‘ଏମ୍ଏଲଏ ଲ୍ୟାଡ ପୋର୍ଟାଲ’ର ଶୁଭାରମ୍ଭ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ‘ଏମଏଲଏ ଲ୍ୟାଡ଼’ ଓ ‘ସିଏମ୍-ଏସ୍ଏ’ ର ସରଳୀକୃତ ଗାଇଡଲାଇନ ଉନ୍ମୋଚିତ କରିବା ସହିତ ଏମଏଲଏ ଲ୍ୟାଡ ୱେବ୍ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଆଜି କ୍ୟାବିନେଟ୍ ବୈଠକ ଆରମ୍ଭ ହେବା ପୂର୍ବରୁ ସମସ୍ତ କ୍ୟାବିନେଟ୍ ସହଯୋଗୀମାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏହାକୁ ଉନ୍ମୋଚିତ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ନିଦେ୍ର୍ଦଶାବଳୀର ସରଳୀକରଣ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଏହି ପରିବର୍ତ୍ତିତ ନିଦେ୍ର୍ଦଶାବଳୀ ସ୍ୱଚ୍ଛ, ସରଳ ଓ ସମୟ ଉପଯୋଗୀ ହୋଇପାରିଛି । ମୁଖ୍ୟମନ୍ତ୍ରୀ କହିଥିଲେଯେ, ଏହି ନୂତନ ନିଦେ୍ର୍ଦଶାବଳୀ ପ୍ରଶାସନିକ ପ୍ରକ୍ରିୟାରେ ସରଳତା ଆଣିବା ସହିତ ଜନସାଧାରଣଙ୍କ ପାଇଁ ଅତି ଆବଶ୍ୟକ ଓ ଛୋଟ ଛୋଟ ମୌଳିକ ଭିତ୍ତିଭୂମିଗୁଡିକୁ ଶୀଘ୍ର ଓ ସ୍ୱଚ୍ଛତାର ସହ ସମ୍ପାଦନ କରିବାରେ ସହାୟକ ହେବ ।
ଏହି ନୂଆ ଗାଇଡଲାଇନରେ ବିଭିନ୍ନ କ୍ଷେତ୍ରକୁ ଧ୍ୟାନ ଦିଆଯିବା ସହ ଅତ୍ୟାବଶ୍ୟକ ପ୍ରକଳ୍ପଗୁଡିକୁ ଗ୍ରହଣ କରିବାର ବ୍ୟବସ୍ଥା ଥିବାବେଳେ, ଅନାବଶ୍ୟକ ପ୍ରକଳ୍ପଗୁଡିକୁ ବାଦ୍ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏହାସହିତ ପ୍ରକଳ୍ପର ସୁପାରିଶଠାରୁ ଅନୁମୋଦନ ପ୍ରକ୍ରିୟା ସମାପ୍ତ ହେବା ପର୍ଯ୍ୟନ୍ତ (କାର୍ଯ୍ୟାଦେଶ ପର୍ଯ୍ୟନ୍ତ) ସମୟ ଅବଧି ୩୦ ଦିନ ରଖାଯାଇଛି । ସେହିପରି ସିଏମ-ଏସଏ ଗାଇଡଲାଇନର ମଧ୍ୟ ସରଳୀକରଣ କରାଯାଇଛି । ଏହାଦ୍ୱାରା ପ୍ରକଳ୍ପଗୁଡ଼ିକ ତ୍ୱରାନ୍ୱିତ ଭାବେ କାର୍ଯ୍ୟକାରୀ କରାଯାଇପାରିବ ବୋଲି ସେ କହିଥିଲେ ।
