ଏନଡିଏର ବିହାର ଇସ୍ତାହାର :କୋଟିଏ ନିଯୁକ୍ତି, କୋଟିଏ ଲକ୍ଷପତି ଦିଦି
ଅତି ପଛୁଆ ବର୍ଗଙ୍କୁ ମିଳିବ ୧୦ ଲକ୍ଷ
ପାଟନା : ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ଶୁକ୍ରବାର ଦିନ ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି । ଯେଉଁଥିରେ ଯୁବପିଢ଼ି, ଅତ୍ୟନ୍ତ ପଛୁଆ ବର୍ଗ (ଇବିସିଏସ) ଏବଂ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଅନେକ ପ୍ରମୁଖ ପ୍ରତିଶ୍ରୁତି ଦିଆଯାଇଛି ।
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜିତନ ରାମ ମାଞ୍ଝି, ଚିରାଗ ପାଶୱାନ ଓ ମେଣ୍ଟ ଅଂଶୀଦାରଙ୍କ ନେତାମାନଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଇସ୍ତାହାର ପ୍ରକାଶ କରାଯାଇଛି । କ୍ଷମତାକୁ ଆସିଲେ ରାଜ୍ୟରେ ଏକ କୋଟି ଯୁବକଙ୍କୁ ନିଯୁକ୍ତି ଯୋଗାଇବାକୁ ଏନଡିଏ ପ୍ରତିଶ୍ରୁତି ଦେଇଛି । ଏଥିପାଇଁ ପ୍ରତ୍ୟେକ ଜିଲ୍ଲାରେ ଥିବା ମେଗା ସ୍କିଲ୍ ସେଣ୍ଟରଗୁଡ଼ିକୁ ଗ୍ଲୋବାଲ୍ ସ୍କିଲିଂ ସେଣ୍ଟରରେ ଉନ୍ନୀତ କରାଯିବ ବୋଲି ଘୋଷଣା କରାଯାଇଛି । ଏହାସହ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧିକୁ ବୃଦ୍ଧି କରିବା ପାଇଁ ୫୦ ଲକ୍ଷ କୋଟି ଟଙ୍କାର ନିବେଶ ଆକର୍ଷିତ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି । ପ୍ରମୁଖ ଘୋଷଣା ମଧ୍ୟରେ ଇସ୍ତାହାରରେ ଅତ୍ୟନ୍ତ ପଛୁଆ ବର୍ଗ (ଇବିସିଏସ) ସଦସ୍ୟମାନଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ଓ ସେମାନଙ୍କ ସମସ୍ୟା ସମାଧାନ ପାଇଁ ଜଣେ କାର୍ଯ୍ୟରତ ସୁପ୍ରିମକୋର୍ଟ ବିଚାରପତିଙ୍କ ଅଧୀନରେ ଏକ କମିଶନ ଗଠନ କରିବାର ପ୍ରତିଶ୍ରୁତି ଦିଆଯାଇଛି ।
ଏନଡିଏ କହିଛିଯେ, ୧ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ବି ଏନଡ଼ିଏ ପ୍ରତିଶ୍ରୁତି ଦେଇଛି । ଇସ୍ତାହାରରେ ବିହାରରେ ସାତଟି ଏକ୍ସପ୍ରେସୱେ ନିର୍ମାଣ ଏବଂ ପାଟନା ବ୍ୟତୀତ ଚାରୋଟି ଅତିରିକ୍ତ ସହରରେ ମେଟ୍ରୋ ରେଳ ସେବା ପ୍ରଚଳନ କରିବାର ପ୍ରତିଶ୍ରୁତି ମଧ୍ୟ ଅନ୍ତର୍ଭୁକ୍ତ ଫ ଏଥିରେ ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ କଲେଜ ସହିତ ଦଶଟି ନୂତନ ଶିଳ୍ପ ପାର୍କ ଏବଂ ଏକ ବିଶ୍ୱସ୍ତରୀୟ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରିବାର ପ୍ରସ୍ତାବ ମଧ୍ୟ ଦିଆଯାଇଛି । ଶିକ୍ଷା କ୍ଷେତ୍ରରେ ଏନଡିଏ କିଣ୍ଡରଗାର୍ଡେନ୍ ଠାରୁ ସ୍ନାତକୋତ୍ତର