ଆଜି ମୁଖ୍ୟମନ୍ତ୍ରୀଙ୍କ ଯାଜପୁର ଗସ୍ତ : ପ୍ରଶାସନ ଓ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି

 ବ୍ୟାସନଗର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ଯାଜପୁର ଗସ୍ତରେ ଆସୁଛନ୍ତି । ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ ସହ କେତେକ ପ୍ରକଳ୍ପ ସଂପର୍କରେ ମୁଖ୍ୟମନ୍ତ୍ରୀ ସୂଚନା ଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ବିଜେପି ପକ୍ଷରୁ ମଧ୍ୟ ଉଦ୍ୟମଜାରୀ ରହିଛି । ଆଜି କୋରେଇ ବିଧାୟକ ଆକାଶ ଦାସନାୟକ ନିର୍ବାଚନ ମଣ୍ଡଳୀ କାର୍ଯ୍ୟାଳୟରେ ଗସ୍ତ କାର୍ଯ୍ୟ ସଂପର୍କରେ ସୂଚନା ଦେଇ କହିଥିଲେ କି ମୁଖ୍ୟମନ୍ତ୍ରୀ ଆକାଶମାର୍ଗରେ ଆସି ସକାଳ ୧୦.୩୦ ମିନିଟ ସମୟରେ ବ୍ୟାସ ସରୋବର ଠାରେ ନିର୍ମିତ ଅସ୍ଥ୍ାୟୀ ହେଲିପ୍ୟାଡ଼ରେ ଅବତରଣ କରିବେ । ବାବୁ ରାଘୁଜୀ ଗୋସ୍ୱାମୀଙ୍କ ଦର୍ଶନ କରିବା ପରେ ବ୍ୟାସସରୋବର ପାର୍କର ଉଦ୍ଘାଟନ କରିବେ । ସେଠାରୁ ସଡ଼କ ପଥରେ ଆସି ବ୍ୟାସଦେବ ଟାଉନ୍ହଲର ଉଦ୍ଘାଟନ କରିବେ । ୧୨ଘଟିକା ସମୟରେ ଚାନ୍ଦମା ପଡ଼ିଆ ଠାରେ ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ କିସ୍ତି ପ୍ରଦାନ କରିବା ସହ ସରକାର ହାତକୁ ନେଇଥିବା ବିଭିନ୍ନ ଜନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେବେ । ବ୍ୟାସନଗର ଠାରେ ମୁଖ୍ୟମନ୍ତ୍ରୀ ବ୍ୟାସନଗରବାସୀଙ୍କୁ କିଛି ନୂଆ ଯୋଜନାର ଭେଟି ଦେବେ ବୋଲି ବିଧାୟକ ପ୍ରକାଶ କରିଛନ୍ତି । 
ସୁଭଦ୍ରା ଯୋଜନା କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ସଡ଼କ ପଥରେ ଯାଜପୁର ଟାଉନ୍ରେ ପହଞ୍ଚô ମେଡ଼ିକାଲ କଲେଜ ଉଦ୍ଘାଟନ କରିବା ସହ ମା’ ବିରଜାଙ୍କ ଦର୍ଶନ କରିବେ । ସନ୍ଧ୍ୟାରେ ଯାଜପୁର ଜିଲା ମହୋତ୍ସବ ଯଯାତୀ ଉଦ୍ଘାଟନ ଉତ୍ସବରେ ଯୋଗଦାନ କରି ସଡ଼କ ପଥରେ ଭୁବନେଶ୍ୱର ଫେରିଯିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବାକୁ ଜିଲା ବିଜେପି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଚାନ୍ଦମା ପଡ଼ିଆରେ ଅନୁଷ୍ଠିତ ସଭାରେ ଅନୁ୍ୟନ୍ୟ ୩୦ହଜାର ମହିଳାପୁରୁଷଙ୍କ ସମାଗମ ହେବ ବୋଲି ଆକଳନ କରାଯାଉଛି ।