ଦାଦନ ଦୋଷ ଲଦାଲଦି

 ଭୁବନେଶ୍ୱର:  ଦାଦନ ସମସ୍ୟା ରାଜ୍ୟକୁ ଆକ୍ତାମାକ୍ତା କରିଦେଲାଣି  । ରାଜ୍ୟର ଲକ୍ଷ ଲକ୍ଷ ଲୋକ କାମ ଖୋଜିବାକୁ ବାହାର ରାଜ୍ୟକୁ ଯାଉଛନ୍ତି  । କିଏ କ୍ଷତାକ୍ତ ହୋଇ ତ ଆଉ କିଏ ଶବ ହୋଇ ଆସୁଛି  । ଅନେକ ନିର୍ଯ୍ୟାତନାର ବି ଶିକାର ହେଉଛନ୍ତି  । ଦାଦନ ସମସ୍ୟାକୁ ନେଇ ଆଜି ବିଧାନସଭା ସରଗରମ ହୋଇଯାଇଛି  । ଶାସକ ଓ ବିରୋଧୀ ପରସ୍ପର ଉପରେ ଦାଦନ ଦୋଷ ଲଦିଛନ୍ତି  । 
ଦାଦନ ନରୋକିଲେ ଲୋକେ କ୍ଷମା ଦେବେନାହିଁ ବୋଲି କଂଗ୍ରେସ କହିଥିବାବେଳେ କାମ ଯୋଗାଇବାରେ ସରକାରଙ୍କ ବିଫଳତାକୁ ନେଇ ବିଜେଡ଼ି ଟାର୍ଗେଟ୍ କରିଥିଲା । ଅପରପକ୍ଷରେ ଉଭୟ କଂଗ୍ରେସ ଓ ବିଜେଡ଼ି ରାଜ୍ୟକୁ ଦୀର୍ଘଦିନ ଧରି ଶାସନ କରିଥିବାରୁ ସେମାନଙ୍କ ଉପରେ ବିଜେପି ଦାଦନ ଦୋଷ ଲଦିଛି ।
ଅପରପକ୍ଷରେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିରୋଧୀଙ୍କ ଉପରେ ବର୍ଷିଥିବାବେଳେ ୫ ମାସର ସରକାର ନେଇଥିବା ପଦକ୍ଷେପ ସଂକ୍ରାନ୍ତରେ ଆଲୋକପାତ କରିଥିଲେ  । ଯୁବକଙ୍କ ପାଇଁ ନିଯୁକ୍ତି ଓ ଲୋକଙ୍କ ପାଇଁ କାମ ଯୋଗାଇବାକୁ ଆମେ ପଦକ୍ଷେପ ନେଇଛୁ  । ଦାଦନ ରୋକିବାକୁ ସ୍ୱତନ୍ତ୍ର ଟାସ୍କଫୋର୍ସ ବି ଗଠନ କରାଯାଇଛି ବୋଲି ସେ କହିଥିଲେ  ।
ମୁଲତବୀ ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ ଦାସ କହିଥିଲେ, ଦାଦନଙ୍କ ଦୁଃଖ ବୁଝିବା ପାଇଁ ସରକାରଙ୍କ ଆନ୍ତରିକତା ନାହିଁ  । ପୂର୍ବ ସରକାର ଓ ଏବେର ସରକାର ଏଥିପ୍ରତି ଗୁରୁତ୍ୱ ଦେଇନାହାନ୍ତି । ଦାଦନମୁକ୍ତ ଓଡ଼ିଶା ଗଠନ ଓ ପ୍ରତିବର୍ଷ ଦୁଇ ଲକ୍ଷ ନିଯୁକ୍ତି କଥା କୁହାଯାଇଥିଲା । କିନ୍ତୁ କିଛି ବି ପଦକ୍ଷେପ ନିଆଯାଇନାହିଁ । ଆମ ରାଜ୍ୟରେ ଖଣି ପାଣି ଥିବା ଲୋକେ କାହିଁକି ବାହାର ରାଜ୍ୟକୁ ଖଟିବାକୁ ଯିବେ ? ମନରେଗା ଆଜି ବାଟବଣା ହୋଇଯାଇଛି  ।  ଯେଉଁମାନେ ଚାକିରି କରିଛନ୍ତି ତାଙ୍କ ନାଁରେ ବି ଶ୍ରମିକ କାର୍ଡ଼ ରହିଛ । