ଏମସିଏଲ ପ୍ରକଳ୍ପର ଆରପିଡିଏସି ଓ ଡିଏମଏଫ ବୈଠକରେ ଧର୍ମେନ୍ଦ୍ର
ଅନୁଗୁଳ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଗୁଳ ଜିଲ୍ଲାର ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ୍(ଏମସିଏଲ) ପ୍ରକଳ୍ପର ୧୫ତମ ରିହାବିଲିଟେସନ ଆଣ୍ଡ୍ ପେରିଫେରି ଡେଭଲପମେଣ୍ଟ ଆଡଭାଇଜରି କମିଟି(ଆରପିଡିଏସି) ଓ ଜିଲ୍ଲା ଡିଏମଏଫ ଟ୍ରଷ୍ଟ ବୋର୍ଡର ପୃଥକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ବୈଠକରେ ଜନସମସ୍ୟାକୁ ପ୍ରାଥମିକତା ଦେବା ଓ ଗରିବ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ଦିଗରେ ଏମସିଏଲ୍ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ସେହିପରି ଅନୁଗୁଳ ଜିଲ୍ଲା ଡିଏମଏଫ ଟ୍ରଷ୍ଟ ବୋର୍ଡ ବୈଠକରେ ଲୋକଙ୍କ ସ୍ୱାର୍ଥ ପାଇଁ ଉନ୍ନୟନ କାର୍ଯ୍ୟ ଓ କଲ୍ୟାଣକାରୀ ପ୍ରକଳ୍ପ ବିଷୟରେ ଚର୍ଚ୍ଚା ହୋଇଛି । ଡିଏମଏଫ ପାଣ୍ଠିରୁ ହୋଇଥିବା ଅର୍ଥ ବିନିଯୋଗ ତଥା ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ଦକ୍ଷତା ବିକାଶ, ଆନୁଷଙ୍ଗିକ ଭିତ୍ତିଭୂମି, ପରିବେଶ ସୁରକ୍ଷା, ଗମନାଗମନ ଭଳି କ୍ଷେତ୍ରରେ ଉନ୍ନତିମୂଳକ କାର୍ଯ୍ୟ ଉପରେ ବିଚାରବିମର୍ଶ ହୋଇଥିଲା ।
ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଚଳିତବର୍ଷ ୧୨୫ ମିଲିୟନ ମେଟ୍ରିକ୍ ଟନ୍ କୋଇଲା ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଛି ।
ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାକୁ ସାକାର କରିବା ଲକ୍ଷ୍ୟରେ ତାଳଚେର ପବିତ୍ର ମୋହନ ମେଡିକାଲ କଲେଜ ପାଇଁ ୧୬୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବାରୁ କୋଲ ଇଣ୍ଡିଆକୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ଏହି ବୈଠକରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ସମେତ ଅନୁଗୁଳ, ଛେଣ୍ଡିପଦା ଓ ତାଳଚେର ବିଧାୟକ ଓ ଅନୁଗୁଳ ଜିଲ୍ଲାପାଳ ଓ ଅନ୍ୟାନ୍ୟ ପ୍ରଶାସନିକ ଓ ଏମସିଏଲ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ ।