ଆଜିଠୁ ଖୋଲିବ ସୁଭଦ୍ରା ପୋର୍ଟାଲ

ଆଜିଠୁ ଖୋଲିବ ସୁଭଦ୍ରା ପୋର୍ଟାଲ

ଭୁବନେଶ୍ୱର : ଆସନ୍ତାକାଲି ଠାରୁ ନୂତନ ପଞ୍ଜିକରଣ ପାଇଁ ସୁଭଦ୍ରା ପୋର୍ଟାଲ ଖୋଲାଯିବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ସୂଚନା ଦେଇଛନ୍ତି । ନୂତନ ପଞ୍ଜିକରଣ ପାଇଁ ନଭେମ୍ବର ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିହେବ । ଆଦର୍ଶ ଆଚରଣ ଦୃଷ୍ଟିରୁ ନୂଆପଡା ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ଏହା ଖୋଲାଯିବ । ନୂତନ ଯୋଗ୍ୟ ମହିଳାମାନେ ଯେଉଁମାନଙ୍କ ବୟସ ୧ ଅପ୍ରେଲ, ୨୦୨୫ ସୁଦ୍ଧା ୨୧ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ହୋଇଥିବ ଏବଂ ଏହି ଯୋଜନା ଅନ୍ତର୍ଗତ ଅନ୍ୟାନ୍ୟ ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବେ ସେମାନେ ଏଥିରେ ଆବେଦନ କରିପାରିବେ । ଯେଉଁ ମହିଳାମାନେ ଗତ ଆର୍ଥିକ ବର୍ଷରେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ଥାଇ ମଧ୍ୟ ଆବେଦନ କରିପାରିନଥିଲେ, ସେମାନଙ୍କୁ ପୁଣିଥରେ ଚଳିତ ବର୍ଷ ଆବେଦନ ପାଇଁ ସୁଯୋଗ ଦିଆଯାଇଛି । 

  ନୂଆପଡା ଜିଲ୍ଲା ବ୍ୟତୀତ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ର ଏବଂ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରେ ବିନାଦେୟରେ ସୁଭଦ୍ରା ଆବେଦନ ପତ୍ର ଉପଲବ୍ଧ ହେବ । ଏତଦ୍‌ବ୍ୟତୀତ ନିକଟସ୍ଥ ଆମ ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ରରେ ମଧ୍ୟ ଦେୟମୁକ୍ତ ଭାବେ ପଞ୍ଜିକରଣ କରାଯାଇପାରିବ । ଏଥି ପାଇଁ ନିଜର ଆଧାର ନମ୍ବର ଓ ଆଧାର ସହ ଲିଙ୍କ୍‌ ଥିବା ମୋବାଇଲ୍‌ ନମ୍ବର ପ୍ରଦାନ କରି ଜଣେ ହିତାଧିକାରୀ ଆବେଦନ କରିପାରିବେ । ସୁଭଦ୍ରା ନିୟମାବଳୀ ଅନୁଯାୟୀ ଯୋଗ୍ୟ ବିବେଚିତ ସମସ୍ତ ଆବେଦନକାରୀଙ୍କୁ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଦୁଇଟି କିସ୍ତି ପ୍ରଦାନ କରାଯିବ ଏବଂ ଯଦି ସେମାନଙ୍କ ଯୋଗ୍ୟତା ବଜାୟ ରହେ ପରବର୍ତ୍ତୀ ବର୍ଷଗୁଡିକରେ ମଧ୍ୟ ଏହି ସୁବିଧା ମିଳିବ । 

   ଅପରପକ୍ଷରେ ଆଜି ସୁଭଦ୍ରା ଏକତା ପଦଯାତ୍ରାର ଆୟୋଜନ କରାଯାଇଥିଲା । ଏଥିରେ ଉପମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ବିଏମସି ମେୟର ସୁଲୋଚନା ଦାଶ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ  ଶୁଭା ଶର୍ମା, ସମନ୍ୱିତ ଶିଶୁ ବିକାଶ ସେବା ଓ ସାମାଜିକ କଲ୍ୟାଣ ନିର୍ଦ୍ଦେଶିକା ମୋନୀଷା ବାନାର୍ଜୀ, ବିଏମ୍‌ସି କମିଶନର ଚଞ୍ଚଲ ରାଣାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏବଂ ସୁଭଦ୍ରା ଯୋଜନାର ହିତାଧିକାରୀ ଉପସ୍ଥିତ ଥିଲେ ।