ଏବେବି ଯୋଜନାରୁ ବଞ୍ଚôତ ପୂର୍ବତନ ବ୍ଲକ ଅଧ୍ୟକ୍ଷା
ଯାଜପୁର/ବୈରୀ: ବଡଚଣା ବ୍ଲକର ପୂର୍ବତନ ଅଧ୍ୟକ୍ଷା ଶୁକ୍ରମଣି ପୂର୍ତ୍ତୀ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ନିକଟସ୍ଥ ବୁଢାକେନ୍ଦୁଆ ହାଟରେ ହାଣ୍ଡିଆ ବେପାର କରି ପରିବାର ପ୍ରତିପୋଷଣ କରୁଥିବାରୁ ପ୍ରାୟ ସାଢେ ତିନି ବର୍ଷ ତଳେ ସୂର୍ଯ୍ୟପ୍ରଭାରେ ଖବର ପ୍ରସାରଣ କରାଯାଇଥିଲା । ଏବେ ଶାଳପଡା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତପନ କୁମାର ଗୁରୁ ଜଣାଇଛନ୍ତି ଯେ ଆବାସ ପ୍ଲସ୍ ପୋର୍ଟାଲ୍-୨୦୨୪ରେ ଶୁକ୍ରମଣିଙ୍କ ନାମ ଭତ୍ତି କରାଯାଇଛି । ଏହା ବଡଚଣା ବିଡିଓଙ୍କ ଚିଠି ନଂ ୨୯୯୭ ତା ୨୮ା୫ା୨୦୨୫ରୁ ସ୍ପଷ୍ଟ ହୋଇଛି । ସେହିପରି ରାସନ କାର୍ଡର ଅଭିଯୋଗ ଉପରେ ବିଡିଓ ଚିଠି ନଂ ୨୯୯୯ ତା ୨୮ା୫ା୨୦୨୫ ରିଖରେ ଜଣାଇଛନ୍ତି ଯେ ଶୁକ୍ରମଣି ପୂତ୍ତି ନିୟମିତ ଭାବରେ ପ୍ରତି ମାସରେ ରାସନ କାର୍ଡ ନଂ ୧୩୦୧୩୨୧୨୦୩୪ ମାଧ୍ୟମରେ ରାସନ ଉଠାଉଛନ୍ତି । କରୋନା ସମୟମରେ ତାଙ୍କର ରାସନ କାର୍ଡ ସୃଷ୍ଟି ହୋଇନଥିଲା ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ତେଣୁ ସେ କାର୍ଡ ପିଛା ୧୦୦୦ ଟଙ୍କା ପାଇ ପାରିନାହାନ୍ତି । ତାଙ୍କ ବୋହୂର ସେତେ ବେଳେ ସେ ଆଧାର କାର୍ଡ ପ୍ରଡୁ୍ୟସ କରିପାରି ନଥିଲେ । ସେଥିପାଇଁ ତାଙ୍କ ବୋହୂ ରାସନରୁ ବଞ୍ଚôତ ଥିଲେ । ସ୍ୱଚ୍ଛ ଭାରତ ଅଧିନ ଆଇଏଚ୍ଏଚ୍ଏଲ୍ ଯୋଜନାରେ ତାଙ୍କୁ ୨୦୨୧-୨୨ରେ ଶୌଚାଳୟ ପ୍ରଦାନ କରାଯାଇଛି । ଯେହେତୁ ସେ ଶୌଚାଳୟ ନିର୍ମାଣ ପାଇଁ ଅସମର୍ଥ ଥିଲେ ତେଣୁ ୧୨ହଜାର ଟଙ୍କା ବ୍ୟୟରେ ଏକ ସଂସ୍ଥା ଦ୍ୱାରା ଲାଟିନ ନିର୍ମାଣ କରାଯାଇଥିବା ବିଡିଓ ଚିଠି ନଂ ୩ ହଜାରରେ ଉଲ୍ଲେଖ କରିଛନ୍ତି । ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସରକାର ତତ୍ପର ହୋଇ କାର୍ଯ୍ୟାନୁଷ୍ଠାନ ନେବା କଥା । କିନ୍ତୁ ଶୁୁକ୍ରମଣିଙ୍କ କ୍ଷେତ୍ରରେ ସେପରି ଘଟିନାହିଁ । ଏହି ଘଟଣାକୁ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏପରିକି ରାଷ୍ଟ୍ରମୁଖ୍ୟଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଅଭିଯୋଗ କରାଯାଇଥିଲା । ରାଷ୍ଟ୍ରିୟ ଅନୁସୂଚିତ ଜନଜାତି ଆୟୋଗ ବି ଘଟଣାକୁ ଗୁରୁତର ସହ ନେଇ ଯାଜପୁର