ପୌର ଅଧିକାରୀଙ୍କୁ ଅତ୍ୟାଚାର, ତଦନ୍ତ ଦାବିକଲା ବିଜେପି

 ବ୍ୟାସନଗର : ପୌର କାର୍ଯ୍ୟାଳୟରେ ପାରିଷଦ ଓ କିଛି ଅସାମାଜିକ ବ୍ୟକ୍ତି ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପାଢୀଙ୍କୁ କାର୍ଯ୍ୟାଳୟ ଭିତରେ ଅଟକ ରଖି ଅତ୍ୟାଚାର କରିବା ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ଏଡ଼ିଏମ କଳିଙ୍ଗନଗର ସପନ କୁମାର ନନ୍ଦଙ୍କୁ ଭେଟି ନଗର ବିଜେପି କର୍ମକର୍ତ୍ତା ଦାବିପତ୍ର ପ୍ରଦାନ କରିଥିଲେ । ଏଡ଼ିଏମଙ୍କୁ ପ୍ରଦତ୍ତ ଦାବିପତ୍ରରେ ବିଜେପି ପକ୍ଷରୁ କୁହାଯାଇଛି କି ନିର୍ବାହୀ ଅଧିକାରୀ ଶ୍ରୀ ପାଢୀ ତାଙ୍କ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ସମୟରେ ଗତ ମାସ୨୬ତାରିଖ ଦିନ କିଛି ପାରିଷଦ ଏବଂ ଅନ୍ୟ କିଛି ଅସାମାଜିକ ବ୍ୟକ୍ତି ପୌର କାର୍ଯ୍ୟାଳୟରେ ପ୍ରବେଶ କରି ଜୋରଜବରଦସ୍ତ ଅନ୍ୟାୟ କାର୍ଯ୍ୟ କରିବା ପାଇଁ ବଳ ପ୍ରୟୋଗ କରିଥିଲେ । ଶ୍ରୀ ପାଢୀ ସେମାନଙ୍କୁ ଏଭଳି ଅନ୍ୟାୟ କାର୍ଯ୍ୟ କରିବାକୁ ମନା କରିଥିଲେ । ଏସବୁ ବେନିୟମ କାଗଜରେ ଦସ୍ତଖତ ନକରିବାରୁ ଉପସ୍ଥିତ ଥିବା ପାରିଷଦ ଏବଂ ଅସାମାଜିକ ବ୍ୟକ୍ତି ତାଙ୍କୁ ତାଙ୍କ ପ୍ରକୋଷ୍ଠରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଲା ପକାଇ ଅଟକ ରଖିଥିଲେ । ବନ୍ଦ ପ୍ରକୋଷ୍ଠ ଭିତରେ ତାଙ୍କ ଦେହ ଅସୁସ୍ଥ ହେବାରୁ ଔଷଧ ଖାଇବା ପାଇଁ କହିଥିଲେ, କିନ୍ତୁ ତାଙ୍କୁ ଔଷଧ ଖାଇବା ପାଇଁ ଦିଆଯାଇନଥିଲା । ଯାହାକି ନିଜେ ଶ୍ରୀ ପାଢୀ  ଲିଖିତ ଅଭିଯୋଗ କରିଥିଲେ । ଜଣେ ଓଆରଏସ୍ ଅଫିସରଙ୍କୁ କାର୍ଯ୍ୟରତ ସମୟରେ ଏପରି ଅମାନୁଷିକ ବ୍ୟବହାର ଅତି ନିନ୍ଦନୀୟ ଅଟେ । ଦୀର୍ଘ ଘଂଟା ଧରି ତାଙ୍କୁ ବନ୍ଧକ ରଖି ମାନସିକ ନିର୍ଯ୍ୟାତନା ଦେଇଥିଲେ ଏବଂ ଖରାପ ଭାଷାରେ ଗାଳିଗୁଲଜ କରି ଧମକ ଦେଇ ବିଭିନ୍ନ କାଗଜରେ ଦସ୍ତଖତ କରାଇନେଲା ପରେ ତାଙ୍କୁ ବନ୍ଦ କୋଠରୀ ଭିତରୁ ବାହାରକୁ ଛଡାଯାଇଥିଲା । ଏଣୁ ଏହାର ତଦନ୍ତ କରାଯାଇ ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି ।