି ତ ପୁଣି କିଏ କାରକୁ ଭଡ଼ାରେ ନେଇ ତାହାକୁ ବନ୍ଧକ ରଖି ଟଙ୍କା ଠକୁଥିବା ଘଟଣା ସାମ୍ନାକୁ ଆସୁଛି । ଏଭଳି ଦୁଇଜଣ ଠକଙ୍କୁ ବୁଧବାର ଖଣ୍ଡଗିରି ଥାନା ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ଠାରୁ ୯ଟି କାର ଜବତ କରାଯିବା ସହ ଲକ୍ଷାଧିକ ଟଙ୍କା ଜବତ କରାଯାଇଛି । ଏନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର ପ୍ରେସମିଟରେ ସୂଚନା ଦେଇଛନ୍ତି । ଗିରଫ ଦୁଇ ଠକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କୁମାରରଙ୍ଗା ଗାଁର ଦିଲ୍ଲୀପ କୁମାର ମିଶ୍ର (୩୯) ଓ ବାଲୁଗାଁର ସ୍ୱସ୍ତିକ ପ୍ରଧାନ (୩୧) ।ପୂର୍ବରୁ ଭରତପୁର ଥାନା ପୁଲିସ ମଧ୍ୟ ଜଣେ ସେଲ୍ଫ ଡ୍ରାଇଭ ଠକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତାଠାରୁ ୫ଟି କାରକୁ ଜବତ କରାଯାଇଥିଲା ।
ପୁଲିସ ସୂଚନା ଅନୁସାରେ, ଖଣ୍ଡଗିରି ଥାନା ଅନ୍ତର୍ଗତ ପାତ୍ରପଡ଼ା ଅଞ୍ଚଳରେ ଗ୍ରାସାଦ ସର୍ଭିସ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ଟ୍ରାଭେଲ ଏଜେନ୍ସି ରହିଛି । ଉକ୍ତ ଏଜେନ୍ସି ଲୋକଙ୍କୁ ଗାଡ଼ି ସେଲଫ ଡ୍ରାଇଭ ପାଇଁ ଭଡ଼ାରେ ଦେଇଥାଏ । ସେପ୍ଟେମ୍ବର ୨୧ ତାରିଖରେ ଦିଲ୍ଲୀପ କୁମାର ମିଶ୍ର ନାମକ ଜଣେ ବ୍ୟକ୍ତି ଦୁଇଟି ଗାଡ଼ିକୁ ୪ ହଜାର ଟଙ୍କା ଦୈନିକ ଭଡ଼ାରେ ନେବାକୁ ଉକ୍ତ ଏଜେନ୍ସିକୁ ଆସିଥିଲେ । ସେ ଆଲୋଚନା ମୁତାବକ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଏଜେନ୍ସିକୁ ଟଙ୍କା ଦେଉଥିଲେ । କିନ୍ତୁ ଏହାର ପରବର୍ତ୍ତୀ ସମୟରେ ସେ ମୋବାଇଲ ଫୋନ ସୁଇଚ ଅଫ କରିଦେବା ସହ ଏଜେନ୍ସି ସହିତ କୌଣସି ଯୋଗାଯୋଗ କରି ନ ଥିଲେ । ଫଳରେ ଏନେଇ ଏଜେନ୍ସିର ମ୍ୟାନେଜର ସୁଧାଂଶୁ ଭୂଷଣ ମିଶ୍ର ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ମାମଲାର ତଦନ୍ତ କରି ଜାଣିବାକୁ ପାଇଥିଲା କି, ଗାଡ଼ି ନେଇଥିବା ଦିଲ୍ଲୀପ ଜଣେ ଅଭ୍ୟାସଗତ ଠକ । ସେ ଏହିପରି ବହୁ ଟ୍ରାଭେଲ ଏଜେନ୍ସିରୁ ଗାଡ଼ି ସେଲଫ ଡ୍ରାଇଭ ନାଁରେ ଭଡ଼ାରେ ନେଇ ପରବର୍ତ୍ତୀ ସମୟରେ ଏହାକୁ ବାଲୁଗାଁର ସ୍ୱସ୍ତିକ ପଣ୍ଡାଙ୍କ ସହାୟତାରେ ବନ୍ଧକ ରଖି ପ୍ରତି ଗାଡ଼ି ପିଛା ୨ରୁ ୩ ଲକ୍ଷ ଟଙ୍କା ଆଣିଥାଏ । ଏହି ମାମଲା ଜଣାପଡ଼ିବା ପରେ ପୋଲିସ ଉଭୟ ଦିଲ୍ଳୀପ ଏବଂ ସ୍ୱସ୍ତିକଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୯ଟି କାର ଜବତ କରିଛି । ଉଭୟଙ୍କ ଠାରୁ ଜବତ ହୋଇଥିବା ଗାଡ଼ି ଗୁଡ଼ିକୁ ଅଭିଯୁକ୍ତମାନେ ୧୪ ଲକ୍ଷ ୭୦ ହଜାର ଟଙ୍କାରେ ବନ୍ଧକ ରଖିଥିଲେ ।