ସ୍ତର ପର୍ଯ୍ୟନ୍ତ ମାଗଣା ଏବଂ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବ ଏବଂ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଅନୁସୂଚିତ ଜାତିର ଛାତ୍ରଛାତ୍ରୀମାନଙ୍କୁ ୨,୦୦୦ ଟଙ୍କାର ଏକକାଳୀନ ସହାୟତା ପ୍ରଦାନ କରିବ । ଏନଡିଏ ‘ପଞ୍ଚାମୃତ' ଗ୍ୟାରେଣ୍ଟି ଅଧୀନରେ ଗରିବ ଲୋକଙ୍କ ପାଇଁ ମାଗଣା ରାସନ, ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା, ୫୦ ଲକ୍ଷ ଅଧିକ ପକ୍କା ଘର ପ୍ରତିଶ୍ରୁତି ମଧ୍ୟ ଦେଇଛି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଅଧୀନରେ ଆର୍ଥିକ ସହାୟତାକୁ ବାର୍ଷିକ ୬ ହଜାର ଟଙ୍କାରୁ ୯ ହଜାର ଟଙ୍କାକୁ ବୃଦ୍ଧି କରିବ, ମତ୍ସ୍ୟଜୀବୀଙ୍କ ପାଇଁ ସହାୟତାକୁ ବାର୍ଷିକ ୪,୫୦୦ ଟଙ୍କାରୁ ୯ ହଜାର ଟଙ୍କାକୁ ବୃଦ୍ଧି କରିବ ଏବଂ ସମସ୍ତ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବ । କୃଷିଭିତ୍ତିକ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ରିତ ପ୍ରୟାସ ସହିତ ମେଡ୍ ଇନ୍ ବିହାର ପଦକ୍ଷେପ ଅଧୀନରେ କୃଷି ରପ୍ତାନୀ ଦ୍ୱିଗୁଣିତ କରାଯିବ ।
ବିହାରରେ ଏନଡିଏ କ୍ଷମତା ବଜାୟ ରଖିଲେ, ବିହାର କ୍ରୀଡା ସହର ଏବଂ ରାଜ୍ୟର ପ୍ରତ୍ୟେକ ବିଭାଗରେ କ୍ରୀଡା ପାଇଁ ଉତ୍କର୍ଷ କେନ୍ଦ୍ର ଖୋଲାଯିବ, ଯେତେବେଳେ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ କାରଖାନା ଏବଂ ୧୦ଟି ନୂତନ ଶିଳ୍ପ ପାର୍କ ସ୍ଥାପନ କରାଯିବ । ଏହା ୧୦୦ଟି ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ପାର୍କ, ୫୦ ହଜାରରୁ ଅଧିକ କୁଟୀର ଶିଳ୍ପ, ଏକ ପ୍ରତିରକ୍ଷା କରିଡର ଏବଂ ସେମିକଣ୍ଡକ୍ଟର ଉତ୍ପାଦନ ପାର୍କ ଖୋଲିବା ଇତ୍ୟାଦି ପ୍ରତିଶ୍ରୁତି ମଧ୍ୟ ଦେଇଛି । ପାଟନା ବ୍ୟତୀତ, ବିହାରର ଆଉ ୪ ସହରରେ ମେଟ୍ରୋ ଟ୍ରେନ ସେବା ଚାଲିବ । ଗିଗ୍ କର୍ମଚାରୀ ଓ ଅଟୋ-ରିକ୍ସା ଚାଳକମାନେ ମଧ୍ୟ ଆର୍ଥିକ ସହାୟତା ଏବଂ ଦକ୍ଷତା ବୃଦ୍ଧିର ସୁଯୋଗ ପାଇବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଏନଡିଏର ଏହି ମିଳିତ ଇସ୍ତାହାର ହେଉଛି "ବିହାରର ମାନ୍ୟବର ଲୋକଙ୍କ ଅମୂଲ୍ୟ ପରାମର୍ଶ ଦ୍ୱାରା ଅନୁପ୍ରାଣିତ ଏକ ଦସ୍ତାବିଜ୍, ଯାହା ସେମାନଙ୍କ ଆକାଂକ୍ଷାକୁ ପ୍ରତିଫଳିତ କରେ’ । ସେ କହିଛନ୍ତି ଯେ ଇସ୍ତାହାର ହେଉଛି "ରାଜ୍ୟର ସର୍ବାଙ୍ଗୀନ ବିକାଶ ଏବଂ ସମାଜର ପ୍ରତ୍ୟେକ ବର୍ଗର ସଶକ୍ତିକରଣ ପାଇଁ ଏକ ବ୍ଲୁପ୍ରିଣ୍ଟ’ ।