‘ଏକତା ଦୌଡ଼’ରେ ମୁଖ୍ୟମନ୍ତ୍ରୀ
ଏକତା ଓ ଦେଶପ୍ରେମ ଆମ ବିକଶିତ ଭାରତର ଶକ୍ତି : ମୋହନ
ଭୁବନେଶ୍ୱର : ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିଅମ ଠାରେ ଆୟୋଜିତ ଏକତା ଦୌଡ଼କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଏକତା, ଭାଇଚାରା ଓ ଦେଶପ୍ରେମ ଆମ ବିକଶିତ ଭାରତର ଶକ୍ତି ବୋଲି ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଭିନ୍ନତାରେ ଏକତା ହେଉଛି ଭାରତର ଆତ୍ମା ଓ ଶକ୍ତି । ଜାତି, ଧର୍ମ, ଭାଷା, ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ । ଏହି ଆତ୍ମବୋଧ ଆମକୁ ଏକଜୁଟ ରଖେ ଓ ଦେଶକୁ ଶକ୍ତିଶାଳୀ କରେ । ସର୍ଦ୍ଦାର ପଟେଲ ଏକ ଏମିତି ମହାନ ନେତା ଥିଲେ, ଯିଏ ଶତାଧିକ ରାଜା ରାଜୁଡାଙ୍କୁ ଏକତା ସୂତ୍ରରେ ବାନ୍ଧି ଏକ ଅଖଣ୍ଡ ଭାରତ ଗଢିଥିଲେ । ସର୍ଦ୍ଦାର ପଟେଲଙ୍କ ଦୃଢ଼ ସଙ୍କଳ୍ପ, ଦୃଷ୍ଟିକୋଣ ବଳରେ ଆମେ ଆଜି ଭାରତକୁ ‘ଏକ' ଦେଖୁଛୁ ବୋଲି ସେ କହିଥିଲେ । ସର୍ଦ୍ଦାର ପଟେଲଙ୍କ ଅବଦାନକୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେଯେ, ଆମେ ସମସ୍ତେ ମିଳିମିଶି, ସଂଘବଦ୍ଧ ଭାବେ କାମ କଲେ ଖୁବ୍ଶୀଘ୍ର ଆମେ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିପାରିବା । ଏହି ଦୌଡ଼ ହେଉଛି ସେହି ଏକତା, ସମନ୍ୱୟ ଓ ଦେଶପ୍ରେମର ପ୍ରତୀକ । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ରନ୍ ଫର ୟୁନିଟି’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ୨୦୧୮ରେ ଗୁଜରାଟର କେଭାଡିଆ ଠାରେ ସର୍ଦ୍ଦାର ପଟେଲଙ୍କ ୧୮୨ ମିଟର ଉଚ୍ଚ ପ୍ରତିମୂର୍ତ୍ତିର ଅନାବରଣ ହୋଇଥିଲା । ଯାହା ବିଶ୍ୱର ସର୍ବବୃହତ୍ ପ୍ରତିମା ଭାବେ ଭାରତୀୟ ଗୌରବର ପ୍ରତୀକ ହୋଇଉଠିଛି ବୋଲି ସେ କହିଥିଲେ ।
ସେ ଆହୁରି କହିଥିଲେଯେ, ଏହି ଦୌଡ଼ ଆମକୁ ମନେପକାଇ ଦେଉଛିଯେ, ଏକଜୁଟ ରହିବା ହେଉଛି ଆମର ସାମୂହିକ ଇଚ୍ଛା ଓ ଆମର ଶକ୍ତି । ସର୍ଦ୍ଦାର ପଟେଲଙ୍କ ଜୀବନରୁ ପ୍ରେରିତ ହୋଇ ଆମେ ଭାଇଚାରା, ଶାନ୍ତି ଓ ସମୃଦ୍ଧିର ବନ୍ଧନକୁ ସୁଦୃଢ଼ କରିବା ଓ ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ ଗଢିବା ପାଇଁ ଏକଜୁଟ ହେବା ଆବଶ୍ୟକ । ଏହି ଅବସରରେ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ୱାଗତ ଭାଷଣ ଦେଇ କହିଥିଲେଯେ, ଏହି ଦୌଡ଼ ମାଧ୍ୟମରେ ଆମେ ଏକତା, ସମନ୍ୱୟ ଓ ଦେଶପ୍ରେମର ଭାବନାକୁ ଜାଗ୍ରତ କରିବା । ଏକ ସଶକ୍ତ ଭାରତ ଗଢିବାରେ ନିରନ୍ତର ଅଗ୍ରସର ହେବା ଆମ ସମସ୍ତଙ୍କ ଦାୟିତ୍ୱ । ପରିଶେଷରେ ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଦବ ଧନ୍ୟବାଦ ଦେଇଥିଲେ । ସୂଚନାଯୋଗ୍ୟଯେ, ଏହି ଗଣଦୌଡ଼, କଳିଙ୍ଗ ଷ୍ଟାଡିଅମରୁ ଆରମ୍ଭ ହୋଇ ପାୱାର ହାଉସ ଛକ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା । ରନ ଫର ୟୁନିଟି କାର୍ଯ୍ୟକ୍ରମରେ ବରିଷ୍ଠ ଅଧିକାରୀ, ଛାତ୍ରଛାତ୍ରୀ, ଖେଳାଳି ଓ ସାହସ୍ରାଧିକ ନାଗରିକ ଅଂଶଗ୍ରହଣ କରିଥିଲେ ।