ଖୋଲିଲା ଓଟିଇଟି କେଳେଙ୍କାରୀ ଗୁମର
କଟକ: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗୁମର ଖୋଲିଛି । ବୋର୍ଡ଼ର ଡାଟା ଏଣ୍ଟି୍ରଅପରେଟର ଜିତନ ମହାରଣା ଓ ଶିକ୍ଷକ ନେତା ବିଜୟ ମିଶ୍ର ସେମାନଙ୍କ ଦୋଷ ସ୍ୱୀକାର କରିଛନ୍ତି । ରିମାଣ୍ଡ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଞ୍ଚ ନିକଟରେ ୨ ଅଭିଯୁକ୍ତ ଓଗାଳିଛନ୍ତି ।
ଡ୍ରାଇଭର ଜରିଆରେ କଟକରୁ ନୟାଗଡ଼କୁ ପେନ୍ଡ୍ରାଇଭରେ ପ୍ରଶ୍ନପତ୍ର ନେଇଥିଲେ । ସେଠାରେ ବିଜୟ ମିଶ୍ରଙ୍କ ଭାଇଙ୍କୁ ପେନ୍ ଡ୍ରାଇଭ ସହ ହାର୍ଡ଼କପି ଦିଆଯାଇଥିଲା । ପରେ ରାୟଗଡ଼ା ଅମ୍ବାଦଳାକୁ ନେଇ ପ୍ରଶ୍ନପତ୍ର ହାତରେ ଲେଖାଯାଇଥିଲା । କିପରି ପ୍ରଘଟ ଜଣା ନପଡ଼ିବ ସେଥିପାଇଁ ପ୍ରଶ୍ନପତ୍ର ହାତରେ ଲେଖିଥିଲେ । ବିଜୟ ମିଶ୍ରଙ୍କ ଡ୍ରାଇଭର ସହ ତାଙ୍କ ଭାଇଙ୍କୁ ମଧ୍ୟ ପଚରାଉଚରା ଜାରି ରହିଛି ।
ଗିରଫ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ମିଳିଥିବା ନେଇ ମଧ୍ୟ ସୂଚନା ମିଳିଛି । ତେବେ ରିମାଣ୍ଡରେ ବହୁ ତଥ୍ୟ ୨ ଅଭିଯୁକ୍ତ ଜିତନ ମହାରଣା ଓ ବିଜୟ ମିଶ୍ର ଓଗାଳିଛନ୍ତି । ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ୮ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଆହୁରି ବହୁ ବ୍ୟକ୍ତିଙ୍କ ତଥ୍ୟ ଅଭିଯୁକ୍ତ ଦେଇଛନ୍ତି । କେବଳ ଗିରଫ ୮ ନୁହେଁ ବରଂ ବୋର୍ଡ଼ର ବହୁ ଅଧିକାରୀଙ୍କ ସହ ବିଭିନ୍ନ ଜିଲ୍ଲାକୁ ଏହି ସିଣ୍ଡିକେଟର ଚେର ଲମ୍ବିଛି । ଏହାର ଟିକିନିଖି ତଥ୍ୟ ୨ ଅଭିଯୁକ୍ତ ଦେଇଛନ୍ତି । କେବଳ ସେତିକି ନୁହେଁ, କିଭଳି ହେଉଥିଲା ଲିକ୍, କିଏ ନେଉଥିଲା କେଉଁ ଦାୟିତ୍ୱ, ଆଉ କେତେ ଟଙ୍କାରେ କାହା ସହ ହେବ ଡିଲ, ଆଦି ତମାମ ପ୍ରସଙ୍ଗରେ ଯୋଜନାବଦ୍ଧ ଭାବେ ରୋଡ଼ମ୍ୟାପ ପ୍ରସ୍ତୁତ ହେଉଥିଲା । ଆଉ ବୋର୍ଡ଼ର ବହୁ ଅଧିକାରୀଙ୍କ ଇଙ୍ଗିତରେ ଏଭଳି ପ୍ରଶ୍ନପତ୍ର ଲିକ୍ ହେଉଥିଲା । ତେବେ ଏହି ଗୋଟିଏ ଘଟଣା ନୁହେଁ, ପୂର୍ବରୁ ହୋଇଥିବା ଲିକ୍ ଘଟଣାରେ ମଧ୍ୟ ୨ ଅଭିଯୁକ୍ତ କ୍ରାଇମବ୍ରାଞ୍ଚକୁ ବହୁ ସୁରାକ ଦେଇଛନ୍ତି ।
ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ବୋର୍ଡ଼ ଉପସଭାପତି ନିହାର ମହାନ୍ତିଙ୍କ ସହ ମୋଟ ୮ ଜଣକୁ ଗିରଫ କରି କ୍ରାଇମବ୍ରାଞ୍ଚ ଜେଲ୍ ପଠାଇଥିଲା । ତେବେ ଏହି ଘଟଣାରେ ଅଧିକ ତଥ୍ୟ ସହ ଟଙ୍କା କାରବାର ତଥ୍ୟ ପାଇଁ ୨ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ୨ ଦିନିଆ ରିମାଣ୍ଡରେ ନେଇଥିଲା । ୧୧ ଓ ୧୨ ତାରିଖ ପାଇଁ ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ମାରାଥନ ଜେରା କରିଥିଲା । ତେବେ ଏହି ୨ ଜଣଙ୍କ ତଥ୍ୟ ଆଧାରରେ କ୍ରାଇମବ୍ରାଞ୍ଚର ତଦନ୍ତ ଆଗକୁ ବଢ଼ିବ ବୋଲି ଜଣାପଡ଼ିଛି । ରିମାଣ୍ଡ ଅବଧି ଶେଷ ହେବା ପରେ କ୍ରାଇମବ୍ରାଞ୍ଚ ୨ ଅଭିଯୁକ୍ତ ଜିତନ ମହାରଣା ଓ ବିଜୟ ମିଶ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜେଏମଏଫସି ୩ କୋର୍ଟରେ ହାଜର କରାଇଥିଲେ । କ୍ରାଇମବ୍ରାଞ୍ଚ ଟିମ ଆଗକୁ ଆଉ ଅନ୍ୟ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନ କରିପାରେ ବୋଲି ସରକାରୀ ଓକିଲ କହିଛନ୍ତି ।