ଏଫଏମ୍ କଲେଜ ଛାତ୍ରୀ ନିର୍ଯାତନା ଘଟଣା: ବିଜେଡିର ବିକ୍ଷୋଭ
ବାଲେଶ୍ୱର : ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା ନିଆଁରେ ସାରା ଓଡ଼ିଶା ଜଳୁଛି । ଛାତ୍ରୀଙ୍କୁ ନ୍ୟାୟ ପାଇଁ ଜାରି ରହିଛି ପ୍ରତିବାଦ । ବିଜେଡି ପକ୍ଷରୁ ସୋମବାର ବାଲେଶ୍ୱର ଏଫଏମ୍ କଲେଜ ଆଗରେ ବିକ୍ଷୋଭ କରାଯାଇଛି । ବାଲେଶ୍ୱରର ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଜୋରଦାର ପ୍ରତିବାଦ କରିଛି ଦଳ । ଏଫଏମ କଲେଜ ସାମ୍ନାରେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ, ସାଂସଦ, ବିଧାୟକଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଛି । ତେବେ ଗେଟରେ ତାଲା ପକାଇ ଏହି ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଥିବା ବେଳେ ଗେଟ୍ ସାମ୍ନାରେ ଟାୟାର ଜାଳି ନ୍ୟାୟ ଦାବିରେ ରାସ୍ତାରେ ବସିଥିଲେ ଦଳୀୟ କର୍ମୀ । ଅପାରଗ ସରକାର ରାଜ୍ୟରେ କଲେଜ ଛାତ୍ରୀଙ୍କୁ ସୁରକ୍ଷା ଦେବାରେ ଅସମର୍ଥ ବୋଲି ବିଜେଡି କର୍ମୀ ଅଭିଯୋଗ ଆଣି ଉଭୟ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ ଦାବି କରିଛନ୍ତି । ଏଥିସହ ସମସ୍ତ ଦୋଷୀଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଗତକାଲି ମଧ୍ୟ ବାଲେଶ୍ୱର ଘଟଣାରେ ରାଜଧାନୀରେ ପ୍ରତିବାଦ ଦେଖିବାକୁ ମିଳିଥିଲା । ରାଜଧାନୀରେ ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା ।