ଯୌତୁକ ଦାବି କରି ସ୍ତ୍ରୀକୁ ନିର୍ଯ୍ୟାତନା ; ସ୍ୱାମୀ ଗିରଫ

ଭୁବନେଶ୍ୱର, ୭ା୫ : ବିବାହ ବର୍ଷକ ପରେ ଯୌତୁକ ଦାବି କରି ସ୍ତ୍ରୀକୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ମରଣାନ୍ତକ ଆକ୍ରମଣ । ଏନେଇ ଝିଅର ମାଆ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ ସହ ହତ୍ୟା ଧମକ । ଏନେଇ ଥାନାରେ ଅଭିଯୋଗ ପରେ ମହିଳା ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ମଙ୍ଗଳବାର ଦିନ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ, ନିଳାଦ୍ରୀବିହାର କନ୍ୟାଶ୍ରମ ଅଞ୍ଚଳର ସିଦ୍ଧାନ୍ତ ନାୟକ ।
ସୂଚନାଯୋଗ୍ୟଯେ, ୨୦୧୨ ମସିହାରେ ଅଭିଯୋଗକାରିଣୀଙ୍କର ଅଭିଯୁକ୍ତ ସିଦ୍ଧାନ୍ତ ସହିତ ବିବାହ ହୋଇଥିଲା ଓ ବିବାହ ପରେ ସେମାନେ ବାଣୀବିହାର ଅଞ୍ଚଳରେ ରହୁଥିଲେ । ଇତି ମଧ୍ୟରେ ସେମାନଙ୍କର ଏକ ପୁତ୍ର ସନ୍ତାନ ହୋଇଥିଲା । ଏହା ପରେ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କୁ ଯୌତୁକ ଦାବି କରିଥିଲେ । ଏଥିରେ ସହମତି ନହେବାରୁ ଅଭିଯୋଗକାରିଣୀଙ୍କୁ ଆରମ୍ଭ ହୋଇଯାଇଥିଲା ମାନସିକ ଓ ଶାରୀରିକ ସ୍ତରରେ ନିର୍ଯ୍ୟାତନା ଦେବା । ଅନେକ ସମୟ ଆକ୍ରମଣ ମଧ୍ୟ କରୁଥିଲା । ଗତ ଏପ୍ରିଲ ୨୩ ତାରିଖରେ କୌଣସି କାରଣ ନଥାଇ ଏକ ଝାଡୁରେ ଆକ୍ରମଣ କରିଥିବାରୁ ସେ ଆହତ ହୋଇଥିଲେ । ପୁର୍ନବାର ଅଭିଯୁକ୍ତ ଓ ତା ପରିବାର ସୋମାବର ଦିନ ପୁଣି ଅଭିଯୋଗକାରିଣୀଙ୍କୁ ଯୌତୁକ ନଆଣିଲେ ହତ୍ୟା କରିବାକୁ ଧମକ ଦେଇଥିଲେ । ଏହି ସମୟରେ ଅଭିଯୋଗକାରିଣୀଙ୍କ ମାଆ ଏହାକୁ ବିରୋଧ କରିବାରୁ ସେମାନେ ତାଙ୍କୁ ମଧ୍ୟ ଗାଳି ଗୁଲଜ କରିବା ଆରମ୍ଭ କରିଦେଇଥିଲେ । ଏନେଇ ଅଭିଯୋଗକାରିଣୀ ମହିଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରିଛି ।