ଯାଜପୁର-କେନ୍ଦୁଝର ରୋଡ ଭାୟା ଧାମରା : ରେଳ ସଂଯୋଗ ପାଇଁ ଅଶ୍ୱିନୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

 ଯାଜପୁର ଟାଉନ: ଯାଜପୁର-କେନ୍ଦୁଝର ରୋଡ଼ ଭାୟା ଧାମରାକୁ ରେଳ ସଂଯୋଗ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ରେଳମନ୍ତ୍ରୀଙ୍କୁ ଲେଖିଛନ୍ତି କି ଯାଜପୁର-କେନ୍ଦୁଝର ରୋଡ଼ ଭାୟା ଧାମରା ବନ୍ଦର, ଯାଜପୁର ବିରଜାକ୍ଷେତ୍ର, ଆଖଣ୍ଡଳମଣି ଆରଡ଼ିକ୍ଷେତ୍ର ଏବଂ କେନ୍ଦ୍ରାପଡ଼ାର ଭିତରକନିକାକୁ ସଂଯୋଗ କରୁଛି । ।ଏହି କ୍ଷେତ୍ରକୁ ରେଳ ସଂଯୋଗ ହେଲେ ସ୍ଥାନୀୟ ଅଂଚଳବାସୀ  ଗମନାଗମନର ସୁବିଧା ପାଇବା ସହ ପର୍ଯ୍ୟଟକ ଭିତରକନିକା କୁ ବୁଲି ଦେଖିବା ସହ ଦୁଇଟି ଧାର୍ମିକ ସ୍ଥଳକୁ ଶ୍ରଦ୍ଧାଳୁ ଭକ୍ତ ଯିବା ପାଇଁ ସୁବିଧା ପାଇପାରିବେ । ଏହି ରେଳ ପ୍ରକଳ୍ପ ନିର୍ମାଣ ନିମନ୍ତେ ସମସ୍ତ କାର୍ଯ୍ୟ ଚୂଡ଼ାନ୍ତ ହୋଇଥିବା ବେଳେ ରେଳ ବିଭାଗରେ ପ୍ରକଳ୍ପର ପୂର୍ଣ୍ଣାଙ୍ଗ କାର୍ଯ୍ୟ ଅଟକିଛି । ତେଣୁ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିଠିରେ ଉଲ୍ଲେଖ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା ବିରଜା କ୍ଷେତ୍ରକୁ ରେଳ ସଂଯୋଗ ନେଇ ଦୀର୍ଘ ବର୍ଷ ହେବ ଦାବି କରାଯାଉଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ରେଳ ବିଭାଗ ନୀରବଦ୍ରଷ୍ଟା ସାଜିଥିଲା । ଗତ କିଛି ମାସ ହେବ ପୂର୍ବତନ ଜିଲା ବିଜେପି ସଭାପତି ଗୌତମ ରାୟ, ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଯାଜପୁରକୁ  ରେଳ ସଂଯୋଗ ନେଇ ଦାବି ଉପସ୍ଥାପନ କରିଥିଲେ । ଯାହାଫଳରେ ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ନିମନ୍ତେ ସର୍ଭେ ଆରମ୍ଭ କରାଯାଇଥିଲା । କିନ୍ତୁ ବିଳମ୍ବ ଘଟିବାରୁ ରାୟ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯାହାଫଳରେ ମୁଖ୍ୟମନ୍ତ୍ରୀ ରେଳ ସଂଯୋଗ ନେଇ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।