ଜିଲାପାଳଙ୍କୁ ନୋଟିସ କରିଥିଲେ । ଗୋଟିଏ ଅଭିଯୋଗକୁ ଦୁଇ ମାସ ମଧ୍ୟରେ ସମାଧାନ କରିବାର ପ୍ରାବଧାନ ଅଛି । କିନ୍ତୁ ଏଠାରେ ଦୀର୍ଘ ସାଢେ ତିନି ବର୍ଷ ପରେ ବି ଅଭିଯୋଗ ସମ୍ପୂର୍ଣ୍ଣ ସମାଧାନ ହୋଇ ପାରିନାହିଁ । ‘ଖୁଦା ପାହାଡ୍, ନିକଲା ଚୁହା, ୱ ଫିର୍ ମରା ହୁଆ’ ଉକ୍ତିଟି ଏହି ଘଟଣା ପାଇଁ ଉପଯୁକ୍ତ ପରି ମନେହୁଏ । ଏହି ସାଢେ ତିନି ବର୍ଷ ମଧ୍ୟରେ ସରକାର କେତେ ଥର ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରିସାରିଲେଣି । ଅନ୍ତୋଦୟ ଗୃହ ଯୋଜନାରେ ବିଜେପି ସରକାର ପ୍ରଥମ ପର୍ଯ୍ୟାୟରେ ୬୦ହଜାର କାର୍ଯ୍ୟାଦେଶ ଦେଇ ସାରିଲେଣି । ପୁନଶ୍ଚ ଏକ ଲକ୍ଷ ଗୃହ ଆବଣ୍ଟନର ପ୍ରସ୍ତୁତି ଚାଲିଛି । ପଞ୍ଚାୟତ ନିର୍ବାଚନ ପରେ ପରେ ପର୍ଯ୍ୟାପ୍ତ ଆବାସ ବଣ୍ଟନ କରାଯାଇଥିଲା । ଏତେ ଅଭିଯୋଗ ପରେ ସେତେବେଳେ କଣ ଶୁକ୍ରମଣି ଆବାସ ପାଇବା ପାଇଁ ହକ୍ଦାର ନ ଥିଲେ, ନା ଆଦିବାସୀ ବୋଲି ସେ ପ୍ରତିବାଦ କରିପାରିବେ ନାହିଁ । ତେଣୁ ତାଙ୍କୁ ଆବାସ ନ ଦେଲେ କିଛି ଅସୁବିଧା ନାହିଁ । ସାଢେ ତିନି ବର୍ଷ ପରେ ଯେଉଁ ଅଭିଯୋଗର ଉତ୍ତର ମିଳିଲା ତାହା ପୁଣି ଅଧା ଅଧୁରା । ମଝିରେ ତାଙ୍କ ରାସନକାର୍ଡ କାହିଁକି କଟିଗଲା ଓ ସେ ବହୁ ଆବେଦନ କଲା ପରେ ମଧ୍ୟ କାହିଁକି ତାଙ୍କ ଦରଖାସ୍ତ କାର୍ଯ୍ୟକାରୀ ହେଲା ନାହିଁ ତାହାର ତ ଉତ୍ତର ଦିଆଯାଇ ନାହିଁ । କେଉଁ ସଂସ୍ଥା ଶୌଚାଳୟ ନିର୍ମାଣ କଲେ ତାହାର ବି ନାମ ପ୍ରଦତ୍ତ ତଥ୍ୟରେ ଦିଆଯାଇ ନାହିଁ । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ମାଗଣା ରନ୍ଧନ ଗ୍ୟାସ୍ ଏବେ ବି ତାଙ୍କ ପାଇଁ ସାତ ସପନ । ନିଜର ସାମ୍ବିଧାନିକ କତ୍ତବ୍ୟ ଠିକରେ ତୁଲାଉ ନଥିବା ଏହି ସରକାରୀ ଅଧିକାରୀଙ୍କୁ କଣ ଦଣ୍ଡ ଦେବାର ଆବଶ୍ୟକତା ନାହିଁ କି? ଯଦି କହିବା ତାଙ୍କ ପାଇଁ ଦେବଦୂତ ସାଜିଥିବା ଜଣେ ନେତାଙ୍କ ସହଯୋଗରୁ ଶୁକ୍ରମଣି ବଡ଼ଚଣା ଭଳି ବୃହତ ପଞ୍ଚାୟତ ସମିତିର ଅଧ୍ୟକ୍ଷ ହୋଇପାରିଥିଲେ । ଆଉ ପଦରେ ଥିବା ବେଳେ, ଏକ ଲକ୍ଷେ ଟଙ୍କିଆ ‘ନାନୋ’ଗାଡି ଉପହାର ସ୍ୱରୂପ ପାଇ ବ୍ୟବହାର କରିଥିଲେ । ହେଲେ ଅଧ୍ୟକ୍ଷାରୁ ଅବ୍ୟାହତି ପରେ ଶୁକ୍ରମଣିଙ୍କ ବିଭିନ୍ନ ସରକାରୀ ଯୋଜନାରେ ସାମିଲ ହେବା ପାଇଁ ଯେତେ ଆବେଦନ କଲେ ସୁଦ୍ଧା ତାହା ପ୍ରଶାସନକୁ ପ୍ରଭାବିତ କରି ନ ପାରିନଥିଲା ।