ଏମ୍ଡିଜି ମାନୁନାହିଁ ଅମ୍ରିତା ଏଚ୍ପି ଗ୍ରାମୀଣ ବିତରକ

 ବୈରୀ :  ବୈରୀ ଥାନା ଅନ୍ତର୍ଗତ ବରୁଣିଆ ସ୍ଥିତ ହିନ୍ଦୁସ୍ତାନ ପେଟ୍ରୋଲିୟମର ଅମ୍ରିତା ଗ୍ରାମୀଣ ବିତରକ ମାର୍କେଟିଂ ଡିସିପ୍ଲିନ୍ ଗାଇଡ୍ଲାଇନ ମାନୁ ନଥିବାର ଅଭିଯୋଗ ହୋଇଛି । ବୁକିଂର ୪୮ ଘଣ୍ଟା ମଧ୍ୟରେ ବିତରଣ କରିବାର ନିୟମ ଥିଲା ବେଳେ ୮ଦିନ ପରେ ମଧ୍ୟ ଏହା ମିଳୁନାହିଁ । ଆଜି ଗାଡି ଆସି ନାହିଁ କାଲି ଆସିବ କହି କହି ସମୟ ଗଡିଯାଏ । ବାଧ୍ୟ ହୋଇ ଉପଭୋକ୍ତାଟିଏ ଦଲାଲଙ୍କ ଠାରୁ ଅଧିକ ଦରରେ ଗ୍ୟାସ କିଣେ । ସବୁଠାରୁ ବଡ କଥା ହେଲା ଗ୍ୟାସ୍ ଟାଙ୍କି ଡିଫେକ୍ଟିଭ୍ ପଡିଲେ ଆଉ ଫେରସ୍ତ ହୁଏ ନାହିଁ । ଏନେଇ ଅଭିଯୋଗକାରିଣୀ ଉପୁଳା ଗ୍ରାମର ନିରୂପମା ବେହେରା କହିଛନ୍ତି ଯେ ତାଙ୍କର ଦୁଇଟି ଟାଙ୍କି ଡିଫେକ୍ଟ ଥିଲା । ଥରେ ଗୋଟିଏ ଟାଙ୍କିର ନେକ୍ରୁ ଲିକ୍ କରୁଥିବା ବେଳେ ଆଉ ଥରେ ଟାଙ୍କିର ତଳୁ ଲିକ୍ ହେଉଥିଲା । ଏନେଇ ସେ ସଂପୃକ୍ତ ବିତରକଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ସେ ଫେରସ୍ତ ନେବାକୁ ମନାକରିଥିଲେ । କହିଥିଲେ କି ଏହା ବଟ୍ଲିଙ୍ଗ ପ୍ଲାଣ୍ଟକୁ ଫେରସ୍ତ ହୁଏ ନାହିଁ । ଆମକୁ କ୍ଷତି ସହିବାକୁ ପଡେ । ତେଣୁ ଯେନତେନ ପ୍ରକାରେ ଆପଣ ବ୍ୟବହାର କରି ସାରି ଦିଅନ୍ତୁ । ଡିଫେକ୍ଟଭି ସିଲିଣ୍ଡର ପ୍ଲାଣ୍ଟକୁ ଫେରସ୍ତ ହେବାର ନିୟମ ଥିଲା ବେଳେ ବିତରକ ଏପରି କହିବାର ମାନେ କଣ? ନିର୍ଦ୍ଧାରିତ ଦର ଠାରୁ ଏହି ବିତରକ ୪୦ଟଙ୍କା ପର୍ଯ୍ୟନ୍ତ ଅଧିକ ନେଉଥିବା କିଛି ଉପଭୋକ୍ତା କହିଛନ୍ତି । ଶ୍ରମ ଆଇନର ଧଜିଆ ଉଡାଇ ଏମାନେ ଶ୍ରମିକଙ୍କୁ  ଇପିଏଫ୍, ଇଏସ୍ଆଇ ଭଳି ସାମାଜିକ ସୁରକ୍ଷାରେ ସାମିଲ କରନ୍ତି ନାହିଁ । ସୁରକ୍ଷା ଉପକରଣ ଯଥା ହେଲ୍ମେଟ୍, ଯୋତା ଓ ୟୁନିଫମ୍ ଦିଆଯାଏ ନାହିଁ । ଡେଲିଭରି ବୟଙ୍କ ନିକଟରେ ଓଜନ କଣ୍ଟା ଓ ଗ୍ୟାସ୍ ଲିକ ଡିଟେକ୍ଟର ରହିବା ନିହାତି ଜରୁରୀ ଥିବା ସତ୍ୱେ ଅମ୍ରିତା ଏଚ୍ପିର ଡେଲିଭରି ବୟଙ୍କ ନିକଟରେ ଏହା ନଥାଏ । ଏସମ୍ପର୍କରେ ସଂପୃକ୍ତ ବିତରକଙ୍କୁ ଯୋଗାଯୋଗ କରିବାରୁ ବଟ୍ଲିଂ ପ୍ଲାଣ୍ଟ କର୍ମଚାରୀ  ଓ ସେଲସ୍ ଅଫିସରଙ୍କୁ ଲାଞ୍ଚ ନଦେଲେ ଲୋଡ୍ ମିଳେ ନାହିଁ । ତେଣୁ ବାଧ୍ୟ ହୋଇ ଆମେ ଉପଭୋକ୍ତାଙ୍କ ଠାରୁ ଅଧିକ ଚାର୍ଜ କରୁଛୁ । ଆପଣ ଯାହାକୁ ଅଭିଯୋଗ କରିବା କଥା କରନ୍ତୁ । ସମ୍ପୂର୍ଣ୍ଣ ସିଷ୍ଟମ୍ ଦୁର୍ନିୀତି ଡୁବି ରହିଛି ।