ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମହୁତି ଘଟଣା: ବିଭିନ୍ନ ସ୍ଥାନରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
ହିଞ୍ଜିଳିକାଟୁ : ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା ନିଆଁରେ ସାରା ଓଡ଼ିଶା ଜଳୁଛି । ଛାତ୍ରୀଙ୍କୁ ନ୍ୟାୟ ପାଇଁ ଜାରି ରହିଛି ପ୍ରତିବାଦ । ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ଛାତ୍ର କଂଗ୍ରେସ ପକ୍ଷରୁ ମଙ୍ଗଳବାର ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଛି । ବାଲେଶ୍ୱରର ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଜୋରଦାର ପ୍ରତିବାଦ କରିଛି ଛାତ୍ର କଂଗ୍ରେସ । ହିଞ୍ଜିଳି ଛାତ୍ର କଂଗ୍ରେସ ସଭାପତି ସଞ୍ଜୟ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ହିଞ୍ଜିଳିକାଟୁ ପରିବା ବଜାର ସ୍ଥିତ ଇନ୍ଦିରା ଗାନ୍ଧୀ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଏକ ଶୋଭାଯାତ୍ରାରେ ବାହାରି ସରକାର ବିରୁଦ୍ଧରେ ସ୍ଲୋଗାନ ଦେଇ ହିଞ୍ଜିଳିକାଟୁ ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ପ୍ରତିବାଦ କରିଥିଲେ । ଅପାରଗ ସରକାର ରାଜ୍ୟରେ କଲେଜ ଛାତ୍ରୀଙ୍କୁ ସୁରକ୍ଷା ଦେବାରେ ଅସମର୍ଥ ବୋଲି ହିଞ୍ଜିଳି ଛାତ୍ର କଂଗ୍ରେସ ଅଭିଯୋଗ ଆଣି ଉଭୟ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ ଦାବି କରିଛନ୍ତି । ଏଥିସହ ସମସ୍ତ ଦୋଷୀଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଏହି ଅବସରରେ ଛାତ୍ର କଂଗ୍ରେସ ପକ୍ଷରୁ ଆକାଶ ସେଠୀ, ବିରେନ୍ଦ୍ର ରାଉତ, ରାମ ପାଣିଗ୍ରାହୀ, କୁଲୁ ବେହେରା, ରାଜା ସ୍ୱାଇଁ, ରାଜା ବେହେରାଙ୍କ ସହ ବହୁ ଛାତ୍ର ନେତା ଉପସ୍ଥିତ ଥିଲେ ।
ନୂଆପଡ଼ା : ନୂଆପଡା ଜିଲ୍ଲା ଖଡ଼ିଆଳ କଂଗ୍ରେସ ପକ୍ଷରୁ ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମହୁତି ଘଟଣାରେ ଖଡ଼ିଆଳ ବିଧାୟକ ପ୍ରାର୍ଥô କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ପ୍ରତିବାଦ କରାଯାଇ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ଏହି ଅବସରରେ ଶତାଧିକ କଂଗ୍ରେସ କର୍ମୀ ବିଜେପିର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଆତ୍ମହୁତି କରିଥିବା ଛାତ୍ରୀଙ୍କ ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟ ସରକାର ଛାତ୍ରୀଙ୍କ ସୁରକ୍ଷା ଯୋଗାଇ ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି । ଘଟଣାରେ ସମ୍ପୃକ୍ତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବାକୁ କଂଗ୍ରେସ ଦାବି କରିଛି । ଏଥିସହ କଂଗ୍ରେସ ନେତା ଓ କର୍ମୀମାନେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ତୁରନ୍ତ ଇସ୍ତଫା ଦାବି କରିଥିଲେ । ପରେ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ପ୍ରବୀଣ ପଟ୍ଟନାୟକ, ପ୍ରଦୀପ ବେହେରା, କିରନ ସରାଫ, ଭୋଳା ବାଗ, ତୁଷାର ବତାଣ୍ଡି, ଅଙ୍କିତ କିଶୋର, ରାଜେଶ ବେହେରା ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।
ଦେବଗଡ଼ : ଦେବଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣାରେ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା କଂଗ୍ରେସ ସଂଯୋଜକ ସେମ ହେମ୍ରମଙ୍କ ନେତୃତ୍ୱରେ କଂଗ୍ରେସର ବହୁ କର୍ମୀ ଏଥିରେ ସାମିଲ ହୋଇଥିଲେ । ତଦନ୍ତରେ ଅବହେଳା ଏବଂ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନରେ ସରକାର ଫେଲ ମାରିଥିଲା । ଯାହାଫଳରେ ବାଧ୍ୟ ହୋଇ ଛାତ୍ରୀ ଜଣକ ଆତ୍ମହତ୍ୟା କଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉଚ୍ଚ ଶିକ୍ଷାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କୁ କଂଗ୍ରେସ ଦାୟୀ କରି କୁଶପୁତ୍ତଳିକା ଦାହା କରିବା ସହ ଇସ୍ତଫା ଦାବି କରିଛି ।
