ଠିକାଦାର ଅଫିସ ଛାତରେ ରୋଷେୟାକୁ ହତ୍ୟାକଲା ଲେବର

ଭୁବନେଶ୍ୱର, ୨୧ା୬ : ଗୁରୁବାର ବିଳମ୍ବିତ ରାତିରେ ରାଜଧାନୀରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ସାମାନ୍ୟ ବଚସାକୁ ନେଇ ଲୁହା ରଡ଼ରେ ଜଣେ ରେଷେୟାଙ୍କୁ ଜଣେ ଲେବର ଠିକାଦାରଙ୍କ ଅଫିସ ଛାତ ଉପରେ ପିଟିପିଟି ହତ୍ୟା କରିଛି । ପରେ ସେ ଦୁଇ ମହଲା ଛାତ ଡେଇଁ ଫେରାର ହୋଇଯାଇଥିବା ବେଳେ ଖବର ପାଇ ପୁଲିସ ଘଟଣାର ୩ ଘଣ୍ଟା ଭିତରେ ଅଭିଯୁକ୍ତକୁ ଯାଁଳା ଛକରୁ କାବୁ କରିବାରେ ସଫଳ ହୋଇଛି । ଘଟଣା ଘଟିଛି ତମାଣ୍ଡୋ ଥାନା ଅଧିନ ମହୁରା ଗ୍ରାମରେ । ମୃତ ବ୍ୟକ୍ତି ହେଲେ ଖୋର୍ଦ୍ଧା ଜିଲ୍ଲା ପାଟପୁରର ସୁଶାନ୍ତ ଶତପଥୀ । ଏଠାରେ ସେ ମହୁରା ଗ୍ରାମର ଠିକାଦାର କମ୍ଭୁପାଣି ପାତ୍ରଙ୍କ ଅଫିସରେ ରହି ରୋଷେୟା ଭାବେ କାମ କରୁଥିଲେ ଓ ସେହି ଅଫିସର ଦୁଇ ମହଲାରେ ଅନ୍ୟ କିଛି କର୍ମଚାରୀ ଓ ଲେବରଙ୍କ ସହ ରହୁଥିଲେ । ପୁଲିସ କାବୁ କରିଥିବା ଅଭିଯୁକ୍ତ ହେଲା, ବୌଦ୍ଧ ଜିଲ୍ଲାର ରଞ୍ଜନ ଦିପ୍ । ତାକୁ ଥାନାରେ ଅଟକ ରଖି ଅଧିକ ପଚରା ଉଚରା ଚାଲିଥିବା ବେଳେ ଶନିବାର ଦିନ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟଯେ, ମହୁରା ଗ୍ରାମର କମ୍ଭୁପାଣି ପାତ୍ର ନାମକ ଠିକାଦାରଙ୍କ ଅଫିସରେ ରୋଷେୟା ଭାବେ କାମ କରୁଥିଲେ ମୃତ ସୁଶାନ୍ତ ଶତପଥୀ । କାମ କରିବା ସହ ଠିକାଦାରଙ୍କ ଅଫିସରେ ହିଁ ସେ କିଛି କର୍ମଚାରୀଙ୍କ ସହ ରହୁଥିଲେ । ଗୁରୁବାର ବିଳମ୍ବିତ ରାତିରେ ସୁଶାନ୍ତ ଶତପଥୀ ଓ ଅନ୍ୟ ଜଣେ ଲେବର ରଞ୍ଜନ ଦୀପ୍ ମିଶି ଅଫିସର ଛାତରେ ମଦ୍ୟପାନ କରୁଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଫଳରେ ରଞ୍ଜନ ଦୀପ୍ ଏକ ଲୁହା ରଡ଼ରେ ସୁଶାନ୍ତଙ୍କ ମୁଣ୍ଡକୁ ବାରମ୍ବାର ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲା । ପରେ ମୃତଦେହକୁ ନେଇ ଛାତ ଉପରେ ଥିବା ଟାଙ୍କି କଡରେ ଲୁଚାଇ ପରେ ସେ ଫେରାର ହେବା ବେଳେ ତଳ ଗେଟ୍ ତାଲା ପଡ଼ିଥିଲା । ଯାହାର ଚାବି ମୃତ ସୁଶାନ୍ତ ଶତପଥୀ ପାଖରେ ରହିଥିଲା । ଫଳରେ ଅଭିଯୁକ୍ତ ରଞ୍ଜନ ପୁଣି ଦୁଇ ମହଲା ଉପର ଛାତରୁ ତଳକୁ ଡେଇ ଫେରାର ହୋଇଯାଇଥିଲା । ଏହି ସମୟରେ ତଳେ ଶୋଇଥିବା ଅନ୍ୟ କର୍ମଚାରୀଙ୍କ ଭିତରୁ ଜଣେ ଛାତ ଉପରକୁ ଆସି ଦେଖିଲା ବେଳକୁ ଚାରିଆଡେ ରକ୍ତ ଭାସୁଥିବା ବେଳେ ଛାତରେ କେହି ନଥିଲେ । ଏହି ଘଟଣା ଦେଖି କର୍ମଚାରୀ ଜଣକ ଠିକାଦାର କମ୍ଭୁପାଣି ପାତ୍ରଙ୍କୁ ଜଣାଇଥିଲେ । ଏଭଳି ଘଟଣା ସୁଣି ଠିକାଦାର ତମାଣ୍ଡୋ ପୁଲିସକୁ ଖବର ଦେଇ ପୁଲିସ ସହ ଅଫିସକୁ ଆସି ଦେଖିଲା ବେଳକୁ ପାଣିଟାଙ୍କି କଡରେ ତାଙ୍କ ରୋଷେୟା ସୁଶାନ୍ତଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡି ରହିଛି । ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ ଚଳାଇ ସଙ୍ଗେ ସଙ୍ଗେ ଥାନା ଅଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଥାନାର ୨ଟି ସ୍ପେଶାଲ ଟିମ ଠିକାଦାରଙ୍କୁ ସାଙ୍ଗରେ ନେଇ ୨ଟି ଦିଗକୁ ଯାଇ ଖୋଜାଖୋଜି କରିବା ସମୟରେ ଯାଁଳା ଛକରେ ଅଭିଯୁକ୍ତ ରଞ୍ଜନକୁ କାବୁ କରିବାରେ ଏକ ଟିମ ସଫଳ ହୋଇଥିଲା । ପରେ ତାକୁ ଥାନାକୁ ଆଣି ଅଟକ ରଖାଯାଇଥିବା ବେଳେ ଶୁକ୍ରବାର ସକାଳୁ ସାଇଣ୍ଟିଫିକ୍ ଟିମ ସହ ତମାଣ୍ଡୋ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତାଙ୍କ ପରିବାରଙ୍କୁ ଖବର ଦେଇ ମୃତଦେହକୁ ହସ୍ତାନ୍ତର କରାଯାଇଛି । ଅନ୍ୟପଟେ ଅଟକ ଅଭିଯୁକ୍ତକୁ ଶନିବାର ଦିନ କୋର୍ଟ ଚାଲାଣ କରାଯିବ ।