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲରେ ଜଣେ ଶ୍ରମିକ ନିଜ ପିଲାକୁ ଆଣି ଜିଲ୍ଲାପାଳଙ୍କ ଆଗରେ ରଖିକି କହିଲେ, ମୁଁ ପିଲା ପୋଷି ପାରିବି ନାହିଁ  । ଏଭଳି କରୁଣ କାହାଣୀ ଏବେବି ଆସିବା ଚିନ୍ତାର ବିଷୟ  । ଓଡ଼ିଆ ଅସ୍ମିତା କହି ସରକାରକୁ ଆସିଛନ୍ତି ଆଉ ଆମ ଓଡ଼ିଆ ଅସ୍ମିତାକୁ ଗୋତି ଶ୍ରମିକ ନକରନ୍ତୁ ବୋଲି ସେ କହିଛନ୍ତି  ।
କଂଗେସ ବିଧାୟିକା ସୋଫିଆ ଫିଦେ୍ର୍ଦାଷ କହିଥିଲେ, ସୂତାକଳ, ଇଟାଭାଟିରେ କାମ ଓ ରୋଜଗାର କରିବା ପାଇଁ ଲକ୍ଷ ଲକ୍ଷ ପିଲା ସୁରତ ଯାଉଛନ୍ତି  । ବିଗତ ୫ ବର୍ଷରେ ୧୮ ଲକ୍ଷ ପିଲାଙ୍କୁ ତାଲିମ ଦିଆଯାଇଥିବା ବେଳେ ମାତ୍ର ୧ ଲକ୍ଷ ପିଲା ରୋଜଗାର ପାଇଛନ୍ତି  । କୋଭିଡ ସମୟରେ ୪୦ ଲକ୍ଷ ପିଲା ବାହାରୁ ଆସିଥିଲେ  । କିନ୍ତୁ ଆମର ସାଧନ ନଥିବା ଯୋଗୁ ପୁଣି ଦାଦନ ଖଟିବାକୁ ଫେରିଗଲେ  ।
ବିଜେଡ଼ି ବିଧାୟକ କଳିକେଶ ସିଂହଦେଓ କହିଥିଲେ, ରାଜ୍ୟରେ ପ୍ରାୟ ୨୦ ଲକ୍ଷ ଲୋକ ଦାଦନ ଯାଉଛନ୍ତି  । କୋଭିଡ ସମୟରେ ଏହି ତଥ୍ୟ ସାମ୍ନାକୁ ଆସିଲା  । ଦାଦନ ରୋକିବାକୁ ହୋଇଥିବା ଟାସ୍କଫୋର୍ସ କି ପଦକ୍ଷେପ ନେଇଛନ୍ତି?  ମନରେଗାରୁ ୪୦ ଲକ୍ଷ ଶ୍ରମିକଙ୍କ ନାଁ କଟିଛି  । ପଶ୍ଚିମ ଓଡ଼ିଶାରେ ଦାଦନ ଅଧିକା ହେଲେ ସରକାର ଡବ୍ଳୁ୍ୟଓଡ଼ିସିର ୫ ଶହ କୋଟି ଟଙ୍କା ବନ୍ଦ କରି ଦେଇଛନ୍ତି । ଶ୍ରମିକ ସର୍ଦ୍ଦାରଙ୍କ ସହ ସମ୍ପର୍କ ଥିବାରୁ ଆନ୍ଧ୍ର ପ୍ରଦେଶରେ ୧୬ ଜଣ ଦାଦନ ଶ୍ରମିକଙ୍କୁ ନିର୍ଯାତନା ଦିଆଯାଉଥିଲେ ବି ସରକାର ପଦକ୍ଷେପ ନେଉନାହାନ୍ତି । ବିଜେଡି ବିଧାୟକ ରମେଶ ଚନ୍ଦ୍ର ବେହେରା  ଓ ଗଣେଶ୍ୱର ବେହେରା ଆଲୋଚନାରେ ଭାଗ ନେଇ ସରକାରଙ୍କ ଉପରେ ବର୍ଷିଥିଲେ  । 
ଧ୍ୟାନ ଆକର୍ଷଣକାରୀ ନୋଟିସ୍ ଜରିଆରେ ତକôାଳୀନ ବିଜେଡ଼ି ସରକାରକୁ ଟାର୍ଗେଟ କରି ଶାସକ ଦଳ ସଭ୍ୟ ଟଙ୍କଧର ତ୍ରିପାଠୀ କହିଥିଲେ, ଯୁବକଙ୍କୁ ତାଲିମ ଦେଇ ଉପହାସ କରିଛନ୍ତି ପୂର୍ବ ସରକାର  । ୨୨୬ଟି ନିଯୁକ୍ତି ମେଳା କରିଥିଲେ, ଯେଉଁଥିରେ ୩ କୋଟି ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କଲେ । କିନ୍ତୁ ନିଯୁକ୍ତି ମିଳିଲା ନାହିଁ  ।  