ଏହି ନୂତନ ‘ଏମଏଲଏ ଲ୍ୟାଡ଼ ୱେବପୋର୍ଟାଲ’ରେ ବିଧାୟକମାନଙ୍କ ଦ୍ୱାରା ପ୍ରକଳ୍ପ ସୁପାରିଶ, ପ୍ରକଳ୍ପ ଆବଶ୍ୟକତାର ତର୍ଜମା, ଯୋଜନା ଓ ବ୍ୟୟ ଅଟକଳ ପ୍ରସ୍ତୁତି, ପ୍ରକଳ୍ପର ଅନୁମୋଦନ, କାର୍ଯ୍ୟାଦେଶ, ତଦାରଖ, ନିରୀକ୍ଷଣ, ବ୍ୟୟ ଓ କାର୍ଯ୍ୟ ସମ୍ପାଦନ ଆଦି ନିର୍ଦ୍ଧାରିତ ସମୟରେ ସମ୍ପାଦନ କରାଯାଇପାରିବ । ଏହି ପୋର୍ଟାଲ ମାଧ୍ୟମରେ ବିଧାୟକମାନେ ସେମାନଙ୍କର ନିର୍ବାଚନ ମଣ୍ଡଳୀରେ ସୁପାରିଶ କରିଥିବା ସମସ୍ତ ପ୍ରକଳ୍ପର ବାସ୍ତବ ସ୍ଥିତି ବିଷୟରେ ଅବଗତ ହୋଇପାରିବେ । ଜନସାଧାରଣଙ୍କ ପାଇଁ ଯୋଜନା ସମ୍ୱନ୍ଧୀୟ ସବିଶେଷ ତଥ୍ୟ ଏହି ପୋର୍ଟାଲରେ ଉପଲବ୍ଧ ହେବ । ଏହାସହିତ ବିଧାନସଭା ଅଞ୍ଚଳର ଜନସାଧାରଣ ମଧ୍ୟ ସେମାନଙ୍କ ବିଧାୟକଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ପ୍ରକଳ୍ପଗୁଡିକର ତଥ୍ୟ ଏହି ପୋର୍ଟାଲ ଜରିଆରେ ଅବଗତ ହୋଇପାରିବେ । ସୂଚନାଯୋଗ୍ୟଯେ, ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଯୋଜନା ୧୯୯୭-୯୮ରୁ ଆରମ୍ଭ ହୋଇ ଜନସାଧାରଣଙ୍କ ଛୋଟ ଛୋଟ କିନ୍ତୁ ନିତ୍ୟାନ୍ତ ଆବଶ୍ୟକୀୟ ଭିତ୍ତିଭୂମି ଗଠନ କରିବାରେ ଏକ ମଜବୁତ୍ ମାଧ୍ୟମ ହୋଇପାରିଛି । ପର୍ଯ୍ୟାୟକ୍ରମେ, ପ୍ରତ୍ୟେକ ବିଧାନସଭା କ୍ଷେତ୍ର ପାଇଁ ଏହି ଅନୁଦାନ ୫ ଲକ୍ଷରୁ ୩ କୋଟି ଟଙ୍କାକୁ ବୃଦ୍ଧି ପାଇ, ୨୦୨୫-୨୬ ଆର୍ଥିକ ବର୍ଷରେ ଏହା ପ୍ରତ୍ୟେକ ବିଧାନସଭା କ୍ଷେତ୍ର ପାଇଁ ୫ କୋଟି ଟଙ୍କା ହିସାବରେ ବ୍ୟୟ ବରାଦ କରାଯାଇଅଛି । ଏହି ନୂତନ ଗାଇଡଲାଇନ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ବିଧାନସଭା କମିଟି ସଦସ୍ୟ ଓ ବିଧାୟକମାନଙ୍କ ପରାମର୍ଶ ନିଆଯାଇଛି, ପଡୋଶୀ ରାଜ୍ୟଗୁଡିକର ‘ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ନିଦେ୍ର୍ଦଶାବଳୀ’ର ଅଧ୍ୟୟନ କରାଯାଇଛି ଏବଂ କ୍ଷେତ୍ରସ୍ତରରେ ଉପୁଜୁଥିବା ସମସ୍ୟାଗୁଡିକର ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି । ଏହି ପ୍ରକ୍ରିୟାରେ ସଂଶ୍ଲିଷ୍ଟ ସମସ୍ତ ମନ୍ତ୍ରୀ, ବିଧାୟକ ଏବଂ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଅନୁ ଗର୍ଗ ଏହି ନୂତନ ସରଳୀକୃତ ଗାଇଡ ଲାଇନ ଓ ୱେବ୍ ପୋର୍ଟାଲ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉପସ୍ଥିତ ଥିଲେ ।