କେନ୍ଦୁଝର : ଫକୀର ମୋହନ ମହାବିଦ୍ୟାଳୟରେ ବିଇଡି ଛାତ୍ରୀ ସୌମ୍ୟାଶ୍ରୀ ବିଶିଜୀବନ ସହ ସଙ୍ଘର୍ଷ କରି ଶେଷରେ ହାରିଯାଇ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଅପାରଗ ଏବଂ ସ୍ଥାଣୁ ବିଜେପି ସରକାର ପାଇଁ ଗୋଟେ ନିରୀହ ଝିଅର ଜୀବନ ବାଜି ଲାଗିଛି । ଏହି ଭଉଣୀଟି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜଣେ ସଦସ୍ୟ ଥିଲେ ମଧ୍ୟ ନିଜ ଉପରେ ଉକ୍ତ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀଙ୍କ ଦ୍ୱାରା ଶାରୀରିକ ଓ ମାନସିକ ନିର୍ଯ୍ୟାତନାର ଶିକାର ହୋଇ ନ୍ୟାୟ ଅଧିକାର ପାଇଁ ନିଜ ଦଳର କର୍ମକର୍ତ୍ତାଙ୍କୁ ଜଣାଇ ବିଫଳ ହୋଇ ଶେଷରେ ଆତ୍ମହତ୍ୟା ପରି ବିକଳ୍ପ ବାଛି ନେଇଥିଲେ । ଯୁବ କଂଗ୍ରେସ ସଭାପତି ସୁନେଶ ଧୀରଙ୍କ ନେତୃତ୍ୱରେ ଛାତ୍ର ଓ ମହିଳାମାନେ ଶୋଭାଯାତ୍ରାରେ କରି ଜିଲ୍ଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି କୁଶ ପୁତ୍ତଳିକା ଦାହ କରିଥିଲେ । କଂଗ୍ରେସ ନେତା ମାନେ ମୃତ ପୀଡିତଙ୍କ ପରିବାରକୁ ୨୫ ଲକ୍ଷ ଅନୁଦାନ ଦେବା ସହିତ ଏହି ଏହି ଘଟଣାର ନିରପେକ୍ଷ ବିଚାର ତଦନ୍ତ ପାଇଁ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି । ରାଜ୍ୟ କଂଗ୍ରେସ ଆଦିବାସୀ ସେଲ୍ ଅଧ୍ୟକ୍ଷ ଯଶବନ୍ତ ନାରାୟଣ ସିଂ ଲାଗୁରି, ସଂଯୋଜକ ସଂଗୀତା ସିଂହ, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକ, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡା, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, କଂଗ୍ରେସ ନେତ୍ରୀ ପ୍ରତିଭା ମଞ୍ଜରୀ ନାଏକ, ସସ୍ମିତା ବେହେରା, ସେବତୀ ମହାନ୍ତ, ସୋନାଲି ମାର୍ଣ୍ଡି, ପ୍ରେମଲତା ବେହେରା, କଂଗ୍ରେସ ନେତା ନିର୍ମଳ ନାଏକ, ଲଳିତ ମୋହନ ନାଏକ, ରତ୍ନାକର ଜେନା, କ୍ଷୀରୋଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ସାଲେପୁର : ବାଲେଶ୍ୱର ଛାତ୍ରୀ ଆତ୍ମାହୁତି ଉଦ୍ୟମ ଓ ମୃତୁ୍ୟ ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହ ରାଜ୍ୟରେ ଆଇନ୍ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ କରି ସାଲେପୁର ବ୍ଲକ୍ ଛାତ୍ର କଂଗ୍ରେସ କମିଟି ପକ୍ଷରୁ ଛାତ୍ର କଂଗ୍ରେସ୍ ସଭାପତି ଲିପୁନ୍ ଜେନାଙ୍କ ନେତୃତ୍ୱରେ ଶତାଧିକ ଛାତ୍ରଛାତ୍ରୀ ଆଜି ସାଲେପୁର କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିବା ଜଣାଯାଇଛି । ବାଲେଶ୍ୱର ଫକିର ମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ କଲେଜର ଅଧ୍ୟାପକ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା, ଏ ସଂପର୍କରେ ସ୍ୱର୍ଗତା ବିଶି ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ପୁଲିସ ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ ସଂପୃକ୍ତ ଅଧ୍ୟାପକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଶେଷରେ ସଂପୃକ୍ତା ଛାତ୍ରୀ ଜଣକ ଆତ୍ମାହୂତି ଉଦ୍ୟମ କରି ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଥିଲା । ତାଙ୍କ ମୃତୁ୍ୟ ପାଇଁ ରାଜ୍ୟ ସରକାର ଦାୟୀ ବୋଲି ଅଭିଯୋଗ କରି ସାଲେପୁର କଂଗ୍ରେସ ନେତା ଆକୁ୍ୟବ୍ ଖାଁଙ୍କ ନିଦେ୍ର୍ଦଶରେ ଛାତ୍ର କଂଗ୍ରେସ କମିଟି ପକ୍ଷରୁ ବହୁ ଛାତ୍ରଛାତ୍ରୀ ଏହି ଘଟଣାର ସିବିଆଇ. ତଦନ୍ତ ଦାବି କରିବା ସହ କଲେଜ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସାଲେପୁର ବ୍ଲକ୍ ଛାତ୍ର କଂଗ୍ରେସ ଉପସଭାପତି ସୟଦ ଅହମ୍ମଦ ଅଲ୍ଲି, ଯୁବ କଂଗ୍ରେସ ସଭାପତି ବିସ୍ମୟ ରଂଜନ ଭୂୟାଁ, ରୂପକ ଭୂୟାଁ, ସଫିଉଲ୍ ଆଲାମ, ସେକ୍ ପୀର ବକ୍ସ, ସରୋଜ କୁମାର କର ପ୍ରମୁଖ ଆନେ୍ଦାଳନରେ ସାମିଲ ହୋଇଥିଲେ ।