ସର୍ବଭାରତୀୟ ସ୍ତରରେ ବେକାରୀ ହାର ୧୭.୩% ଥିବା ବେଳେ ଓଡ଼ିଶାରେ ୨୦.୯% ରହିଛି  । ଆଇଏଲଏ ରିପୋର୍ଟ ଅନୁଯାୟୀ, ଶ୍ରମ ନିୟୋଜନ ହାର ୨୦୦୫ରେ ୫୪ ପ୍ରତିଶତ ଥିବା ବେଳେ ୨୦୨୨ରେ ୪୬.୨୩ ପ୍ରତିଶତ ରହିଛି  । ସବୁଠୁ ଅଧିକ ଦାଦନ ଶ୍ରମିକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁରୁ ଯାଉଛନ୍ତି । ବିଜେଡ଼ି ସରକାର ଯୁବକଙ୍କ ମୁଣ୍ଡରେ ଦାଦନର କଳଙ୍କ ଉପାଧି ଦେଇଛି । ଏହି ପାପର ପ୍ରାୟଶ୍ଚିତ କରିବ ବିଜେପି ସରକାର । ସେହିପରି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ, ପ୍ରତାପ ଚନ୍ଦ୍ର ନାୟକ ଓ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ପ୍ରମୁଖ ପୂର୍ବ ସରକାରକୁ ଟାର୍ଗେଟ କରି ଶାଣିତ ଆକ୍ରମଣ କରିଥିଲେ  ।
ଆଲୋଚନାର ଉତ୍ତର ରଖି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଲେ ଯେ, ୨୪ ବର୍ଷର ଲମ୍ବା ଶାସନ କାଳରେ କିଛି କରିପାରିଲେନି । ହେଲେ ୫ ମାସର ସରକାରଙ୍କ ଉପରେ ଦୋଷ ଲଦିଛନ୍ତି । ପୂର୍ବ ସରକାର ଅମଳରେ ୨୦ ଲକ୍ଷ ଲୋକ ଦାଦନ ଯାଉଥିଲେବି ବିଜେଡ଼ି ବିଧାୟକ ସ୍ୱୀକାର କରିଛନ୍ତି  । ଚଳିତ ବର୍ଷ ୬୦ ହଜାର ଲୋକ ବାହାର ରାଜ୍ୟକୁ ଯାଇଛନ୍ତି  । ପୂର୍ବର କଂଗ୍ରେସ ଓ ବିଜେଡ଼ି ସରକାର ଏନେଇ କିଛି ପଦକ୍ଷେପ ନେଇନଥିଲେ  । ମୁଁ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଚାକିରୀ କରୁଥିଲି । କେଉଁ ଦଳର ନେତାଙ୍କ ସହ ଦାଦନ ସର୍ଦ୍ଦାରଙ୍କ ସମ୍ପର୍କ ତାହା ସମସ୍ତେ ଜାଣିଛନ୍ତି  । ବିରୋଧୀ ଦଳର ବ୍ଳକ ଅଧ୍ୟକ୍ଷ ଓ ସରପଞ୍ଚମାନଙ୍କ ଦାଦନ ସର୍ଦ୍ଦାରଙ୍କ ସହ ନିଘନ ସମ୍ପର୍କ ଅଛି  । ଆମେ ଦାଦନ ମୁକ୍ତ ପାଇଁ ଟାସ୍କଫୋର୍ସ ଗଠନ କରିଛୁ । ସ୍କିଲ ମ୍ୟାପିଂ ମଧ୍ୟ କରାଯାଉଛି  । ୧.୪୬ ଲକ୍ଷ ନିଯୁକ୍ତି ସୁଯୋଗ ପାଇଁ ମୋହନ ମାଝୀଙ୍କ ସରକାର ପଦକ୍ଷେପ ମଧ୍ୟ ନେଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି  ।